Odisha news

ସୁରକ୍ଷିତ ରହି ପ୍ରଶାସନକୁ ସହଯୋଗ କର: କେନ୍ଦ୍ରମନ୍ତ୍ରୀ କିରଣ ରିଜଭୁ

0

ପୁରୀ : ଆଗାମୀ ଦିନରେ ସ୍ୱେଚ୍ଛାସେବୀମାନେ ଶୃଙ୍ଖଳିତ ରହି ନିଜକୁ ସୁରକ୍ଷିତ ରଖିବା ସହ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବାକୁ  କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜଭୁ ପରାମର୍ଶ ଦେଇଛନ୍ତି ।

ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ସେବା ଯୋଜନାର ଏକ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶର ୨୯ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗ ଦେଇଥିବା ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ପରାମର୍ଶ ଦେଇଛନ୍ତି । ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଏନଏସଏସ ସ୍ୱେଚ୍ଛାସେବୀ ସତ୍ୟ ନାରାୟଣ ସାହୁ ଯୋଗ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ରୂପେ ଯୋଗ ଦେଇଥିଲେ ।

ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିନିଧିମାନେ କରୋନା ମହାମାରୀ ସଂକ୍ରମଣ ସମୟରେ କିଭଳି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ପ୍ରଶାସନ ସହ ମିଶି କରୋନା ମହାମାରୀର ସଫଳ ମୁକାବିଲା ପୂର୍ବକ ଜିଲ୍ଲା ନିୟନ୍ତ୍ରଣ କକ୍ଷ ପରିଚାଳନା, ରାଜ୍ୟକୁ ଆସୁଥିବା ପ୍ରବାସୀମାନଙ୍କୁ ସଂଗରୋଧ କେନ୍ଦ୍ରରେ ପହଞ୍ଚାଇବା, ଫେସବୁକ, ହ୍ୱାଟ୍ସଆପ ଓ ଆରୋଗ୍ୟ ସେତୁ ଭଳି ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ ତଥା ଲକଡାଉନ ନିୟମାବଳୀ ବିଷୟରେ ଅବଗତ କରାଉଥିବା ସମ୍ପର୍କରେ ବିସ୍ତୃତ ସୂଚନା ଉପସ୍ଥାପନା କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ରିଜଭୁ ସମସ୍ତ ରାଜ୍ୟର ସ୍ୱେଚ୍ଛାସେବୀମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply