ରଣପୁର, ୧୪/୦୯ : ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବା ଅଭିଯୋଗ ନେଇ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୮ ମାସର ବ୍ୟବଧାନ ପରେ ପୁଣି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ଏହି ଆନ୍ଦୋଳନ ଦୁଇ ଦିନ ଧରି ସମୂହ ଛୁଟିରେ ଚାଲିଛି |
ସରକାର ଯେତେବେଳ ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କ ଦାବି ପୂରଣ କରିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଶିକ୍ଷକ ମାନେ ବିଦ୍ୟାଳୟ ତାଲା ଖୋଲିବେ ନାହିଁ ବୋଲି ପ୍ରକାଶ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି।
ରଣପୁର ବ୍ଲକରେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିଛି | ଦୁଇ ଦିନ ହେଲା ବିଦ୍ୟାଳୟଗୁଡିକ ବନ୍ଦ ରହିଛି | ପାଠ ପଢା ସମ୍ପୂର୍ଣ ଭାବେ ଠପ ହୋଇଛି | ଏଥିରେ ରଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ, ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପି.ଟି.ଆଇ. ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘ, କଳା କ୍ରୀଡା ଶିକ୍ଷକ ସଙ୍ଘର ଶିକ୍ଷକମାନେ ଏଥିରେ ସାମିଲ ହୋଇଛନ୍ତି | ଦାବି ପୂରଣ ହେଲା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ |
