Odisha news

ପ୍ରଣମ୍ୟ ପ୍ରଣବ

0

ଡ଼ଃ.ଅରୁନ୍ଧତୀ ଦେବୀ : କାହା ପାଇଁ ସେ ଥିଲେ ଅତି ଆଦରର ପ୍ରଣବ ଦା’ ତ ଆଉ କାହା ପାଇଁ ଥିଲେ ପ୍ରଣମ୍ୟ ପ୍ରଣବ । ୪୩ ବର୍ଷ କାଳ ପ୍ରତ୍ୟକ୍ଷ ରାଜନୀତିରେ ରହି ସେ ପ୍ରଧାନମନ୍ତ୍ରୀ ହେବାର ପ୍ରମୁଖ ଦାବିଦାର ଥିଲେ ବି କେବେ ପ୍ରଧାନମନ୍ତ୍ରୀ ହୋଇପାରି ନଥିଲେ । କଂଗ୍ରେସର ଏହି କ୍ରାଇସିସ୍ ମ୍ୟାନେଜର ଏବଂ ରାଜନୀତି ମଇଦାନର ସୁଦକ୍ଷ ଖେଳାଳି ଇନ୍ଦିରାଙ୍କଠୁ ନେଇ ନରସିଂହ ଓ ମନମୋହନଙ୍କ କ୍ୟାବିନେଟରେ ସମ୍ଭାଳିଥିଲେ ଅର୍ଥ, ବୈଦେଶିକ, ପ୍ରତିରକ୍ଷା, ବାଣିଜ୍ୟ, ଶିଳ୍ପ, ଇସ୍ପାତ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ତେବେ ରାଜନୀତି, କୂଟନୀତି ଓ ଅର୍ଥନୀତିରେ ପାରଙ୍ଗମ ଏହି ବିଦ୍ୱାନ ରାଜନେତାଙ୍କୁ ତାଙ୍କ ନିଷ୍ଠା ଓ ପାରଦର୍ଶିତାର ଫଳ ମିଳିଥିଲା । ୨୦୧୨ରେ ସେ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ । ଆଉ ଶେଷ ଜୀବନରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ବିଭୂଷିତ ମଧ୍ୟ ହେଲେ । ପ୍ରଣବ ଦା’ଙ୍କ ବିୟୋଗରେ ଆଜି ଭାରତବାସୀ ସତରେ ଏକ ରତ୍ନକୁ ହରାଇଥିବା ଭଳି ଅନୁଭବ କରୁଛନ୍ତି ।

ଜଣେ ବିଦ୍ୟାର୍ଥୀ, ଓଜସ୍ୱୀ ବକ୍ତା ଏବଂ ପାରଙ୍ଗମ ଜନନେତା ହିସାବରେ ଭାରତୀୟ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ପୂର୍ବ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ କୁମାର ମୁଖାର୍ଜୀ (ପ୍ରଣବଦା) । ଦେଶର ତ୍ରୟୋଦଶ ରାଷ୍ଟ୍ରପତି ହେବା ଆଗରୁ କଂଗ୍ରେସ ଦଳର ଜଣେ ଉତ୍ତୁଙ୍ଗ ନେତା ଥିଲେ । ଅତୀତର କଂଗ୍ରେସ ଓ ୟୁପିଏ ସରକାରରେ ସେ ପ୍ରତିରକ୍ଷା, ଅର୍ଥ, ବୈଦେଶିକ ବ୍ୟାପାର, ବାଣିଜ୍ୟ, ଜାହାଜ ପରିବହନ ଏବଂ ଉଦ୍ୟୋଗ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ । ଏପରିକି ୧୯୮୪ ମସିହାରେ ୟୁରୋ ମନି ପତ୍ରିକା ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ସେ ବିଶ୍ୱର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ । ୧୯୬୯ ମସିହାରେ ହିଁ ସେ ଭାରତୀୟ ରାଜନୀତିକୁ ପ୍ରବେଶ କରିବା ସହ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ସହାୟତାରେ କଂଗ୍ରେସ ଟିକେଟରେ ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ପରେ ସେ ଇନ୍ଦିରାଙ୍କର ଜଣେ ଘନିଷ୍ଠ ସହଯୋଗୀ ପାଲଟି ୧୯୭୩ ମସିହାରେ ଇନ୍ଦିରାଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ କାଳରେ ୧୯୭୫, ୧୯୮୧, ୧୯୯୩ ଏବଂ ୧୯୯୯ ମସିହାରେ ସେ କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଅନେକ ସମୟରେ ପ୍ରଣବଙ୍କୁ ସବୁଋତୁର ମଣିଷ ବୋଲି ସମ୍ବୋଧନ କରୁଥିଲେ ।

