Odisha news

ଆଜି ସଜବାଜ , କାଲିଠୁ ରଜ

0

ଦ୍ଭ ହିମାଂଶୁ ଶେଖର ଆଚାର୍ଯ୍ୟ : ଗୋଟିଏ ପଟେ କରୋନାର ଭୟ ଅନ୍ୟ ପଟେ ଓଡିଶାର ଗଣପର୍ବ ରଜ । ଆଜି ସଜବାଜ କାଲିଠୁ ରଜ । ଓଡିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରେ ରଜ ଏକ ପ୍ରମୁଖ ପର୍ବ । ଏହାକୁ ‘ପାର୍ବଣର ରାଣୀ’ ବୋଲି କୁହାଯାଏ । ମାତ୍ର ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ପ୍ରତି ସପ୍ତାହର ଶନି, ରବି ଦୁଇଦିନ ସଟ୍ଡାଉନ୍ ରହିଛି ଅର୍ଥାତ ଆସନ୍ତା କାଲି ସଜବାଜ ଓ ତା ପରଦିନ ପହିଲି ରଜ ଦୁଇଦିନ ଦୋକାନ ବଜାର ବନ୍ଦ ବାହାରକୁ ଆସିବାମନା ।ସାମାଜିକ ଦୁରତା ମାସ୍କ ପରିଧାନ ସଙ୍ଗରୋଧ ଭିତରେ ସଜବାଜ ଓ ପହିଲି ରଜ କଟିବ ଊପର ପଟେ ରାଜ୍ୟ ସରକାରଙ୍କ ପ୍ରମୂଖ କରୋନା ପ୍ରବକ୍ତା ସୁବ୍ରତ ବାଗ୍ଚୀ କହିଛନ୍ତି ଯେ, ଜୀବନ ଆଗ ଆଉସବୁ ପଛ ।

ତାସ୍ ଖେଳ, ଲୁଡୁଖେଳ, କବାଡି ଖେଳ , ଓ ଦୋଳି ଖେଳ ଠାରୁ ଆମକୁ ଦୂରତା ରଖିବାକୁ ହେବ ।ତେଣୁ ଏହି ଗଣପର୍ବ ରଜକୁ ଆଉ ପୂର୍ବ ଭଳି ଆନନ୍ଦ ଉଲ୍ଲାସରେ ପାଳନ କରିବାର ସୁଯୋଗନାହିଁ । ବାକି ରହିଳା ମଙ୍ଗଳ , ବୁଧ ଦୁଇଦିନ ଏହି ଦୁଇଦିନ ମଧ୍ୟ ସାମାଜିକ ଦୂରତା ରଖି ମାସ୍କ ପରିଧାନ କରି ଓ ସଙ୍ଗରୋଧ ରେ ରହି ଏହି ଦୁଇଦିନ କାଟିବାକୁ ହେବ । ତେଣୁ ଏ ବର୍ଷର ରଜ ପର୍ବ ଟିକେ ଫିକା ଫିକା ଲାଗିବ ।ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ମଉଜ ମଜଲିସ ନୁହେଁ । ଆଜି ନହଲେ କାଲି ଆମେ ତାକୁ ପାଇପାରିବା । ଏକଥା କୁ ଆମକୁ ଗୁରୁତ୍ୱ ଦେବାକୁ ହେବ ଏମିତି ଏକ ଆତଙ୍କର ପରିବେଶରେ ଆସିଛି ‘ରଜପର୍ବ -୨୦୨୦’ଏହି ପର୍ବଟି ମୁଖ୍ୟତଃ ଝିଅମାନଙ୍କର ପର୍ବ । ତଥାପି ପୁଅମାନେ ମଧ୍ୟ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଆଗେଇ ଆସିଥାନ୍ତି । ତେଣୁ, ଏହି ଗଣପର୍ବ ରଜକୁ ଓଡିଶାବାସୀ ଉକ୍ରଣ୍ଠା ଓ ଆବେଗର ସହ ଅପେକ୍ଷା କରିଥାନ୍ତି ।

