ବିଳମ୍ବିତ ରାତ୍ରିରେ ଡାକ୍ତରଙ୍କୁ ଆକ୍ରମଣ ଓ ଦୁର୍ବୟବହାର ଘଟଣା : ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଲେ ଓମସା ପ୍ରତିନିଧି ଦଳ
ରାଜନଗର : ଗତମାସ ୨୯ ତାରିଖ ବିଳମ୍ବିତ ରାତ୍ରିରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଏବଂ ଦୁର୍ବବ୍ୟହାର କରିବା ଘଟଣାକୁ ୨ସପ୍ତାହ ବିତି ଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ପୁଲିସ ଏକ ପ୍ରକାର ବିଫଳ ହୋଇଛି। ଯାହାକୁ ନେଇ କେବଳ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନୁହଁନ୍ତି ବରଂ ସମଗ୍ର ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ମାନଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ ଓ ଡାକ୍ତରଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଓମସାର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ ଓ ଡାକ୍ତରୀ ପ୍ରଶାସକଙ୍କ ଦ୍ବାରା ପ୍ରଶାସନିକ କାର୍ଯ୍ୟ ବନ୍ଦ କରିବା ନେଇ ଲିଖିତ ଭାବେ ଜଣାଇଛନ୍ତି। ଆଜି କେନ୍ଦ୍ରାପଡା ଜିଲ୍ଲା ଓମସାର ସଭାପତି ଡାଃ. ସଂଜିତ୍ ସେଠୀଙ୍କ ନେତୃତ୍ବରେ ସଂପାଦକ ଡାଃ. ନିରଂଜନ କର, ଡାଃ. କିଶୋର ଚନ୍ଦ୍ର ମିଶ୍ର, ଡାଃ. ନିରାକାର ପରିଡା, ଡାଃ. ଚିତ ରଂଜନ ବେହେରା, ଡାଃ. ସଚ୍ଚିଦାନନ୍ଦ ମିଶ୍ର, ଡାଃ. ନୃପେନ ଶତପଥି ପ୍ରମୁଖ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଆଜିଯାଏଁ ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ଓମସା ଅନୁରୋଧ କରିବା ସହ ଅଭିଯୁକ୍ତ ଗିରଫ ହେବା ପର୍ଯ୍ୟନ୍ତ ୧୩ ଡିସେମ୍ବର ଠାରୁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକୁ ପ୍ରତ୍ୟାକ୍ଷାନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି। ଅପରପକ୍ଷରେ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ରାଜନଗର ଥାନାର କୋଇଲିପୁର ଗାଁର ବଶିଷ୍ଟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ରାଜନଗର ଆଇଆଇସି ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲି ଦିନ ପ୍ରାୟ ୩ଟା ୨୦ରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସିକ୍ୟୁରିଟି ଗାର୍ଡ ଓ ଅନ୍ୟଜଣେ କର୍ମଚାରୀଙ୍କୁ କିଛି ଯୁବକ ମାଡ ମାରିଥିବା ନେଇ ଥାନାରେ ସିକ୍ୟୁରିଟି ଗାର୍ଡ କୁମର ମଳିକ ଆଜି ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗତକାଲି ଦୁଇଜଣ ଯୁବକ ଆସି ଆମ୍ବୁଲାନ୍ସ ପାର୍କିଂ ଜୋନରେ ଗାଡି ରଖିଥିଲେ। ମୁଁ ସେମାନଙ୍କୁ ଗାଡି ସାଇଡ କରିବାକୁ କହିବାରୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ତଂଟିଆ ଓ ଗୋଇଠା ଏବଂ ଚାପୁଡା ମାରିଥିଲେ। ଏହାପରେ ଆଉ ୪/୫ଜଣ ପହଁଚି ଆମ ମୁନା ଭାଇ ନାଁରେ କିଏ ଏଫଆଇଆର ଦେଇଛି କହିବା ସହ ଗାଳି ଗୁଲଜ କରିଥିଲେ। ଗଲାବେଳେ ଯଦି କିଏ ଏଫଆଇଆର ଦିଏ ଡାକ୍ତର ଓ ସମସ୍ତ ଷ୍ଟାଫ୍ଙ୍କୁ ଗୋଡେଇ ଗୋଡେଇ ହାଣିବୁ ବୋଲି କହିଥିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଛି।
