ରାଜନଗର୧୫|୦୧(ସବ୍ୟୁ): ଜାତୀୟଉଦ୍ୟାନ ଭିତରକନିକାର ଡାଙ୍ଗମାଳ ଠାରେ ଆଜି ମଧ୍ୟାହ୍ନ ସମୟରେ କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କୁମ୍ଭୀର ବିଷାରଦ ଡ. ସୁଧାକର କର ଓ ଡ. ଶିବପ୍ରସାଦ ପରିଡା ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ରେଞ୍ଜରୁ ଆସିଥିବା ବନାଞ୍ଚଳ ଅଧିକାରୀ ,ବନପାଳ ଓ ବନରକ୍ଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ମୋଟ ୫୨ଜଣ ପ୍ରଶିକ୍ଷଣ ନେଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି । ଆଜିର କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିରକୁ ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ପରିଚାଳନା କରିଥିଲେ ।
ଆସନ୍ତା ୧୭ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ୨୨ଟି ଟିମ୍ ନଦୀ ଓ ନାଳମାନଙ୍କରେ ଗଣନା କରିବେ । ପ୍ରତି ଟିମରେ ୪ରୁ ୫ଜଣ ସଦସ୍ଯ ରହିବେ । ଏହି ଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ଠାରୁ ଆରମ୍ଭ କରାଯାଇ ମଧ୍ଯ ରାତ୍ରି ପର୍ଯ୍ୟନ୍ତ ଚାଲିବ । ଜିପିଏସ,ବାଇନାକୁଲର,ଟର୍ଚ୍ଚ ଲାଇଟ,ହୁଲି ଡଙ୍ଗା,ମେକାନାଇଜ ଡଙ୍ଗା ମାଧ୍ୟମରେ ଗଣନା କରାଯିବ । କୁମ୍ଭୀର ବିଷାରଦ ଡ.ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କରାଯିବ । ଚଳିତ ଥର କେବଳ କୁଜଙ୍ଗ ରେଞ୍ଜ ଅଞ୍ଚଳରେ ଗଣନା କରାଯିବ ନାହିଁ ବୋଲି ସୂଚନା ମିଳିଛି । ବଉଳା କୁମ୍ଭୀରଙ୍କ ଗଣନା ପାଇଁ ୧୫ତାରିଖ ଠାରୁ ଚଳିତ ମାସ ୨୩ତାରିଖ ଯାଏ ୯ ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିବା ବନ ବିଭାଗ ଠାରୁ ସୂଚନା ମିଳିଛି ।