ଉକ୍ରଳୀୟ ପରମ୍ପରାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଓଡିଶାର ପର୍ବ ବିଭିନ୍ନ ପରମ୍ପରାର ପ୍ରତିନିଧିତ୍ୱ କରିଥାଏ । ଏପରି ଏକ ପର୍ବ ହେଉଛି ରଜ ଯାହା ମାଟି ସହ ମଣିଷକୁ ଯୋଡିଥାଏ । କାରଣ କନ୍ୟାଟି ରଜୋବତୀ ହେଲେ ଯେପରି ଭାବରେ ବ୍ୟବହାର ପାଇଥାଏ ଠିକ୍ ସେହିପରି ଏହି ରଜପର୍ବରେ ଆମର ଧରଣୀମାତାଙ୍କୁ ସେପରି ବ୍ୟବହାର ଦେଖାଯାଏ । ତେଣୁ ରଜସ୍ୱଳା ନାରୀ ପରି ମାଟି ମା’କୁ ଏହି ସମୟରେ ବିଶ୍ରାମ ଦିଆଯାଏ । ଉଦେ୍ଦଶ୍ୟ ହେଲା, ନାରୀମାନେ ରଜସ୍ୱଳା ପରେ ଯେପରି ସନ୍ତାନ ସୃଷ୍ଟି ପାଇଁ ସକ୍ଷମ ହୋଇଥାନ୍ତି, ଠିକ୍ ସେହିପରି ଆଦ୍ୟ ଆଷାଢର ବାରିପାତରେ ମାତା ବସୁଧା ଫସଲ ଉତ୍ପାଦନ ପାଇଁ ସକ୍ଷମ ହୋଇଥାଏ । ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ, ଆଷାଢ ମାସର ପ୍ରଥମ ଦିନଟି ରଜସଂକ୍ରାନ୍ତି ଓ ତାପର ଦିନକୁ ଭୂଇଁ ନଅଁଣ ବା ଭୂମିଦହନ କୁହାଯାଏ । ଚତୁର୍ଥଦିନ ବସୁମତି ସ୍ନାନ ପାଳନ ପରେ ଏହି ପର୍ବ ଶେଷ ହୁଏ । ରଜପର୍ବରେ ପୋଡପିଠାର ମଜା ନେବାକୁ କେହି ଭୁଲନ୍ତି ନାହିଁ ।

ଘରେ ଘରେ ରଜ ପୋଡପିଠା ପ୍ରସ୍ତୁତ ହୁଏ । ଏଇ ପୋଡପିଠା ବେଶ୍ ରୁଚିକର । ପିଠା ତିଆରି କରାଯାଇ ବନ୍ଧୁବାନ୍ଧବ ଓ ସାଇପଡିଶାଙ୍କୁ ଦିଆଯାଇଥାଏ । ଉକ୍ରଳର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏହି ପୋଡପିଠା ସବୁଦିନେ ଭୋଗ ହେବାର ବିଧି ଅଛି । ସେହିପରି ନୂଆ ବିବାହିତା ଝିଅମାନଙ୍କ ଶାଶୁଘରୁ ରଜଭାର ଆସିଥାଏ । ରଜପର୍ବରେ ରଜପାନ ନଥିଲେ ସବୁକିଛି ମାନ୍ଦାମାନ୍ଦା ଲାଗେ । ମୁଖ୍ୟତଃ ରଜରେ କେହି କୁଣିଆ ଆସିଲେ ନବବଧୂମାନେ ପାନଥାଳି ଧରି ରଜପାନ ଦେବାର ବିଧି ରହିଛି । ସେ ଛୋଟ ଝିଅଟିଏ ହେଉ କି ପରିଣତ ବୟସରେ ଉପନୀତ ହୋଇଥିବା ବୁଢାବୁଢୀ ସମସ୍ତଙ୍କ ପାଟିରେ ରଜପାନ । ତାସଖେଳ ହେଉ କି ଲୁଡୁଖେଳ, ସବୁଠି ରଜପାନର ଆସର । ରଜଦୋଳି ଯେପରି ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ସେହିପରି ପୁଅମାନେ କବାଡି ଖେଳିବା ପରମ୍ପରା କାହିଁ କେତେକାଳରୁ ଚଳିଆସୁଛି । ଗାଁ ପଡିଆରେ କବାଡି ଖେଳ ଦେଖିବା ପାଇଁ ଗ୍ରାମବାସୀ ବେଶ୍ ଭିଡ ଜମାଇଥାନ୍ତି । କବାଡି ପ୍ରତିଯୋଗିତା ଜିତିବା ପାଇଁ ଗାଁ ଗାଁ ମଧ୍ୟରେ କବାଡି ପ୍ରତିଯୋଗିତା ଚାଲେ । ରଜ ସମୟରେ ଏଭଳି ପ୍ରତିଯୋଗିତା ଲୋକଙ୍କ ମଧ୍ୟରେ ଏକତା ସୃଷ୍ଟି କରେ ।

