Odisha news

ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଦେଶ ଏକ ସ୍ଥିତପ୍ରଜ୍ଞ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲା: ଶୁଭଙ୍କର

0

ବାଲେଶ୍ୱର : ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶ ଏକ ସ୍ଥିତପ୍ରଜ୍ଞ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲା ବୋଲି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଶୁଭଙ୍କର ମହାପାତ୍ର କହିଛନ୍ତି । ଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀ ୪ ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ବିତ୍ତ, ବାଣିଜ୍ୟ, ସ୍ୱରାଷ୍ଟ୍ର, ବିଦେଶ, ପ୍ରତିରକ୍ଷା ବିଭାଗ ଆଦିରେ ସଫଳତା ପୂର୍ବକ କାର୍ଯ୍ୟ କରିବା ସଙ୍ଗେସଙ୍ଗେ ଦେଶର ଅର୍ଥନୀତିକୁ ନୂତନ ଦିଶା ଦେଇଥିଲେ । କାଳର ଗତିରେ ଶ୍ରୀ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ହେଁ ଦଳୀୟ ଚାପ ଓ ତାଙ୍କର ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ରାଷ୍ଟ୍ରପତି ଭାବେ କଂଗ୍ରେସ ଦଳ ସମର୍ଥନ କରିଥିଲା । ରାଷ୍ଟ୍ରପତି ରହିବା ସମୟରେ ମଧ୍ୟ ତାଙ୍କର ଜ୍ଞାନପ୍ରବଣତା ବହୁଲୋକଙ୍କୁ ବିସ୍ମିତ କରୁଥିଲା ।

ମତପାର୍ଥକ୍ୟ ହେତୁ କଂଗ୍ରେସଦଳରୁ ଇସ୍ତଫା ଦେଇ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ଡଃ ଶ୍ୟାମସୁନ୍ଦର ମହାପାତ୍ରଙ୍କ ସହ ମିଶି ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ଗଠନ କରିଥିଲେ ଓ ପରେ ରାଜୀବଗାନ୍ଧୀଙ୍କ ସହ ଆଲୋଚନା କରି କଂଗ୍ରେସରେ ତାହାର ବିଲୟ କରିଦେଇଥିଲେ । ବାଲେଶ୍ୱରକୁ ୧୯୯୯ରେ ମୋର ସାଂସଦ ନିର୍ବାଚନ ବେଳେ ଦୁଇଦିନପାଇଁ ନିର୍ବାଚନ ପ୍ରଚାରକୁ ଆସିଥିଲେ । ତାଙ୍କର ବହୁ ନିର୍ବାଚନ ସଭା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଆୟୋଜିତ ହୋଇଥିଲା । ମହାବାତ୍ୟା ସମୟରେ ବାଲେଶ୍ୱର ଜିଲ୍ଲାକୁ କିଭଳି ଅଧିକ ରିଲିଫ୍ ଆସିବ ସେଥିପାଇଁ ନିଜେ ଗସ୍ତ କରି ବହୁ ସାହାଯ୍ୟର ବ୍ୟବସ୍ଥା କରିଥିଲେ ।

ଅର୍ଥମନ୍ତ୍ରୀ ଥିଲାବେଳେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ନିଦେ୍ର୍ଦଶକ ଭାବେ ମୋତେ ନିଯୁକ୍ତି ଦେବା ସଙ୍ଗେସଙ୍ଗେ ଓଡ଼ିଶାରେ ଗ୍ରାମ୍ୟବ୍ୟାଙ୍କ୍ ଦ୍ୱାରା କିଭଳି ଗ୍ରାମାଞ୍ଚଳରେ କୃଷକ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ବିକାଶ ହେବ ସେଥିପାଇଁ ଅର୍ଥଲଗାଣ ସାଙ୍ଗକୁ ଅପହଞ୍ଚ ଜାଗାରେ ଶାଖା ଖୋଲିବା ଦିଗରେ ଆଗ୍ରହ ପ୍ରକାଶ କରିଥିଲେ । ପ୍ରାୟ ନିଜ ମନ୍ତ୍ରଣାଳୟର କାର୍ଯ୍ୟସହ ସାଧାରଣ ଲୋକମାନଙ୍କୁ ଭେଟି ତାଙ୍କ ସମସ୍ୟାର ସମାଧାନ ଇତ୍ୟାଦି ନେଇ ଦିନରେ ୧୮ଘଣ୍ଟା କାର୍ଯ୍ୟ କରିବାର ନଜିର ସୃଷ୍ଟି କରିଛନ୍ତି ।

Nalco
Leave A Reply