ରଘୁନାଥପୁର୧୩/୧୨ : ଆଜି ଅପରାହ୍ନରେ ରଘୁନାଥପୁର ଗୋପାଳପୁରଠାରେ ଏକ କାର ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ମୃତୁ ବରଣ କରିବା ସହ କାର ଏବଂ ବାଇକ ଦୁଇଟି ଯାକ ସଂପୂର୍ଣ୍ଣ ଭାବେ ଜଳି ଯାଇଥିବା ଜଣାଯାଇଛି ।
ଘଟଣାରୁ ପ୍ରକାଶ, ଆଜି ଅପରାହ୍ନ ୨.୩୦ ମିନିଟ୍ ସମୟରେ ତିର୍ତୋଲ ଥାନା ଅଂଚଳର କ୍ରିଷ୍ଣାନନ୍ଦପୁର ଗ୍ରାମର ଜନୈକ ବ୍ୟକ୍ତି କରାମତ ଅଲ୍ଲୀ (୫୮)ନିଜର ମୋଟର ସାଇକେଲରେ ରଘୁନାଥପୁର ଆସୁଥିଲା ବେଳେ ରଘୁନାଥପୁର ବଜାର ନିକଟସ୍ଥ ଗୋପାଳପୁରଠାରେ ସାମନା ପଟୁ କ୍ଷିପ୍ର ବେଗରେ କଟକରୁ ଆସୁଥିବା ଓଡି-୦୫-ଏକ୍ୱି-୦୫୪୯ ନମ୍ବର ବାହୀ ମାରୁତି ସ୍ୱିପ୍ଟ କାର ଧକ୍କା ଦେଇଥିଲା ।ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ କରାମତଙ୍କର କଂକ୍ରିଟ ରାସ୍ତାରେ ମୁଣ୍ଡ ମାଡ ହୋଇ ମୃତୁ ହୋଇଥିଲା ଏବଂ କାରର ତିବ୍ର ଗତି ଯୋଗୁଁ ବାଇକଟି କାର ସହିତ ଲାଗି ଯାଇ କଂକ୍ରିଟ ରାସ୍ତାରେ ବହୁତ ବାଟ ଘୁଷୁରି ଯାଇଥିଲା ।ଏଥି ଯୋଗୁଁ ବାଇକ ଓ କାରରେ ନିଆଁ ଲାଗି ମଝି ରାସ୍ତାରେ ଦୁଇଟି ଯାକ ଗାଡି ଜଳି ଯାଇଥିଲା । ଖବର ପାଇ ରଘୁନାଥପୁର ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବା ବେଳେ କାର ଚାଳକ ଘଟଣା ସ୍ଥଳରୁ ଚଂପଟ ମାରିଥିବା ଜଣା ଯାଇଛି ।ଏ ବାବଦରେ ରଘୁନାଥପୁର ପୋଲିସ ଦୁଇଟି ଯାକ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।