ବାଦଲ ଭୂୟାଁ : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗତ୍ସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମହାଗୁରୁ ବାଟାଲିଅନ୍ର ଯୁବକ ସିଲୁ ନାୟକଙ୍କ ଉଦ୍ୟମକୁ ଭୂୟଂଶୀ ପ୍ରଶଂସା କରିଛନ୍ତି । ଚାକିରି ଛାଡ଼ି ସେନାରେ ଭର୍ତ୍ତି ପାଇଁ ୨୮ ବର୍ଷୀୟ ଯୁବକ ସିଲୁ ଚାକିରି ଆଶାୟୀ ଯୁବକଙ୍କୁ ମାଗଣାରେ ତାଲିମ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ନିଃସ୍ୱାର୍ଥପର ମଣିଷ ବୋଲି ଅଭିହିତ କରିବା ସହିତ ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି ମଧ୍ୟ ଶୁଭକାମନା ଜଣାଇଛନ୍ତି । ୨୦୧୬ ମସିହାରେ ସିଲୁ ଶିକ୍ଷିତ ବେକାର ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଓ ପୁଲିସରେ ଭର୍ତ୍ତି କରିବା ଉଦେ୍ଦଶ୍ୟରେ ପ୍ରତିଷ୍ଠା କରିଥିଲେ ମହାବୀର ବାଟାଲିୟନ ।
ଆଖପାଖ ଗ୍ରାମର ବେକାର ଶିକ୍ଷିତ ଯୁବକମାନଙ୍କୁ ସେନାବାହିନୀର ଶାରୀରିକ ପରୀକ୍ଷାରେ ଯୋଗ୍ୟ କରିବା ଉଦେ୍ଦଶ୍ୟରେ ସେବେଠାରୁ ତାଲିମ ଦେଇ ଆସୁଛନ୍ତି । ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନାହାନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବର୍ତ୍ତମାନ ସୁଦ୍ଧା ଏହି ଅନୁଷ୍ଠାନରୁ ପ୍ରାୟ ୭୦ରୁ ଅଧିକ ଯୁବକ ସେନା, ପୁଲିସ ବିଭାଗରେ ଯୋଗଦେଇ ସାରିଲେଣି । ତାଙ୍କର ଏହି ନିଃସ୍ୱାର୍ଥପର ସେବା ନାଉଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଓଡ଼ିଶାର ଗଣମାଧ୍ୟମରେ ପ୍ରକାଶିତ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ପରେ ସିଲୁ ପ୍ରତିକ୍ରିୟାରେ କହିଛନ୍ତି, ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ ନିଃସ୍ୱାର୍ଥପର ସେବା କର ଦେଶ ପାଇଁ କିଛି କରିବା ସଂକଳ୍ପ ନେଇଛି । ମୋ ପରିଶ୍ରମ ଫଳ ନିଶ୍ଚେ ମିଳିବ । ଏହି ବାଟାଲିଅନ୍ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ଆବଶ୍ୟକ । ମୋତେ ସେ ଦିଗରେ ସାହାଯ୍ୟ ସହଯୋଗ ମିଳିଲେ ଆଗାମୀ ଦିନରେ ଅନେକ ଯୁବକ ପ୍ରଶିକ୍ଷଣ ପାଇ ସାମରିକ ବାହିନୀରେ ସାମିଲ ହେବାକୁ ସମର୍ଥ ହୋଇପାରିବି । ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ଖବର ପ୍ରଚାରିତ ହେବା ପରେ ନାଉଗାଁ ସମେତ ଜିଲ୍ଲାବ୍ୟାପୀ ତାଙ୍କୁ ଶୁଭେଚ୍ଛା ମିଳୁଛି ।
ଚାକିରି ଛାଡ଼ି ଯୁବକମାନଙ୍କୁ ଦୈନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତ୍ସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ପଞ୍ଚାୟତ ଅରଖକୁଦ ଗ୍ରାମର ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ମନ୍ କୀ ବାତ କାର୍ଯ୍ୟକ୍ରମରେ ସିଲୁଙ୍କୁ ନାୟକ ସାର ବୋଲି ମୋଦି ସମ୍ବୋଧିତ କରିଛନ୍ତି । ପ୍ରଶଂସା ପାଇବା ପରେ ସିଲୁ ଖୁସିବ୍ୟକ୍ତ କରି ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି କହିଛନ୍ତି । ଏହି ତାଲିମ କେନ୍ଦ୍ରକୁ ଆଗକୁ ବଢ଼ାଇବା ପାଇଁ ଅଧିକ ପ୍ରୟାସ କରିବେ ବୋଲି ସେ କହିଛନ୍ତି । ୨୦୧୬ରେ ଦେବୀ ନଦୀ ପଠାରେ ସିଲୁ ମହାଗୁରୁ ବାଟାଲିଅନ ନାମରେ ଏକ ସେନା ପ୍ରଶିକ୍ଷଣ ତାଲିମ ଶିବିର ଆରମ୍ଭ କରିଥିଲେ ।
