ତିହିଡି ( ଯଦୁମଣି ପାଣିଗ୍ରାହୀ ) : ବିଗତ ୩ ଦିନ ଧରି ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି । ଚାଷ ଜମିରେ ଧାନ ବୁଡି ରହିଥିବା ବେଳେ ଘରଦ୍ୱାର ଭାଙ୍ଗିବାରେ ଲାଗିଛି । ବିଶେଷ କରି ଚାଳ ଛପର ଓ ଛୁପୁଡି ଘର ଭାଙ୍ଗିଥିବାରୁ ବିପନ୍ନମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ଜଣାଯାଇଛି । ତିହିଡି ବ୍ଲକ ଅଚକ ପଞ୍ଚାୟତ ଅଚକ ସେଠୀସାହିରେ କୈଳାସ ସେଠୀଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି । ଲଗାଣ ବର୍ଷାରେ ଗତକାଲି ତାଙ୍କର ଘରର ଛପରରୁ ତଳକୁ ପାଣି ପଡି କାନ୍ଥ ଭାଙ୍ଗି ଯାଇଥିବା ବେଳେ ୫ ପ୍ରାଣୀ କୁଟୁମ୍ବକୁ ନେଇ ବିପନ୍ନ କୈଳାସ ବଡ କଷ୍ଟରେ କାଳାତିପାତ କରୁଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବେଳେ ରୋଷେଇ କରି ଖାଇବାକୁ ମଧ୍ୟ ଜାଗା ନାହିଁ ।
ତହସିଲ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପଲିଥିନ୍ ଯୋଗାଇ ଦିଆଗଲେ ଆପାତତଃ ପରିବାର ନେଇ ରହି ପାରନ୍ତେ ଏବଂ ସହାୟତା ରାଶି ମିଳିଲେ ଚାଳ ଛପରର ମରାମତି କରିପାରନ୍ତେ ବୋଲି କୈଳାସ ଦାବି କରିଛନ୍ତି । ସେହିପରି ଚାନ୍ଦବାଲି ବ୍ଲକ ବାଲିଗାଁ ସାହୁସାହିରେ ଘଟିଛି ଅଘଟଣ । କଚ୍ଚା ଚାଳ ଛପର ଘରର କାନ୍ଥ ଭାଙ୍ଗି ଯାଇଥିବାରୁ ଦିଲ୍ଲୀପ ସାହୁଙ୍କ ପରିବାରର ଜଣେ ବୃଦ୍ଧା ଓ ଜଣେ ନାବାଳକ ଆହତ ହୋଇଥିବା ସୂଚନା ମିଳିଛି । ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଖବର ପାଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।