ପୁରୀ: ଯାତ୍ରୀଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବସଷ୍ଟାଣ୍ଡରେ ବୁଧବାର ସକାଳେ ଏକ ସୂଚନା କେନ୍ଦ୍ର ଖୋଲିଛି। ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟିତ କରିଛନ୍ତି। ଯାହା ଫଳରେ ଏଣିକି ପୁରୀ ବସଷ୍ଟାଣ୍ଡରେ ଯାତ୍ରୀମାନେ ଆଉ ଠକାମୀର ଶିକାର ହେବେ ନାହଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ବିଧି ବଧ ଭାବେ ଯାତ୍ରୀ ସୂଚନା କେନ୍ଦ୍ର ଖୋଲାଯାଇଥିବା ବେଳେ ଏହି ସୂଚନା କେନ୍ଦ୍ର ମାଧ୍ୟମରେ ଯାତ୍ରୀଙ୍କର ବିଭିନ୍ନ ଅଭିଯୋଗ ଗ୍ରହଣ କରାଯିବା ସହ ନିର୍ଦ୍ଧାରିତ ବସ୍ ଭଡା ନେଇ ଯାତ୍ରୀଙ୍କୁ ସୂଚନା ଦିଆଯିବ। ଏଥି ସହିତ ବଡ ବଡ ଏଲଇଡି ସ୍କ୍ରିନ ସାହାଯ୍ୟରେ ବିଭିନ୍ନ ବସର ଧାର୍ଯ୍ୟ ବସ୍ ଭଡା ସମେତ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ। ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବସଷ୍ଟାଣ୍ଡରେ ଏହି ଯାତ୍ରୀ ସୂଚନା କେନ୍ଦ୍ର ଖୋଲାଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି କେନ୍ଦ୍ରକୁ ଉଦଘାଟନ କରିବା ସହ ଯାତ୍ରୀମାନଙ୍କୁ କିଭଳି ଭଲ ସେବା ଯୋଗାଇ ଦିଆଯିବ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ ନେଇ ବ୍ୟବସ୍ଥା ଦିଗରେ ଗୁରୁତ୍ବ ଦେଇଛନ୍ତି। ସଡକ ସୁରକ୍ଷା ସଚେତନତା ସହ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୂଚନା ଓ ବିଭିନ୍ନ ରୁଟ୍ ଦେଇ ଯାତ୍ରା କରୁଥିବା ବସ ମାନଙ୍କର ସମୟ ବିବରଣୀ ଭଳି ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ବସ ଯୋଗେ ପୁରୀକୁ ପ୍ରତିଦିନ ଆସୁଥିବା ବେଳେ ବସ ଭଡା ନେଇ ଅନେକ ସମୟରେ ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ବସ୍ ଗୁଡିକରେ ଧାର୍ଯ୍ୟ ଦର ତାଲିକା ନଥିବା, ବସଷ୍ଟାଣ୍ଡରେ ମଧ୍ୟ କୈାଣସି ସୂଚନା ବ୍ୟବସ୍ଥା ନଥିବା ଯୋଗୁଁ କିଛି ଅସାଧୁ ବସ୍ ମାଲିକ ଓ କର୍ମଚାରୀ ଯାତ୍ରୀଙ୍କୁ ଆର୍ଥିକ ଶୋଷଣ କରୁଥିବା ପୂର୍ବରୁ ଅନେକ ନଜିର ରହିଛି। ସେହିପରି ପୁରୀ ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀର ସଠିକ୍ ସୂଚନା ନମିଳିବା ଏବଂ କେଉଁ ରୁଟରେ କେଉଁ ବସ କେଉଁ ସମୟରେ ଯାଉଛି ସେନେଇ ମଧ୍ୟ ସୂଚନା ନଥିବାରୁ ଯାତ୍ରୀମାନେ ପ୍ରତିଦିନ ଅନେକ ସମସ୍ୟା ଭୋଗୁଥିଲେ। ତେବେ ଏହି ଅଭିଯୋଗ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ପରିସରରେ ଯାତ୍ରୀ ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଥିବାରୁ ଯାତ୍ରୀମାନେ ପ୍ରଶାସନ ଏଭଳି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି।
