ପୁରୀ: ରବିବାର ସଂଧ୍ୟାରେ ବୟନିକା ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟରେ ବୁଣାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ଏକ ସ୍ଵତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ ହୋଇଛି। ମୂଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନାର ଆର୍ଥିକ ସହାୟତାରେ ଏହି ମେଳା ଆୟାଜିତ ହୋଇଛି।
ଏହି ମେଳା ଆଜି ଠାରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ପ୍ରତେହ ଦିନ ସକାଳ ୯ ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ମୋଟ ୬୦ ଗୋଟି ହସ୍ତତନ୍ତ ସମନ୍ଧିୟ ଷ୍ଟଲ ଖୋଲା ଯାଇଛି। ଏହି ମେଳାରେ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲାରୁ ୪୦ ଜଣ ବୁଣାକାର ଯୋଗ ଦେଇ ଥିବା ବେଳେ ରାଜ୍ୟ ବାହାରୁ ୨୦ ଜଣ ବୁଣାକାର ଯୋଗ ଦେଇ ଛନ୍ତି। ହସ୍ତତନ୍ତ ଶିଳ୍ପ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ୀ, ନୁଆ ପାଟଣା ଖଣ୍ଡୁଆ ଶାଢ଼ୀ, ସୋନପୁରୀ ବମକେଇ ଶାଢ଼ୀ, କୋଟପାଡ ଶାଢ଼ୀ, ଯାଜପୁର ଅନ୍ତର୍ଗତ ଗୋପାଳପୁରର ଟସର ବସ୍ତ୍ରର ବିକ୍ରି ଏବଂ ଏହାର ବହୁଳ ପ୍ରଚାର, ପ୍ରସାର ତଥା ବୁଣାକାର ମାନଙ୍କର ଆର୍ଥିକ ଉନ୍ନତି ନିମନ୍ତେ ଏହି ମେଳା ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଳାରେ ଭାଗ ନେଇ ଥିବା ବୁଣାକାର ମାନଙ୍କୁ ମାଗଣାରେ ଷ୍ଟଲ ଯୋଗାଇ ଦିଆ ଯିବା ସହ ସେମାନଙ୍କର ଯିବା ଆସିବା କରିବାପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।
ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ ବିଭାଗ, କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପ୍ରଶାସକ , ବୟନିକା ସୁଶାନ୍ତ କୁମାର ଦାସ, ନିର୍ଦ୍ଦେଶକ ବୟନଶିଳ୍ପ ଶ୍ୟାମ ଭକ୍ତ ମିଶ୍ର, ଏସଏସଜି ପରିଚାଳନା ନିର୍ଦ୍ଦେଶକ ବୟନିକା ଓ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