ପ୍ରଥମେ ସେ ସ୍ଥାନୀୟ ଆଠରୁ ଦଶ ଜଣ ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇଥିଲେ । ଏବେ ଏହି ବାଟାଲିଅନ ମାଧ୍ୟମରେ ୭୦ରୁ ଉଦ୍ଧ୍ୱର୍ ଯୁବକ ସାମିଲ ହୋଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଉଛନ୍ତି । ଏଠାରୁ ତାଲିମ ପାଇଥିବା ୪୦ରୁ ଉଦ୍ଧ୍ୱର୍ ଯୁବକ ଆର୍ମି, ଓଡ଼ିଶା ପୋଲିସ, ସିଆରପିଏଫ୍, ବିଏସ୍ଏଫ୍, ଓଏଫ୍ଏସ ଏବଂ ଆଇଆରବିରେ ଯୋଗଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଲୁ ବିନା ପାରିଶ୍ରମିକରେ ଗାଁ ଗହଳିର ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏପରିକି ନିଜ ହାତରୁ ବିଭିନ୍ନ ପ୍ରକାର ତାଲିମ ସରଞ୍ଜାମ ମଧ୍ୟ କ୍ରୟ କରିଛନ୍ତି । ବାଲୁଙ୍କି ନାୟକ ଓ ତାଙ୍କ ସ୍ତ୍ରୀ ହେନାଙ୍କ ସାନ ପୁଅ ସିଲୁ ୨୦୧୪ରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରୁ ଯୁକ୍ତ ତିନି ଶିକ୍ଷା ଶେଷ ପରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀରେ ଚାକିରି ପାଇଥିଲେ । ଇଣ୍ଟରଭୁ୍ୟ ଦେବା ସମୟରେ ଅନେକ ପିଲା ଶାରୀରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ସେ ଦେଖିଥିଲେ । ଏହା ତାଙ୍କ ମନକୁ ଆନେ୍ଦାଳିତ କରିଥିଲା । ଅର୍ଥ ଓ ଚାକିରି ମୋହ ଛାଡ଼ି ସେ ନିଜ ଗାଁକୁ ଫେରି ଆସିଥିଲେ ।
ନିଜ ଅଞ୍ଚଳର ପିଲାଙ୍କୁ ଶାରୀରିକ ତାଲିମ ପ୍ରଦାନ କରି ସୈନ୍ୟବାହିନୀରେ ଯୋଗ ଦେବା ଉଦେ୍ଦଶ୍ୟରେ ମହାଗୁରୁ ବାଟାଲିଅନ ତାଲିମ ଶିବିର ଖୋଲିଥିଲେ । ସକାଳ ଓ ଅପରାହ୍ନରେ ଦୁଇ ବେଳା ଶିବିରରେ ପିଲାମାନେ ତାଲିମ ନେଇଥାନ୍ତି । ଟ୍ରେନିଂ ପାଇ ବହୁ ଯୁବକ ପୋଲିସ, ସୈନ୍ୟବାହିନୀ ଓ ସେଣ୍ଟ୍ରାଲ ସିକୁ୍ୟରିଟି ଫୋର୍ସରେ ଚାକିରି ପାଇଥିବାବେଳେ ଅନେକ ଏବେ ବି ଚେଷ୍ଟା ଜାରି ରଖିଛନ୍ତି ବୋଲି ସିଲୁ କହିଛନ୍ତି । ତେବେ ବିନା ପାରିଶ୍ରମିକରେ କିଭଳି ତାଲିମ ଶିବିର ଚଳାଇପାରୁଛନ୍ତି ବୋଲି ପଚରାଯିବାରୁ ସିଲୁ କହିଛନ୍ତି ଯେ ଶିବିର ଆରମ୍ଭ ହେବା ସମୟରେ କେତେ ଜଣ ପ୍ରଶିକ୍ଷାର୍ଥୀ ଆର୍ଥିକ ସହାୟତା କରିଥିଲେ । ଏବେ ନିଯୁକ୍ତି ପାଇଥିବା କେତେ ଜଣ ପ୍ରଶିକ୍ଷାର୍ଥୀ ଆର୍ଥିକ ସହାୟତା ଯୋଗାଉଛନ୍ତି ଯେଉଁଥିରେ ଗରିବ ପିଲାମାନଙ୍କୁ ମାଗଣାରେ ତାଲିମ ଦିଆଯାଇପାରୁଛି ବୋଲି ସିଲୁ କହିଛନ୍ତି ।
ତାଲିମ ନେଇ ଚାକିରି ପାଇଥିବା ଭାରତୀୟ ଆର୍ମିର ସୁଶୀଳ ମହାନ୍ତି ଓ ସିଆରପିଏଫ୍ର ଦେବଦତ୍ତ ଆଚାର୍ଯ୍ୟ କୁହନ୍ତି ନାୟକ ସାର ଅନ୍ୟମାନଙ୍କ ପାଇଁ ଉଦାହରଣ । ତାଙ୍କ ଉଦ୍ୟମ ବଳରେ ବହୁ ଅସହାୟ ରୋଜଗାରକ୍ଷମ ହୋଇପାରିଛନ୍ତି । କେବଳ ଜଗତ୍ସିଂହପୁର ଜିଲ୍ଲା ନୁହେଁ ଓଡ଼ିଶାର ମାଟିକୁ ଗୌରବର କ୍ଷେତ୍ର ଭାବେ ପରିଗଣିତ କରିଥିବା ଏହି ଅନାମଧ୍ୟେୟ ତଥା ଚର୍ଚ୍ଚାର ପଛରେ ରହିଥିବା ବ୍ୟକ୍ତିତ୍ୱଙ୍କ ପ୍ରତିଭା ଓ ସମାଜ ସେବାକୁ ଏହି ଲେଖକ ପ୍ରଶଂସା କରିବା ସହ ତାଙ୍କୁ ସମ୍ମାନ ଜଣାଉଛି ।