ରାୟଗଡା,୨୮।୬ (Rabindra Patkhandal)-ରାୟଗଡ଼ା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଆଜି ବିଷମକଟକ ବ୍ଲକର ନାନୀରଗୁଡା ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଛାତ୍ରାବାସ ପରିଦର୍ଶନ କରିଥିଲେ । ଏଥିରେ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର ପ୍ରକଳ୍ପ ନିର୍ଦେଶକ ଗୋରଚାନ୍ଦ ଗମାଙ୍ଗ ଉପସ୍ଥିତ ରହିଥିଲେ।
ଏହାପରେ ଝିଗିଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉର୍ଲାଜଡି ଗ୍ରାମରେ ମନରେଗା ଯୋଜନାରେ ଚାଲୁରହିଥିବା ପୋଖରୀ ଖନନ ଓ କେନାଲ ନିର୍ମାଣ କାର୍ଯ୍ୟ ବୁଲିଦେଖିବା ସହିତ ଶ୍ରମିକ ମାନଙ୍କ ସହ ମଜୁରୀ ଠିକ ଭାବରେ ପାଉଛନ୍ତି ନାହିଁ ପଚାରି ବୁଝିଥିଲେ। ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହିଁ ଗ୍ରାମ ବାସୀଙ୍କୁ ପଚାରି ବୁଝିଥିଲେ ।
ଏହାପରେ ଜିଲ୍ଳାପାଳ ହାଟମୁନିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବକ୍ସି ଶିରିପୁର ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ପଖରୀ ଖନନ କାମ ଏବଂ କୁଟ୍ରାଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହୁଙ୍କୁତୋଳା ମନରେଗା ଯୋଜନରେ ଚାଲିଥିବା ପଖରୀ ଖନନ କାମ ପରିଦର୍ଶନ କରିବାସହ ସେଠାରେ କାର୍ଯ୍ୟରତ ୬୫ଜଣ ନିର୍ମାଣ ଶ୍ରମିକ ମାନଙ୍କ ସହିତ ଆଲୋଚନା କରିଥିଲେ । ମଜୁରି ଠିକ ସମୟରେ ପାଉଛନ୍ତି କି ନାହିଁ ସେ ବିଷୟରେ ପଚାରି ବୁଝିଥିଲେ ଓ ବିଡ଼ିଓ, ଯନ୍ତ୍ରୀଙ୍କୁ ଠିକ ଭାବରେ ମଜୁରି ପ୍ରଦାନ କରିବାନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଳାପାଳଙ୍କ ଏହି ପରିଦର୍ଶନ ବେଳେ ବିଡ଼ିଓ ବିଷମକଟକ ଆଲଭର୍ଟ ଲାକ୍ରା, ତହସିଲଦାର ଶୁଭେନ୍ଦୁ ଜେନା,ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ସରପଞ୍ଚ ଓ ଅନ୍ୟାନ୍ୟ ଅଧକାରୀ ମାନେ ଯୋଗଦେଇଥିଲେ ।