୧୯୭୮ ମସିହାରେ କଂଗ୍ରେସର ବିଭାଜନ ବେଳେ ଇନ୍ଦିରାଙ୍କ ହତ୍ୟା ପରେ ତାଙ୍କ ପୁଅ ରାଜୀବ ଗାନ୍ଧୀଙ୍କ ଅମଳରେ ପ୍ରଣବଦାଙ୍କୁ କିଛି ମାତ୍ରାରେ କୋଣଠେସା ହୋଇ ରହିବାକୁ ପଡ଼ିଥିଲା । ଫଳସ୍ୱରୂପ ସେ ନୂଆଦଳ ଗଢ଼ିଥିଲେ । ତେବେ ୧୯୮୯ ମସିହାରେ ରାଜୀବଙ୍କ ସହ ବୁଝାମଣା ପରେ ସେ ନିଜ ଦଳର ବିଲୟ ଘଟାଇ ପୁଣି କଂଗ୍ରେସକୁ ଫେରିଥିଲେ । ୧୯୯୧ ମସିହାରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ପ୍ରଣବଦା’ ପୁଣି ଲୋକଲୋଚନରେ ଚର୍ଚ୍ଚାକୁ ଆସିଲେ ଯେତେବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି.ନରସିଂହ ରାଓ ତାଙ୍କୁ ଯୋଜନା କମିସନ ଦାୟିତ୍ୱ ଅର୍ପଣ କରିଲେ । ସେହିପରି ୧୯୯୫ ମସିହାରେ ସେ ନରସିଂହ ରାଓଙ୍କ ମନ୍ତ୍ରୀମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଥିଲେ । ସୋନିଆଙ୍କ ନେତୃତ୍ୱରେ ୨୦୦୪ ମସିହାରେ ୟୁପିଏ ସରକାର ଗଢିଥିଲା ଏବଂ କଂଗ୍ରେସ ଟିକେଟରେ ପ୍ରଣବ ଦା’ ପ୍ରଥମ କରି ଲୋକସଭା ସଦସ୍ୟ ହୋଇଥିଲେ । ଜଣେ ବିଚିକ୍ଷଣ ପ୍ରଶାସକ ଏବଂ ଦକ୍ଷ ରାଜନେତା ହିସାବରେ ସେ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅନୁପସ୍ଥିତିରେ କ୍ୟାବିନେଟ ବୈଠକଗୁଡ଼ିକର ଅଧ୍ୟକ୍ଷତା କରୁଥିଲେ ।

ଅତୀତର ବହୁ ବିବାଦୀୟ ଭାରତ-ଆମେରିକା ପରମାଣୁ ଚୁକ୍ତି-୧୨୩ ହାସଲ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେହିପରି ପରମାଣୁ ଅସ୍ତ୍ର ଯୋଗାଣ ସଂଘ ଭାରତକୁ ରିହାତି ମିଳିବାରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ।

