ରଥଯାତ୍ରା ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିରଖେ – ଧର୍ମେନ୍ଦ୍ର ପ୍ରଧାନ
• ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିବା ମୋର ସୌଭାଗ୍ୟ • ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ସାନ୍ନିଧ୍ୟ ଲାଭ କଲେ
ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ଗୌରବମୟ ଦିନ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିବାର ଏକ ଅନନ୍ୟ ଗଣପର୍ବ ହେଉଛି ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ରକ୍ଷାକର୍ତ୍ତା ଏବଂ ତାଙ୍କର ମହିମା ଅପାର । ଆଜି ପବିତ୍ର ବଡ଼ଦାଣ୍ଡରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।
ଏହା ପୂର୍ବରୁ ଶ୍ରୀ ପ୍ରଧାନ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିଥିଲେ । ସେଠାରେ ସେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ କରି ତାଙ୍କର ସାନ୍ନିଧ୍ୟ ଲାଭ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ପୁରୀ ଗୋବର୍ଦ୍ଧନ ପୀଠ ହେଉଛି ଆମ ଶ୍ରଦ୍ଧା ଓ ବିଶ୍ୱାସର ଏକ ପ୍ରମୁଖ କେନ୍ଦ୍ର । ପୂଜ୍ୟ ମହାରାଜାଙ୍କ ଅମୂଲ୍ୟ ଜ୍ଞାନ ଓ ମାର୍ଗଦର୍ଶନ ସଦାସର୍ବଦା ମାନବ ସମାଜକୁ ପ୍ରେରିତ ଓ ଆଲୋକିତ କରୁ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
