ରାୟଗଡା,୪ ।୧(Rabindra Patkhandal)-ଦୀର୍ଘ ୯ ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ । କିନ୍ତୁ ଭକ୍ତଙ୍କ ଭୋଗରାଗ ନିଆଯାଉ ନାହିଁ । କେବଳ ଗର୍ଭଗୃହ ବାହାର ଠାରୁ ଦର୍ଶନ କରୁଛନ୍ତି ଭକ୍ତ । ଠିକ ସେହିଭଳି ମସଜିଦ୍, ଗୁରୁଦ୍ୱାର ଏବଂ ଗ୍ରୀର୍ଜାଗୃହରେ ମଧ୍ୟ ଭକ୍ତଙ୍କୁ କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରାଯାଉଛି ।
ରାୟଗଡା ଜିଲ୍ଲାର ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । ପ୍ରଶାସନ ତରଫରୁ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ନିଦେ୍ର୍ଦଶ ମିଳିବା ପରେ ସାନିଟାଇଜ କରାଯାଇ ଖୋଲାଯାଇଥିଲା । ଦୀର୍ଘ ୯ ମାସ ସମସ୍ତ ମନ୍ଦିର, ମସଜିଦ୍ ଓ ଗୁରୁଦ୍ୱାର ଖୋଲିବା ନିଷ୍ପତିକୁ ଜିଲ୍ଲାବାସୀ ସ୍ୱାଗତ କରିଥିଲେ । ତେବେ କୋଭିଡ କଟକଣା ମାନି ଧର୍ମାନୁଷ୍ଠାନ ଗୁଡିକୁ ପ୍ରବେଶ କରିବା ପାଇଁ ପ୍ରଶାସନ ସର୍ତାବଳୀ ଜାରୀ କରିଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟି ଆଗରେ ରଖି ଧର୍ମାନୁଷ୍ଠାନ ଗୁଡିକୁ ସାନିଟାଇଜ କରାଯାଇଥିଲା । ମନ୍ଦିର ଭିତରେ ଓ ବାହରେ ଅଯଥାରେ ଗହଳି ନକରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା ।
ଦର୍ଶନ ସମୟରେ ମାସ୍କ ପିନ୍ଧିବା ନେଇ ବାଧ୍ୟତାମୂଳ କରାଯାଇଥିଲା । ତେବେ ବିଶେଷ କରି ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗନ ହେବା ଦୃଷ୍ଟିକୁ ରଖି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ସହ ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅତିରିକ୍ତ ତହସିଲଦାର ସୁନିଲ ଖରା ମନ୍ଦିରରେ ଉପସ୍ଥିତ ଥିଲେ । ଏଥି ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମନ୍ଦିର ବେଢାରେ ନିୟୋଜିତ ଥିଲେ । ଭୋର ୫ଟା ସମୟରେ ମାଁଙ୍କ ପ୍ରଥମ ଦର୍ଶନ ସହ ଆଳତୀ ନେବା ପାଇଁ ଭକ୍ତଙ୍କ ସୁଅ ଛୁଟି ଥିଲା । ଭକ୍ତ ମାନେ ଶାନ୍ତିପୂର୍ଣ୍ଣ ଭାବେ ମାଁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ । ତେଲୁଗୁ ସଂପ୍ରଦାୟ ବଡ ପର୍ବ ମକର ସଂକ୍ରାନ୍ତିରେ ଭକ୍ତଙ୍କ ପ୍ରବଳ ଭିଡ ହେବା ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୧୨ ତାରିଖ ରୁ ୧୭ ତାରିଖ ଯାଏଁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି ।