ରାଉରକେଲା: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର ଜୋନ୍ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଗତ ରାତିରେ ପାଓ୍ୱାର ହାଉସ ରୋଡ଼ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ ହୋଇଥିବା ବଫର ଜୋନକୁ ପ୍ରତ୍ୟାହାର କରାଯାଇଥିଲା । ସେହିପରି ମଧୁସୂଦନ ମାର୍ଗରୁ ଆନନ୍ଦ ଭବନଲେନ୍ ପର୍ଯ୍ୟନ୍ତ ଅଂଚଳକୁ ମଧ୍ୟ ବଫର ଜୋନରୁ ବାଦ୍ ଦିଆଯାଇଥିଲା ।
ହେଲେ ମହତାବ ରୋଡ଼କୁ ଏକଣ୍ଟେନମେଣ୍ଟ ଜୋନ ଭାବେ ରଖାଯାଇଥିଲା । ଏହି ଅଞ୍ଚଳ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ କେବଳ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଥିଲା । ହେଲେ ଲୋକଙ୍କ ଯାତାୟାତ ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ସ୍ଥାନରେ ବ୍ୟାରିକେଡ୍ କରାଯାଇଥିଲା ।
କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାରକୁ ନେଇ ରାଉରକେଲାରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି। ରାସ୍ତା ଉପରେ ଉଭୟ ପୋଲିସ-ଜନତା ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୁଲିସ୍ ଉପରକୁ ଟେକା, ପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାରେ ୧୫ରୁ ଅଧିକ ପୁଲିସ୍ କର୍ମୀ ଆହତ ହୋଇଥିବା ଜଣାଯାଇଛି।
ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ସ୍ଥାନୀୟ ଲୋକଙ୍କ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ଶାନ୍ତି ବୈଠକ ଡାକି ଆଲୋଚନା କରିଥିଲେ । ବୈଠକରେ ଡିଆଇଜି, ଏସ୍ପି ଓ ରାଉରକେଲା ମହାନଗର ନିଗମର କମିଶନର ଉପସ୍ଥିତ ଥିଲେ।
ସେପଟେ ରାସ୍ତା ଉପରେ ଜଳୁଥିବା ନିଆଁକୁ ଲିଭାଇ ଦିଆଯାଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ରିଙ୍ଗ ରୋଡ଼ ଅଞ୍ଚଳରେ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏହା ସହ ତିନି ଜୋନ୍ର ଡିଏସ୍ପି ଘଟଣାସ୍ଥଳରେ ରହିଛନ୍ତି ।