Odisha news

ପୁରୀବାସୀଙ୍କ ଜଗାଦର୍ଶନର ଚତୁର୍ଥ ଦିବସ

0

ପୁରୀ,୨୯ା୧୨ :୯ମାସ ପ୍ରତିକ୍ଷାର ଅନ୍ତପରେ ପୁରୀସହରବାସୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରୁଛନ୍ତି । ଆଜି ଭୋରସାଢେ୪ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ଭିତର ଶୋଧ,ମଙ୍ଗଳ ଆଳତୀ, ମଇଲମ୍, ତଡ଼ପଲାଗି ଅବକାଶ,ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ଓ ଗୋପାଳବଲ୍ଲଭ ଆଦି ନୀତି ପରେ ସକାଳ ୭ଟା ୫୦ ସୁଦ୍ଧା ପହିଲିଭୋଗ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଚତୁର୍ଥ ଦିବସଲାଗି ଆରମ୍ଭ ହୋଇଥିଲା ସହରବାସୀଙ୍କ ବହୁ ପ୍ରତିକ୍ଷିତ ଜଗା ଦର୍ଶନ । ୧୪,୩୨,୩୦,୨୨,୨୬ ଓ ୧ନମ୍ବର ୱାର୍ଡ଼ର ଅଧିବାସୀମାନେ ପର୍ଯ୍ୟାୟକ୍ରମେ ମାର୍କେଟ ଛକଠାରୁ ନିର୍ମିତ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ ।

ଜଗନ୍ନାଥ ବଲ୍ଲଭ ନିକଟରେ ଖୋଲାଯାଇଥିବା କାଉଣ୍ଟର ନିକଟରୁ ଚିରୁକୁଟି ସଂଗ୍ରହକରି ବ୍ୟାରିକେଡ଼ ନିକଟରେ ନିଜ ନିଜର ଆଧାରକାର୍ଡ଼ ଦେଖାଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାରଦେଇ ଶ୍ରୀମନ୍ଦିରକୁ ଯାଇଥିଲେ । ପୂର୍ବ ନିର୍ଦ୍ଧାରିତ କଟକଣା ଅନୁଯାୟୀ ସାନିଟାଇଜ୍ରେ ହାତଧୋଇବାପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସିଂହଦ୍ୱାର ନିକଟରେ କିଓସ୍କରେ ଫଟୋ ଉଠଇବା ସହିତ ସେମାନଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯାଇଥିଲା । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିବା ପରେ ଦର୍ଶନାର୍ଥୀମାନେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଶ୍ରୀଜିଉମାନଙ୍କ ଦର୍ଶନ ପ୍ରକି୍ରୟାକୁ ସୂଚାରୁ ରୂପେ ସମ୍ପାଦିତ କରିବା ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୂଚନାଯୋଗ୍ୟଯେ, ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କଲାଗି ଏହି ଦର୍ଶନ ବ୍ୟବସ୍ଥା ଜାରି ରହିବ ।

Leave A Reply