ପୁରୀ : ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଜିଲ୍ଲାର ସମ୍ମୁଖ ଯୋଦ୍ଧା ମାନଙ୍କୁ ଟିକା କରଣ ଅଭିଯାନ ଆରମ୍ଭ ହୋଇଛି । ସ୍ଥାନୀୟ ସଦ୍ଭାବନା ଗୃହଠାରେ ଆୟାଜିତ ଟିକା କରଣ ଗୃହରେ ସମ୍ମୁଖ ଯୋଦ୍ଧା ଭାବେ ପ୍ରଥମେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ କନୱାର ବିଶାଳ ସିଂ ଟିକା ନେଇଥିଲେ । ଏହା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ବିନୟ କୁମାର ଦାଶ ,ସୁବାଷ ଚନ୍ଦ୍ର ନାଥ ଶର୍ମା ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଟିକା ନେଇଥିଲେ । ଏହି ଟିକାକରଣ ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହିତ ଟିକାକୁ ନେଇଥିବା ଦ୍ୱନ୍ଦ୍ୱ ଓ ଭ୍ରାନ୍ତ ଧାରଣା ଦୂର ହେବ । ଏହା ପରେ ବ୍ଲକ ସ୍ତରରେ ଟିକା କରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ସଦ୍ଭାବନା ସଭାଗୃହ,ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ପୌର କର୍ମଚାରୀ ଓ ପୁଲିସ ହସ୍ପିଟାଲରେ ପୁଲିସ ପ୍ରଶାସନ ଲାଗି ଟିକା କରଣ ଯୋଜନା ହୋଇଛି । ପ୍ରତ୍ୟେକ ସ୍ଥାନରେ ଆଜି ୨୦୦ ଜଣଙ୍କୁ ଟିକା ଦିଆଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସଦ୍ଭାବନା ସଭାଗୃହଠାରେ ୧୪୨ଜଣ,କଲ୍ୟାଣମଣ୍ଡପ ଠାରେ୧୮୧ ଜଣ ଓ ପୁଲିସ ହସ୍ପିଟାଲରେ୧୫୩ ଜଣ ସମ୍ମୁଖ ଯୋଦ୍ଧା ଆଜି ଟିକା ନେଇଛନ୍ତି । ଏହି ତିନିସ୍ଥାନରେ ୬ ହଜାର ୩୭୨ ଜଣଙ୍କୁ ଟିକାଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅଭିଯାନ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ଏହି ଟିକାକରଣ ବନ୍ଦ ରହିବ ।
Comments are closed.