ରାଜନଗର : ଅଜସ୍ର ସମ୍ଭାବନାକୁ ନେଇ ଇଂରାଜୀ ନବବର୍ଷ-୨୦୨୪କୁ ସାରା ବିଶ୍ବରେ ସ୍ୱାଗତ କରାଯାଇଛି। ନୂଆବର୍ଷ ପାଳନ ପାଇଁ ଯୁବପିଢୀ ଆଜି ନୂତନ ଉତ୍ସାହ ଉଦ୍ଦିପନା ନେଇ ପ୍ରକୃତିର ଗନ୍ତା ଘର ଭିତରକନିକା ଓ ପେଣ୍ଠ ବେଳାଭୂମିକୁ ଛୁଟି ଆସିଥିଲେ। ସୋମବାର ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣ ପାଇଁ ମୁଖ୍ୟ ଫାଟକ ଦେଇ ୩୨୧୮ଜଣ ପର୍ଯ୍ୟଟକ ୪୨ଟି ବୋଟରେ ନୌକା ବିହାର କରିଥିବା ବେଳେ ଖୋଳା ଏଂଟ୍ରି ପଏଂଟ ଦେଇ ୬୩ଟି ବୋଟରେ ୭୨୮ଜଣ ପର୍ଯ୍ୟଟକ, ଚାନ୍ଦବାଲି ଏଂଟ୍ରି ପଏଂଟ ଦେଇ ୧୩ଟି ବୋଟରେ ୧୩୨ଜଣ ପର୍ଯ୍ୟଟକ ଏବଂ ଗୁପ୍ତି ଏଂଟ୍ରି ପଏଂଟ ଦେଇ ୨୪ଟି ବୋଟରେ ୧୯୫ଜଣ ପର୍ଯ୍ୟଟକ ନୌକା ବିହାର କରିବା ସହ ପ୍ରକୃତିକୁ ଉପଭୋଗ କରିଥିଲେ। ଆଜି ନୂଆବର୍ଷ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଛୁଟି ଆସିଥିଲେ ଭିତକନିକା ଓ ପେଣ୍ଠ ଅଞ୍ଚଳକୁ।ପର୍ଯ୍ୟଟକମାନେ ବନ୍ୟଜନ୍ତୁ ଆକ୍ରମଣରେ ସହିଦ ହୋଇଥିବା ବନକର୍ମଚାରୀଙ୍କ ସହିଦ ସ୍ତମ୍ଭ, ବୋଟ ଲାଇବ୍ରେରୀ, ମ୍ୟୁଜିୟମରେ ଥିବା ଅଲିଭରିଡଲେ କଇଁଛ ଏବଂ ୨୩ଫୁଟରୁ ଉର୍ଦ୍ଧ୍ବ ଲମ୍ବର ବିରଳ ବଉଳା କୁମ୍ଭୀରର ସ୍କେଲିଟନ ସହିତ କେମିକାଲ ଦିଆଯାଇ କାଚଜାରରେ ସଂରକ୍ଷିତ କରି ରଖାଯାଇଥିବା ଭିତରକନିକାରେ ଦୃଶ୍ୟମାନ ହେଉଥିବା ବିଭିନ୍ନ ଜୀବଜନ୍ତୁ ଓ ସରୀସୃପଙ୍କୁ ଦେଖି ସେମାନଙ୍କ ସଂପର୍କରେ ଜ୍ଞାନ ଆହରଣ କରିଥିଲେ। ଏହାସହିତ ବିରଳ ହେନ୍ତାଳ ବଣ, ପଦ୍ମପୋଖରୀ, ଭିତରକନିକା ଗଛ ମାନଙ୍କରେ ରଂଗବେରଂଗର ପକ୍ଷୀ, ନଦୀର ଦୁଇପାର୍ଶ୍ବରେ ଖରା ପୋଉଁଥିଵା ବିରାଟକାୟ ବଉଳା କୁମ୍ଭୀର ସହିତ ଜାତୀୟ ଉଦ୍ୟାନର ଆବଦ୍ଧ ପୋଖରୀରେ ଶଙ୍ଖୁଆ କୁମ୍ଭୀର, ଗୋରୀ, ମଲ୍ଲି, ଶ୍ବେତାକୁ ଦେଖି ପର୍ଯ୍ୟଟକମାନେ କ୍ଷଣକପାଇଁ ଆନମନା ହୋଇପଡିଥିଲେ। ସେହିପରି ପେଣ୍ଠ ବେଳାଭୂମିରେ ନୂଆବର୍ଷ ପାଳନ ପାଇଁ ଆଜି ପ୍ରତ୍ୟୁଷରୁ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କ ଭିଡ ସଂଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିଲା। ପର୍ଯ୍ୟଟକମାନେ ସମୁଦ୍ରରେ ଗାଧୋଇବା ସହିତ ଝାଉଁ ବଣରେ ବଣଭୋଜିର ମଜା ଉଠାଇଥିଲେ। ଶୀତୁଆ ସକାଳ ସାଙ୍ଗକୁ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ।ସ୍ତର ମନୋରମ ଦୃଶ୍ୟ ହଜାର ହଜାର ପର୍ଯ୍ୟଟକମାନଙ୍କୁ ଚନ୍ଦ୍ରଭାଗାର ଭ୍ରମ ସୃଷ୍ଟି କରିଥିଲା। ସବୁଠୁ ବଡକଥା ହେଲା ସୋମବାର ନୂଆବର୍ଷ ଥିବାରୁ ଭିତରକନିକା ଏବଂ ପେଣ୍ଠକୁ ସଂଯୋଗ କରୁଥିବା ରାଜନଗର ହଂସୁଆ ସେତୁ ଉପରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ଜଣେ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନେଇ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେତୁର ଉଭୟ ପାର୍ଶ୍ବରେ ସାନବଡଗୋପାଳପୁର ବଜାର ଠାରୁ ଆରମ୍ଭ କରି ରାଜନଗର ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ବାଇକ ଓ କାର ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ପ୍ରାୟ ୧ଘଣ୍ଟା ରୁ ଉର୍ଦ୍ଧକାଳ ଧରି ହଂସୁଆ ସେତୁ ଉପରେ ଯାତାୟତ ଏକ ପ୍ରକାର ଠପ୍ ହୋଇ ଯାଇଥିଲା। ସାଧାରଣ ଲୋକମାନେ ଯାତାୟତରେ ଅସୁବିଧା ଭୋଗିଥିଲେ।
