Odisha news

ଦୁର୍ଦ୍ଦାନ୍ତ ଅପରାଧୀ ଶଶି ଓରଫ ଶଶାଙ୍କ ଶେଖର ନାୟକ ଏନ୍ଏସଏ ବଳରେ ଅଟକ

0
ପୁରୀ: ସହରରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରିବା, ସର୍ବସାଧାରଣ ସ୍ଥାନରେ ଆତଙ୍କ ସୃଷ୍ଟି କରିବା, ସାଧାରଣ ଲୋକଙ୍କୁ ଭୟଭିତ କରିବା ଆଦି ଅଭିଯୋଗରେ ପୁରୀ ପୋଲିସ
  ସହରର ଦୁର୍ଦ୍ଦାନ୍ତ ଅପରାଧୀ ଶଶୀ ଓରଫ ଶଶାଙ୍କ ଶେଖର ନାୟକକୁ ପୋଲିସ ଆଜି ଜାତୀୟ ନିରାପତ୍ତା ଆଇନ (ଏନଏସଏ ) ବଳରେ ଅଟକ ରଖିଛି। ଶଶୀ ବର୍ତ୍ତମାନ ଗିରଫ ହୋଇ ପୁରୀ ଜେଲରେ ଅଛି।
ଜିଲ୍ଲା ମାଜିଷ୍ଟ୍ରେଟ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଶଶୀ ବିରୋଧରେ ଏହି ଏନ୍ଏସଏ ଆଇନ ଲଗାଇଛି । ଅଭିଯୁକ୍ତ ଶଶାଙ୍କ ନାମରେ ସହର ସମେତ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ରାହାଜାନୀ,  ଦାଦାବଟି ଆଦାୟ, ଡକାୟତି ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି। ସେ ଜଣେ ପେଶାଦାର କୁଖ୍ୟାତ ଅପରାଧୀ ଅଟେ।
ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇ ଥିବା ଏକ ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ଶଶୀ ଜଣେ ହାର୍ଡକୋର ଅପରାଧି ଅଟେ। ତାର ଘର ପୁରୀ ଟାଉନ ଥାନା ଅନ୍ତର୍ଗତ ପଥୁରିଆ ସାହି ଅଟେ ।  ତାର ନାମରେ ସହର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି।
ଧାର୍ମିକ ସହର ତଥା ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ଅପରାଧ ମୁକ୍ତ କରିବା ଓ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ “କ୍ରାଇମ ଫ୍ରି ସିଟି” ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନୁଯାୟୀ ସହରର ବଛା ବଛା ଅପରାଧିଙ୍କୁ ଗିରଫ କରା ଯାଇ ଜେଲକୁ ପଠାଇ ଦିଆଯାଇଛି। ଗତ କିଛି ଦିନ ପୋଲିସ ସଦର ଥାନା ଅନ୍ତର୍ଗତ ବିଲ କାଙ୍କୁଡା ଗ୍ରାମର ବଟକୃଷ୍ଣ ସ୍ୱାଇଁ ନାମକ ଜଣେ କୁଖ୍ୟାତ ଅପରାଧୀକୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖିଛି। ସେ ବର୍ତ୍ତମାନ ପୁରୀ ଜେଲରେ ଅଛି। ଏହା ପୁରୀ ପୋଲିସର ଦ୍ୱିତୀୟ ଏନଏସଏ କାର୍ଯ୍ୟାନୁଷ୍ଠାନ।
ସେହିପରି ସହରର ବିଭିନ୍ନ ଥାନା ପକ୍ଷରୁ ୫୫ ଜଣ ପେଶାଦାର ଅପରାଧୀଙ୍କ ବିରୋଧରେ ସିଆରପିସିର ୧୧୦ ଧାରା  ଅନୁଯାଇ ମୋକଦ୍ଦମା ରୁଜ୍ଜୁ କରାଯାଇଛି। ଆଗକୁ ଏହି ଅପରାଧ ଦମନ ଅଭିଯାନକୁ ଅଧିକ ଜୋର୍ ଦାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Ad2
Leave A Reply