Odisha news

ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗରେ ଆଉ ଦୁଇପାଦ ଆଗକୁ ଯାଇଛି ପୂର୍ବ ତଟ ରେଳପଥ : ରେଳ ଧାରଣାକୁ ଦୁର୍ଘଟଣା ମୁକ୍ତ ପାଇଁ ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ରେ ବ୍ୟବହାର କରାଯାଉଛି ଡାଟା ଲଗର୍

0

ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗରେ ଆଉ ଦୁଇପାଦ ଆଗକୁ ଯାଇଛି ପୂର୍ବ ତଟ ରେଳପଥ । ଦୁର୍ଘଟଣା ଏଡ଼ାଇବା ପାଇଁ ରେଳ ଷ୍ଟେସନ୍ରେ ଦୁଇ ପ୍ରକାର ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ ବ୍ୟବହାର ହେଉଥିବା ବେଳେ ଟ୍ରେନ୍ ପରିଚାଳନାରେ ନିୟୋଜିତ ରେଳ ଅଧିକାରୀମାନଙ୍କ ବାର୍ତ୍ତାଳାପ ରେକର୍ଡ଼ ପାଇଁ ଡିଜିଟାଲ୍ ଭଏସ୍ ଲଗର୍ ଟେକ୍ନୋଲୋଜୀ ବ୍ୟବହାର କରାଯାଉଛି । ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ ହେଉଛି ଟ୍ରେନ୍କୁ ସୁପରିଚାଳନା କରିବାର ଏକ ସୁରକ୍ଷା ଉପକରଣ ଏବଂ ଏହା ସମସ୍ତ ରେଳ ଷ୍ଟେସନ୍ରେ ଖଞ୍ଜା ଯାଇଥାଏ ।

ଦୁଇଟି ଲାଇନ୍ ଥିବା ରେଳ ଧାରଣାରେ ଡବଲ୍ ଲାଇନ୍ ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ (ଡିଏଲ୍ବିଆଇ) ଏବଂ ଗୋଟିଏ ରେଳ ଧାରଣା ଥିବା ଲାଇନ୍ରେ ଟୋକନ୍ଲେସ୍ ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ (ଟିଏଲ୍ବିଆଇ) ଉପକରଣ ଖଞ୍ଜା ଯାଇଛି । ଏହି ଉପକରଣ ଯୋଗୁଁ ରେଳ ଧାରଣାରେ ଗୋଟିଏ ଟ୍ରେନ୍ ସୁରକ୍ଷିତ ସ୍ଥାନରେ ନପହଞ୍ଜିବା ପର୍ଯ୍ୟନ୍ତ ଅନ୍ୟ ଟ୍ରେନ୍କୁ ସେହି ଲାଇନ୍ରେ ଯିବାକୁ ଦେଇନଥାଏ । ଏହି ଉପକରଣକୁ ଅଯଥା ଏବଂ ବେଆଇନ୍ ହସ୍ତକ୍ଷେପରୁ ରକ୍ଷା କରିବା ପାଇଁ ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ ରେ ଡବଲ୍ ଲକ୍ ବ୍ୟବସ୍ଥା କରାଯାଇଛି । ବ୍ଲକ୍ ଇନ୍ଷ୍ଟ୍ରୁମେଣ୍ଟ୍ରେ ଦୁଇଟି ଲକ୍ର ବ୍ୟବସ୍ଥା କରାଯାଇ ଟ୍ରେନ୍ରେ ଅପରେଟିଂ ବିଭାଗ ପାଖରେ ଗୋଟିଏ ଲକ୍ ରହୁଥିବା ବେଳେ ଅନ୍ୟଟି ସିଗ୍ନାଲ୍ ବ୍ୟବସ୍ଥା ଦେଖାଶୁଣା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ହାତରେ ରହିଥାଏ ।

ଯଦି ଉପକରଣ ବିଫଳ ହୁଏ ଅଥବା ମରାମତି ଆବଶ୍ୟକ ପଡ଼େ, ସେହି ସମୟରେ ଉଭୟ ଚାବିର ବ୍ୟବହାର ଜରୁରୀ ହୋଇଥାଏ । ଏହାର ଆଉ ଏକ ବିଶେଷତ୍ୱ ହେଉଛି ବ୍ଲକ୍ର ଉପର କଭର୍କୁ କେହି କାଢ଼ିଲେ, ଡାଟା ଲଗର୍ ସହାୟତାରେ ତୁରନ୍ତ ଏକ ଏସ୍.ଏମ୍.ଏସ୍. ଯାଇ ପହଞ୍ଚôଯାଏ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ । ଫଳରେ ତୁରନ୍ତ ବେଆଇନ୍ କାର୍ଯ୍ୟ ବିଷୟରେ ଜଣାପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଅପରପକ୍ଷରେ ପୂର୍ବ ତଟ ରେଳପଥରେ ଭଏସ୍ ଲଗର୍ର ବ୍ୟବହାର କରାଯାଉଛି । ଏହି ଜ୍ଞାନକୌଶଳର ବିଶେଷତ୍ୱ ହେଲା ଯେ ଏହା ଦ୍ୱାରା ଟ୍ରେନ୍ ପରିଚାଳନା ସମ୍ପର୍କିତ କଥାବାର୍ତ୍ତାକୁ ରେକର୍ଡ଼ କରିଥାଏ ।

ଏହାକୁ ରେଳବାଇର ବ୍ଲାକ୍ ବକ୍ସ ବୋଲି କୁହାଯାଇପାରିବ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ରେ ଏହି କୌଶଳ ବ୍ୟବହାର କରାଯାଉଛି । ଟ୍ରେନ୍ ପରିଚାଳନା ସମ୍ପର୍କରେ ଷ୍ଟେସନ୍ ମାଷ୍ଟର୍ ଓ ଷ୍ଟେସନ୍ ନିୟନ୍ତ୍ରକ ମଧ୍ୟରେ ବାର୍ତ୍ତାଳାପକୁ ରେକର୍ଡ଼ କରି ରଖିଥାଏ । ଏଥିସହ ଏଥିରେ ଟ୍ରେନ୍ ଚଳାଚଳ ପାଇଁ ବ୍ୟବହୃତ ବୈଦୁ୍ୟତିକ ଲାଇନ୍ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବାର୍ତ୍ତାଳାପ ରେକର୍ଡ଼ କରାଯାଇପାରିବ । ଫଳରେ ଯଦି କୌଣସି ଦୁର୍ଘଟଣା ଘଟେ ତା’ହେଲେ ତଦନ୍ତ ସମୟରେ ବାର୍ତ୍ତାଳାପର ରେକର୍ଡ଼ିଂକୁ ବ୍ୟବହାର କରାଯାଇପାରିବ ଓ ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ଜଣାପଡ଼ିବାରେ ସହାୟତା କରିବ ।

Leave A Reply