ରଣପୁର, ୩୦/୦୯ : କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟଗୁଡିକୁ ବନ୍ଦ ରହିଥିଲା | ଶିକ୍ଷକମାନଙ୍କ ଠାରୁ ଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟପ୍ତ ପରିମାଣରେ ଶୈକ୍ଷିକ ମାର୍ଗ ଦର୍ଶନ ମିଳି ପାରି ନ ଥିଲା | ଏହା ଫଳରେ ପିଲାମାନଙ୍କ ପାଠ ପଢା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା | ଅଭ୍ୟାସ ଅଭାବରୁ ପିଲାମାନେ କରୋନା ପୂର୍ବରୁ ପଢିଥିବା ପାଠଗୁଡିକୁ ଭୁଲି ଯାଇଛନ୍ତି | ଏହି ଭୁଲି ଯାଇଥିବା ପାଠଗୁଡିକୁ ମନେ ପକାଇବା ପାଇଁ, ହାସଲ କରି ପାରି ନ ଥିବା ଶିକ୍ଷଣ ଦକ୍ଷତାଗୁଡିକୁ ହାସଲ କରିବା ଉଦ୍ଦେଶ୍ୟରେ ଶିକ୍ଷଣ ପରିପୂରଣ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଆନୁଷ୍ଠାନିକ ଭାବେ ଉଧାଘାଟନ କରିଥିଲେ | ବ୍ଲକ ପ୍ରକଳ୍ପ ସଂଯୋଜକ ଦେବାଶିଷ ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ଏହି ତାଲିମ କାର୍ଯ୍ୟକ୍ରମ ରଣପୁର, ଚାନ୍ଦପୁର, ସୁନାଖଳା, ଡମସାହି, ସୁର୍କାବାଡି ନାମକ ୫ଟି ନୋଡାଲ ସେଣ୍ଟରରେ କରାଯାଇଥିଲା | ଶକ୍ତି ପ୍ରସାଦ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ପ୍ରଧାନ, କୁଳମଣି ପ୍ରଧାନ, ପଦ୍ମ ଚରଣ ସେଠି, ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ୫ଟି ନୋଡାଲ ସେଣ୍ଟରର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ | ଏଥିରେ ପ୍ରାୟ ୯୪୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି | ଏହି ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ବିଦ୍ୟାଳୟରେ ୫୦ ଦିନ ଧରି ଚାଲୁ ରହିବ |
