ଋାଜନଗର : ରାଜନଗର ଅଂଚଳରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରଜ ସଂକ୍ରାନ୍ତି ପରଠାରୁ ରାଜନଗର ଅଂଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ପ୍ରବଳ ଗୁଳୁଗୁଳି, ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଝାଡାବାନ୍ତି ଘଟଣା ଚିନ୍ତାର ବିଷୟ ହୋଇଛି । ଆଜି ଗୋଟିଏ ଦିନରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫୦ଜଣ ଝାଡାବାନ୍ତି ରୋଗୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ଆଡମିସନ କରାଯାଇ ଚିକିତ୍ସିତ କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି । ଅତ୍ୟଧିକ ଗରମ ସାଙ୍ଗକୁ ପାଚିଲା ଆମ୍ବ, ପଣସ ଓ ବାହାଘର ଭୋଜି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ରଜ ପରଠାରୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଝାଡାବାନ୍ତି ଆକ୍ରାନ୍ତ ରୋଗୀ ଆସିବାରେ ଲାଗିଛନ୍ତି । ଗତ ଏକ ସପ୍ତାହ ହେଲା ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ପ୍ରତିଦିନ ୧୦ ରୁ ୧୫ଜଣ ରୋଗୀ ଆଡମିଟ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ମେଡିସିନ ନେଇ ଘରକୁ ଫେରି ଯାଉଛନ୍ତି । ବୁଧବାର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଡିଆମାଳର ବିମଳି ପ୍ରଧାନ (୫୯ ବର୍ଷ), ମହୁଲିଆର ଚଂଚଳା ସ୍ୱାଇଁ (୫୨ ବର୍ଷ), କଏଥାର ରୀତାଞ୍ଜଳି ପଢିହାରୀ, ଝିଙ୍କିରିଆର ପ୍ରମୋଦିନୀ ପାତ୍ର, ଦାରୁଓରାର ଦୀପକ କୁମାର ବିଶ୍ୱାଳ, କୁରୁଂଟିର ଶୁକ କଅଁର, କଣି ର କଳ୍ପନା ସାମଲ, ହାତିନାର ସବିତା ରାଉତ ପ୍ରମୁଖ ଚିକିତ୍ସିତ ହେଉଛନ୍ତି ।
