ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ ,୩୦/୬(ଏଜେନ୍ସି) : ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଅନଲକ-୨ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ଲକଡାଉନ ସମୟରେ କେନ୍ଦ୍ର ସରକାର ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ । ଗତ ୩ ମାସ ମଧ୍ୟରେ ୨୦ କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଂଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି । ଏଥିରେ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ୧୮୦୦୦ କୋଟି ଜମା ହୋଇଛି । ବର୍ତମାନର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯାହାର ମୂଲ୍ର ୯୦ ହଜାର କୋଟିରୁ ଅଧିକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ଆସନ୍ତା ପାଂଚ ମାସ ପାଇଁ ୮୦ କୋଟି ଗରିବ ଭାଇ ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ । ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ । ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡାଲି । ଆଜି ଯଦି ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବାରେ ସକ୍ଷମ, ତେବେ ଏହାର ଶ୍ରେୟ ଦୁଇଟି ବିଭାଗକୁ ଯାଉଛି । ପ୍ରଥମତଃ, ଆମ ଦେଶର ପରିଶ୍ରମୀ କୃଷକ ଏବଂ ଦ୍ୱିତୀୟରେ, ସଚ୍ଚୋଟ କରଦାତା । ମୁଁ ଆପଣଙ୍କୁ ଏହି ଅବସରରେ ହୃଦୟରୁ ଧନ୍ୟବାଦ ଦେଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