ଆମ ସଂସ୍କୃତି, ପରମ୍ପରା ଓ ଚଳଣିର ନିଚ୍ଛକ ପ୍ରତୀକ ହେଉଛି ରଜପର୍ବ । ପ୍ରକୃତି ସହିତ ଜୀବନକୁ ସରସ ସୁନ୍ଦର କରିବାର ସୁଯୋଗ ଦେଉଥିବା ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୋଳିଖେଳ । ରଜଦୋଳି ସହିତ ରଜଗୀତର ମଜା ନିଆରା । ରଜଦୋଳିରେ ବସିବା ମାତ୍ରେ ପ୍ରତ୍ୟେକ ଓଡିଆ ଝିଅଙ୍କ କଣ୍ଠରୁ ଆପେ ଆପେ ବାହାରି ଆସେ –
“ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ …
ଘେନି ନୂଆ ସଜବାଜ ।”
ରଜଦୋଳିରେ ବସି କୁଆଁରୀମାନଙ୍କ ସୁଲଳିତ କଣ୍ଠରୁ ଭାସି ଆସୁଥିବା ଏହି ଗୀତ ମନେ ପକାଇଦିଏ ରଜମଉଜକୁ । ପାର୍ବର ରାଣୀ ସେ । ଭରିଦିଏ କୁଆଁରୀ ମନରେ ଅଫୁରନ୍ତ ଆନନ୍ଦ । ଦୋଳିର କଟମଟ ଶବ୍ଦରେ ପ୍ରକମ୍ପିତ ହୁଏ ଗାଁତୋଟା । ବିଶେଷକରି ପଟା ଦୋଳିରେ ଦୁଇସାଙ୍ଗ ପେଙ୍ଗାମାରି ଦୋଳିକୁ ଉପରକୁ ଉଠାଇବା ଦୃଶ୍ୟ ବେଶ୍ ଉପଭୋଗ୍ୟ ହୁଏ ।

ରଜ ହେଉଛି ଏକ ଆନନ୍ଦମୟ ପର୍ବ । ଆବାଳବୃଦ୍ଧବନିତା ସମସ୍ତଙ୍କ ମନପ୍ରାଣରେ ଏହା ଉଲ୍ଲାସ ଭରିଦିଏ । ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାରେ ରଜପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରଜପର୍ବ ପୂର୍ବ ଓଡିଶାରେ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ପଶ୍ଚିମ ଓଡିଶାରେ ଏହା ପାଞ୍ଚଦିନ ଧରି ପାଳନ କରାଯାଏ । ତେଣୁ ଏହାକୁ ପଞ୍ଚପର୍ବ ମଧ୍ୟ କୁହାଯାଏ । ଏହି ପର୍ବ ଖାଲି ଓଡିଶାରେ ନୁହେଁ, କେରଳରେ ‘ଓନାମ୍’ ଓ ରାଜସ୍ଥାନରେ ‘ତାଜ୍’ ପର୍ବ ଭାବରେ ପାଳନ କରାଯାଏ । ସେ ଦୃଷ୍ଟିରୁ ରଜପର୍ବକୁ ଏକ ଅବସର ବିନୋଦନ ପର୍ବ କହିଲେ ଭୁଲ୍ ହେବନାହିଁ । କିନ୍ତୁ ଆଧୁନିକତାର ଛାପରେ ଧୀରେଧୀରେ ଏହି ଗଣପର୍ବ ତା’ର ସ୍ମୃତିଚିହ୍ନ ହରେଇବାକୁ ବସିଲାଣି । ବିଜ୍ଞାନର ଅଗ୍ରଗତି ଓ ସଭ୍ୟତାର ବିକାଶ ସାଙ୍ଗକୁ ଅବକ୍ଷୟମୁଖୀ ସଂସ୍କୃତି ଭିତରେ ରଜପର୍ବ ତାର ଚମକ ହରାଉଛି । ବିଦେଶରେ ରହୁଥିବା ଲୋକମାନେ ଏବେ ରଜରେ ଗାଁକୁ ଆସିବାକୁ ଆଗ୍ରହ ଦେଖାଉନାହାଁନ୍ତି । ଟେଲିଭିଜନ, କମ୍ପ୍ୟୁଟର, ମୋବାଇଲ ଯୁଗରେ ଏବଂ କ୍ରିକେଟ୍ ଖେଳର ପ୍ରସାର ଓ ପ୍ରଚାରର ଭିଡ ଭିତରେ ଆଉ ପୂର୍ବଭଳି କବାଡି ଓ ବାଗୁଡି ଖେଳ ଦେଖିବାକୁ ମିଳୁନି । ଆଜିର ଆଧୁନିକ ନାରୀମାନେ ରଜ ସମୟରେ ଚୁଲିରେ କଦଳୀପତ୍ରରେ ପୋଡପିଠା ପ୍ରସ୍ତୁତ କରିବା ଅପେକ୍ଷା ଓଭାନ୍ରେ କାଜୁ କିସମିସ୍ ଦିଆ କେକ୍ କରିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଆଜିର ପାଠୋଇ ଝିଅମାନେ ରଜରେ ଗାଁ ବରଗଛ, ଆମ୍ବଗଛରେ ଦୋଳି ଖେଳିବା ଅପେକ୍ଷା ପାର୍କରେ ଲାଗିଥିବା ଦୋଳିକୁ ଅଧିକ ପସନ୍ଦ କରୁଛନ୍ତି । ଆଉ ରଜଦୋଳି ଗୀତ କଥା ନକହିବା ଭଲ ।

ଏ ବର୍ଷ କରୋନା ଯୋଗୁଁ ରଜ ମଉଜ ଫିକା ଫିକା ଲାଗିପାରେ । କିନ୍ତୁ ଆଗାମୀ ଦିନରେ ଏହି ଗଣପର୍ବକୁ ଧୁମ୍ଧାମରେ ପାଳନ କରିବାର ସୁଯୋଗ ଆସିବ । ଏଥିପାଇଁ ଧର୍ଯ୍ୟ ରଖିବାକୁ ହେବ । ଆମକୁ ମନେରଖିବାକୁ ହେବ ଯେ, ଗୋଟିଏ ଜାତିର ବଡ ପରିଚୟ ହେଉଛି ତାର ସଂସ୍କୃତି ।ଏହା ମଣିଷ ମଣିଷ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭାଇଚାରା ସୃଷ୍ଟି କରିଥାଏ । ରଜପର୍ବ ଆମ ଚଳଣିରେ ଏହିପରି ଏକ ପର୍ବ । କର୍ମ କ୍ଲାନ୍ତ ଜୀବନରେ ଟିକେ ସରସତା ଆଣିବା ଏହି ପର୍ବର ମୁଖ୍ୟା ଉଦେ୍ଦଶ୍ୟ । ଏ ବର୍ଷ ଟିକେ ବ୍ୟତିକ୍ରମ କରୋନା ଯୋଗୁଁ ଆସିଥିଲେ ମଧ୍ୟ ସାମାଜିକ କଟକଣା ଭିତରେ ରହି ନିଜ ଘରେ ପରିବାର ସହ ହସ ଖୁସିରେ ଏହି ତିନିଦିନ କାଟିବାର ସୁଯୋଗକୁ ଆମେ ହାତଛଡା କରିବା ନାହିଁ । ଆମ ପାଇଁ ଏକ ସୁନ୍ଦର ଭବିଷ୍ୟତ ଅପେକ୍ଷା କରିଛି !

Nalco

Leave A Reply