ପୁରୀ: ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ପନ୍ଦର ଦିନ ଧରି ଅନବସର ଘରେ ଜ୍ବରରେ ପୀଡ଼ିତ ଥିବା ବିଗ୍ରହ ମାନେ ସମ୍ପୂର୍ଣ ଭାବେ ସୁସ୍ଥ ହେବା ପରେ ଆଜି ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି। ଆଜି ହେଉଛି ଉଭା ଅମାବାସ୍ୟା ବା ନେତ୍ର ଉତ୍ସବ। ଶ୍ରୀମନ୍ଦିରରରେ ବିଗ୍ରହ ମାନଙ୍କର ଆଜି ନେତ୍ର ଉତ୍ସବ ନୀତି ଅନୁଷ୍ଠିତ ହୋଇଛି। କରୋନାର ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀମନ୍ଦିରରେ ବିଗ୍ରହମାନେ ଆଜି ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି । ହଜାର ହଜାର ଭକ୍ତ ବିଗ୍ରହମାନଙ୍କ ନବ ଯୌବନ ବେଶ ଦର୍ଶନ କରି ଆଜି ପରମ ଆନନ୍ଦ ଲାଭ କରିଛନ୍ତି। ପବିତ୍ର ନବଯୌବନ ଦର୍ଶନରେ ଭକ୍ତ ଓ ଭଗବାନଙ୍କର ମିଳନ ଘଟିଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ବିଗ୍ରହ ମାନଙ୍କର ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିଲା ଅସୀମ ଆନନ୍ଦ ଓ ଉତ୍ସାହ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ନବ ଯୌବନ ଦର୍ଶନ ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ସକାଳ ୫ ଟା ୩୦ ମିନିଟରେ ଚକା ଅପସର, ୫ ଟା ୫୫ ରେ ମଙ୍ଗଳ ଆଳତୀ ସରି ଅବକାଶ ପୂଜା, ଜୟବିଜୟ ଦ୍ୱାର, ମଇଲମ ନୀତି ଅନୁଷ୍ଠିତ ହୋଇ ଥିଲା। ସକାଳ ୭ ଟା ୧୦ ରେ ତାଟି ଫିଟିଥିଲା ।
ଏହା ପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇ ସକାଳ ୭ ଟା ୧୫ ରେ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଏହାପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଏହା ସକାଳ ୧୦ ଟା ୧୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଭକ୍ତମାନେ କୃତାର୍ଥ ହୋଇଛନ୍ତି। ରାତି ସାଢେ ବାରଟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଥିଲା। ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଛତା, ସେଡ୍, ପାନୀୟ ଜଳ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସିଞ୍ଚନର ବ୍ୟବସ୍ଥା ହୋଇଥିଲା। ଭକ୍ତମାନେ ଏକପାଖିଆ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ସେହିପରି ଆସନ୍ତାକାଲି ଉଭା ଯାତ୍ରା ପଡୁଥିବାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଜାରି ରହିବ। ଆଜି ଅପରାହ୍ନ ୨ଟା ରୁ ୩ଟା, ସନ୍ଧ୍ୟା ୬ଟା ରୁ ୬ ଟା ୩୦, ରାତି ୯ଟା ରୁ ୧୦ ଟା ୩୦ ଓ ରାତି ୧୧ ଟା ୩୦ ରୁ ୧୨ ଟା ୩୦ ଯାଏଁ ଭକ୍ତ ମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ। ଭକ୍ତମାନେ ସିଂହଦ୍ଵାରରେ ବ୍ୟାରିକେଡ଼ ମାଧ୍ୟମରେ ପ୍ରବେଶ କରି ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରି ଥିଲେ ।
