ଦୁର୍ଗାପୂଜା ପାଇଁ ବାଲେଶ୍ୱର ଚଳଚଞ୍ଚଳ: ସହରରେ ୭୨ଟି ପୂଜା ମଣ୍ଡପ , ବ୍ଲକ କଲୋନୀ ଦୁର୍ଗାପୂଜାରେ ଆକର୍ଷଣ ସାଜିବ ରାଷ୍ଟ୍ରପତି ଭବନ ତୋରଣ
ବାଲେଶ୍ୱର-୨୮/୦୯ : ଆଉ ମାତ୍ର ୨ଦିନପରେ ବିଭିନ୍ନ ପୂଜାମଣ୍ଡପରେ ପୂଜାପାଇବେ ଜଗତ୍ଜନନୀ ମା ଦୁର୍ଗା । ୨ବର୍ଷ ଧରି କରୋନା କଟକଣା ଯୋଗୁଁ ଲୋକେ ଦୁର୍ଗାପୂଜାକୁ ଠିକ୍ଭାବେ ପାଳନ କରିପାରି ନଥିଲେ । ତେବେ ଚଳିତବର୍ଷ କୋଭିଡ୍ କଟକଣା ହଟାଯାଇଥିବାରୁ ଦୁର୍ଗାପୂଜାକୁ ନେଇ ଏଥର ଲୋକମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି ହୋଇଛି । ମୂର୍ତ୍ତିକାରମାନେ ଦିନରାତି ଏକକରି ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ମୃଣ୍ମୟ ପ୍ରତିମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି । ଚଳିତବର୍ଷ ସହରରେ ମୋଟ ୭୨ଟି ମଣ୍ଡପରେ ମାଙ୍କର ପୂଜା ଅନୁଷ୍ଠିତ ହେବ । ଟାଉନ ଥାନା ଅଧିନରେ ୩୧ଟି ,ସହଦେବଖୁଂଟା ଥାନା ଅଧିନରେ ୩୧ଟି,ଶିଳ୍ପାଞ୍ଚଳ ଥାନା ଅଧିନରେ ୬ଟି,ସଦରଥାନା ଅଧିନରେ ୩ଟି ପୂଜା ମଣ୍ଡପ ରହିଥିବା ବେଳେ ୬ଟି ଘରୁଆ ମେଢ ରହିଛି । ଚଳିତବର୍ଷ ଅଙ୍ଗାରଗଡ଼ିଆ ବ୍ଲକ କଲୋନୀ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ରଜତ ଜୟନ୍ତୀ ପାଳନ କରାଯାଉଛି । ୧୯୯୭ ମସିହାରୁ ବ୍ଲକ କଲୋନୀରେ ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଏହି ମଣ୍ଡପରେ ଆକର୍ଷଣ ସାଜିବ ରାଷ୍ଟ୍ରପତି ଭବନ ତୋରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କୁ ସମ୍ମାନ ଜଣାଇବା ପାଇଁ ରାଷ୍ଟ୍ରପତି ଭବନର ତୋରଣ କରାଯାଇଛି । ନାରୀ ଶକ୍ତିର ପ୍ରତୀକ ସମ୍ମାନାର୍ଥେ ଏହି ତୋରଣ କରାଯାଇଥିବା କମିଟି ସଦସ୍ୟ ମାନେ କହିଛନ୍ତି । ମାଙ୍କ ମୂର୍ତ୍ତିର ଉଚ୍ଚତା ୧୨ଫୁଟ କରାଯାଇଥିବା ବେଳେ ମଣ୍ଡପର ଉଚ୍ଚତା ୬୨ଫୁଟ କରାଯାଉଛି । ଏହାଛଡ଼ା ଚିରାଚରିତ ପ୍ରତିମା ସହ ମାଙ୍କର ୧୦ ମହାବିଦ୍ୟା ଅବତାର ମୂର୍ତ୍ତି କରାଯାଇଛି । ସପ୍ତମୀ, ଅଷ୍ଟମୀ, ନବମୀ ତିଥିରେ ବିଭିନ୍ନ ପ୍ରତିଯୋଗୀତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସପ୍ତମୀରେ କିଛି ପାରମ୍ପରିକ ନାଚ ସହ ଛୋଟ ପିଲାଙ୍କ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସାରେ ଗାମା ପାର ଗାୟକଙ୍କ ମୁ୍ୟଜିକାଲ ନାଇଟ୍ ରହିବ, ମେଜିକ୍ ସୋ ମଧ୍ୟ ହେବ ଏହି ରଜତ ଜୟନ୍ତୀ ଉତ୍ସବରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା,ବିଧାୟକ ସ୍ୱରୂପ କୁମାର ଦାସ, ପୌରପାଳ ସବିତା ସାହୁ, ଶିଳ୍ପପତି ସଂଗ୍ରାମ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପୂଜା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ, ଉପଧ୍ୟକ୍ଷ ଦେବାଶିଷ ଚକ୍ରବର୍ତ୍ତୀ ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମୀନାରାୟଣ ମହାନ୍ତି ଅନ୍ୟତମ ଉପଦେଷ୍ଟା ସଦାନନ୍ଦ ମହାନ୍ତି,ସଭାପତି ଅୟନ ସେନ,ଉପସଭାପତି ନବ କୁମାର ପଟ୍ଟନାୟକ,ସମ୍ପାଦକ ଶରତ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ସୁଜିତ ସେନ୍, ମାୟାଧର ବିଶ୍ୱାଳ ପ୍ରମୁଖ ଏବାବଦରେ ସୂଚନା ଦେଇଛନ୍ତି । ଏହି ଅବସରରେ ଦୁର୍ଗାପୂଜାର ରଜତ ଜୟନ୍ତୀ ସ୍ମରଣୀକା ଉନ୍ମୋଚିତ ହେବ ।
