ପୁରୀ : ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଆଜି ସକାଳ ୮ଟା ଠାରୁ ସନ୍ଧ୍ୟା ୫ଟା ମଧ୍ୟରେ ଜିଲ୍ଲାରେ ହାରାହାରି୧୩୯.୯୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଆସନ୍ନ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରମାନଙ୍କୁ ହେଡ଼କ୍ୱାଟରରେ ଉପସ୍ଥିତ ରହି ପରିସ୍ଥିତ ପ୍ରତି ସଜାଗ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାକଟପୁର ବ୍ଳକ ଅଞ୍ଚଳରେ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ସର୍ବାଧିକ ୩୦୯.୫ମିଲିଲିଟର ଓ ବ୍ରହ୍ମଗିରିରେ ସର୍ବନିମ୍ନ ୪୦ ମିଲିଲିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ସେହିପରି ଗୋପରେ ୨୫୬ମିଲିଲିଟର,ସତ୍ୟବାଦୀରେ ୨୨୦,ପୁରୀ ସଦରରରେ ୧୦୨,ପିପିଲିରେ ୮୫,ନିମାପଡ଼ାରେ ୧୪୦,କୃଷ୍ଣ ପ୍ରସାଦରେ ୪୨.୨,କଣାସରେ ୧୨୬,ଡ଼େଲାଙ୍ଗରେ ୧୨୪ ଓ ଅସ୍ତରଙ୍ଗରେ୯୫ ମିଲିଲିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ବର୍ଷା ଲାଗି ରହିଥିବାରୁ ଅନେକ ସହର ତଳି ଅଞ୍ଚଳ ଜଳମଗ୍ନ ହେବା ସ୍ପଷ୍ଟ ହୋଇଛି ।
ଲଗାଣ ବର୍ଷା ଯୋଗୁ ପୁରୀସହର ଜଳାର୍ଣ୍ଣବ ହୋଇଛି । ରାସ୍ତାରେ ବର୍ଷାପାଣି ସହ ନର୍ଦ୍ଦମା ପାଣିର ସୁଅ ଛୁଟିଛି । ସହରରୁ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନାଳ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କାମରେ ଆସୁନାହିଁ । ବର୍ଷାହେଲେ ସହରର ଅନେକ ଅଞ୍ଚଳ ପାଣିରେ ଉବୁଟୁବୁ ହୋଇ ପଡ଼ୁଛି । ସହରର ବିଭିନ୍ନ ସାହି ବସ୍ତିରେ ଖୋଲାନାଳର ପାଣି ଉଚ୍ଛୁଳି ଉଠି ରାସ୍ତାକୁ ବୁଡାଇ ଦେଉଛି । ପ୍ରସିଦ୍ଧ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନ ସହରର ସ୍ୱାଭାବିକ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଛି । ଦୀର୍ଘଦୀନର ଏହି ସମସ୍ୟା ଅଦ୍ୟାବଧି ସମାଧାନ ହୋଇପାରି ନଥିବାରୁ ସହରବାସୀ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବର୍ଷାଋତୁରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସହରର ମୁଖ୍ୟରାସ୍ତା ବଡଦାଣ୍ଡଠାରୁ ଆରମ୍ଭ କରି ପର୍ଯ୍ୟଟକ ବହୁଳ ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହେଉଛି ।
ରାସ୍ତାରୁ ପାଣି ଖଲାସ ହେବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ । ସ୍ୱେରେଜ ପାଇପ୍ ଲାଇନ୍ ଓ ଖୋଲାନାଳର ପାଣି ଉଚ୍ଛୁଳି ରାସ୍ତାକୁ ବୁଡାଇ ଦେଉଥିବାରୁ ବର୍ଷାପରେ ରାସ୍ତାସବୁରେ ପଙ୍କର ଆସ୍ତରଣ ଜମୁଛି । ଆଜିର ବର୍ଷାରେ ବଡଦାଣ୍ଡ ଓ ସମୁଦ୍ର୍ରକୂଳ ସମେତ ସହରର ବିଭିନ୍ନ ଅଞ୍ଚଳ ଓ ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା । ବଡଦାଣ୍ଡର ବଡଡାକ୍ତରଖାନା ଛକ, ବଡଶଙ୍ଖ, ବଳଗଣ୍ଡି ଓ ମାର୍କେଟଛକ ଆଦି ଅଞ୍ଚଳରେ ରାସ୍ତାରେ ଜମି ରହିଥିଲା ଆଣ୍ଠୁଏ ଉଚ୍ଚର ବର୍ଷାଜଳ । ଫଳରେ ଯାନବାହାନ ଚଳାଚଳ ଓ ପଥଚାରୀମାନଙ୍କ ଯାତାୟତରେ ସମସ୍ୟା ଉପୁଜିଥିଲା । ବଡଦାଣ୍ଡ ଦୁଇପାଶ୍ୱର୍ରେ ଥିବା ନାଳରୁ ନର୍ଦ୍ଦମାଜଳ ଉଚ୍ଛୁଳିଉଠି ବର୍ଷାଜଳ ସହିତ ମିଶି ରାସ୍ତାକୁ ବସ୍ତୁତଃ ବୁଡାଇ ଦେଇଥିଲା ।
ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଥିଲା ଅନୁରୂପ ଅବସ୍ଥା । ଅବରୁଦ୍ଧ ସ୍ୱେରେଜ ଲାଇନ୍ ଓ ନାଳରୁ ନର୍ଦ୍ଦମାଜଳ ଉଚ୍ଛୁଳିଉଠି ବର୍ଷାଜଳ ସହିତ ମିଶିଥିଲା । ଦିଗବାରେଣୀଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ରାସ୍ତାରେ ଛୁଟିଥିଲା ବର୍ଷାଜଳର ସୁଅ । ବର୍ଷାପାଣି ଓ ନର୍ଦ୍ଦମାଜଳ ବେଳାଭୂମିର ବାଲୁକା ରାଶିରେ ସମୁଦ୍ରରେ ମିଶିଥିଲା । ହୋଟେଲ ସୋନାଲି ନିକଟରେ ରାସ୍ତା ଉପରେ ସର୍ବାଧିକ ବର୍ଷାଜଳ ଜମି ରହିଥିଲା । ରେଣୁକା ହୋଟେଲ ଗଳି ଅଞ୍ଚଳରୁ ମାଡି ଆସିଥିଲା ବର୍ଷାପାଣି ସାଙ୍ଗକୁ ନର୍ଦ୍ଦମା ପାଣିର ସୁଅ । ଦୀର୍ଘସମୟ ଧରି ବେଳାଭୂମି ରାସ୍ତାରେ ପାଣିର ସୁଅ ଛୁଟିଥିଲା । ସ୍ୱର୍ଗଦ୍ୱାର ସନ୍ନିକଟ ଅଞ୍ଚଳ ଓ ନୂଆ ମେରାଇନ୍ ଡ୍ରାଇଭ ରୋଡରେ ମଧ୍ୟ ବର୍ଷା ତଥା ନର୍ଦ୍ଦମାଜଳ ଢେଉ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା । ଗୋପାଳବଲ୍ଲଭ ରୋଡ ଓ କଚେରୀରୋଡରେ ମଧ୍ୟ ବର୍ଷାପାଣିର ସୁଅ ଛୁଟିଥିଲା ।
ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିବାରୁ ବେଳାଭୂମି ଅଞ୍ଚଳରେ ପର୍ଯ୍ୟଟକ ଓ ପଥଚାରୀମାନେ ଯାତାୟତର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନର୍ଦ୍ଦମାଜଳର ସୁଅ ଯୋଗୁଁ ବେଳାଭୂମିର ସ୍ୱର୍ଣ୍ଣାଭ ବାଲୁକା ରାଶି ପଙ୍କିଳ ହୋଇଉଠିଥିଲା । ନାଳମାନଙ୍କରେ ପଲିଥିନ୍ ଓ ଅନ୍ୟ ଆବର୍ଜ୍ଜନା ପକାଯାଉଥିବାରୁ ସେଗୁଡିକ ଅବରୋଧ ହୋଇଯାଉଥିବାବେଳେ ନିୟମିତ ଭାବେ ନାଳମାନଙ୍କରୁ ପଙ୍କ କଢାଯାଉନାହିଁ । ଅନେକ ବାସିନ୍ଦା ନାଳରେ ବଜ୍ଜ୍ୟବସ୍ତୁ ପକାଇ ଦେଉଛନ୍ତି । ବ୍ୟବସାୟ ପ୍ରତିଷ୍ଠାନମାନଙ୍କରୁ ବାହାରୁଥିବା ଆବର୍ଜ୍ଜନା, ପଇଡ଼, ପ୍ଲାଷ୍ଟିକ୍ ବ୍ୟାଗ୍, ପ୍ଲାଷ୍ଟିକ୍ ଥାଳି, ଗ୍ଲାସ, ପାଣି ଓ ମୃଦୁ୍ୟ ପାନୀୟ ବୋତଲ ଆଦି ନାଳରେ ପଡୁଥିବାରୁ ତାହା ଜଳର ସ୍ୱାଚ୍ଛନ୍ଦ ପ୍ରବାହରେ ବାଧା ସୃଷ୍ଟି କରୁଛି ।
ଏହାଛଡା ବର୍ଷାଜଳ ନିଷ୍କାସନ ପାଇଁ କାର୍ଯ୍ୟକାରୀ ହେଉଥିବା ଡ୍ରେନେଜ ପ୍ରକଳ୍ପର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବିଭିନ୍ନ ସ୍ଥାନରେ ନାଳଗୁଡିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିବାବେଳେ କେତେକ ଅଞ୍ଚଳରେ ତିଆରି ସରିଥିବା ନାଳର ସଠିକ୍ ସଂଯୋଗୀକରଣ ହୋଇନଥିବାରୁ ଅବ୍ୟବହୃତ ଅବସ୍ଥାରେ ରହି ସେଗୁଡିକ ଆବର୍ଜ୍ଜନା ଦ୍ୱାରା ପୋତି ହୋଇଯାଇଛି । ଫଳରେ ବର୍ଷା ଋତୁରେ ଏଭଳି ସମସ୍ୟା ଉପୁଜୁଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Comments are closed.