ତାଙ୍କର ଅନେକ ପୁସ୍ତକ କୋଟି କୋଟି ପାଠକଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଓ ସଂଗ୍ରହଣୀୟ ମଧ୍ୟ । ସେଗୁଡ଼ିକ ହେଉଛି “ମିଡ଼ ଟର୍ମ ପୋଲ’, “ବିୟଣ୍ଡ ସର୍ଭାଇଭାଲ : ଏମର୍ଜିଂ ଡାଇମେନ୍ସେନସ ଅଫ୍ ଇଣ୍ଡିଆନ ଇକନମି(୧୯୮୪)’, “ଅଫ୍ ଦି ଟ୍ରାକ୍ (୧୯୮୭)’, “ସାଗ ଅଫ ଷ୍ଟ୍ରଗଲ ଆଣ୍ଡ ସାକ୍ରିଫାଇସ(୧୯୯୨)’, “ଚ୍ୟାଲେଞ୍ଜସ ବିଫୋର ଦି ନେସନ (୧୯୯୨)’, “ଏ ସେଣ୍ଟେନାରି ହିଷ୍ଟ୍ରି ଅଫ୍ ଦି ଇଣ୍ଡିଆନ୍ ନେସନାଲ କଂଗ୍ରେସ (୨୦୧୧)’, “ଥଟ୍ସ ଆଣ୍ଡ ରିଫ୍ଲେକସନସ (୨୦୧୪)’, “ଦି ଡ୍ରାମାଟିକ୍ ଡିକେଡ : ଦି ଇନ୍ଦିରା ଗାନ୍ଧି ଇୟର୍ସ (୨୦୧୪)’, “ସିଲେକ୍ଟେଡ୍ ସ୍ପିଚେସ୍ : ପ୍ରଣବ ମୁଖାର୍ଜୀ (୨୦୧୫)’, “ଦି ଟର୍ବୁଲେଣ୍ଟ ଇୟର୍ସ : ୧୯୮୦-୧୯୯୬ (୨୦୧୬)’, “ଦି କୋଆଲିସନ୍ ଇୟର୍ସ’ ପ୍ରମୁଖ । ପ୍ରଣବ ମୁଖାର୍ଜୀଙ୍କର ସବୁଠାରୁ ପ୍ରେରଣାଦାୟୀ ଉକ୍ତି ହେଉଛି “ସ୍ୱାଧୀନ ଧର୍ମୀୟ ବିଶ୍ୱାସ, ଲିଙ୍ଗଗତ ସମାନତା ଓ ଆର୍ଥିକ ନ୍ୟାୟ ଉପରେ ପର୍ଯ୍ୟବେସିତ ଭାରତ ହିଁ ଏକ ଆଧୁନିକ ରାଷ୍ଟ୍ର ହୋଇପାରିବ ।

ତେବେ ସାମାନ୍ୟ ଦୋଷତ୍ରୁଟି କେବେ ଭାରତକୁ ଆଧୁନିକ ରାଷ୍ଟ୍ର ହେବାରୁ ବିଚୁ୍ୟତ କରିପାରିବ ନାହିଁ । ଆମ ଦେଶର କୌଣସି ଧାର୍ମିକ ବିଶ୍ୱାସ ପ୍ରତି ବିପଦ ନାହିଁ ଏବଂ ଲିଙ୍ଗ ସମାନତା ପାଇଁ ଆମର ନିରନ୍ତର ଅଙ୍ଗୀକାରବଦ୍ଧତା ହିଁ ଆମ ସମୟର ଅନ୍ୟତମ ଶ୍ରେଷ୍ଠ ଉପାଖ୍ୟାନ ହୋଇ ରହିବ’ । ରାଷ୍ଟ୍ରପତି ଥିବା ସମୟରେ ୩୫ରୁ ଅଧିକ ରାଜକ୍ଷମା ପ୍ରତ୍ୟାଖ୍ୟାନ କରିଥିଲେ । ୨୦୧୯ରେ ଭାରତ ରତ୍ନ ପାଇବାରେ ସେ ଥିଲେ ପଞ୍ଚମ ରାଷ୍ଟ୍ରପତି । ଏପରି ଜଣେ ରାଷ୍ଟ୍ରନୀତିଜ୍ଞ ଜନନେତାଙ୍କ ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Leave A Reply