ଜୟ ଜଗନ୍ନାଥ!
ଜୟ ମା’ କିଚକେଶ୍ୱରୀ!
ସବୁ ଭାଇ, ଭଉଣୀ, ମା’, ମଉସୀ ମାନଙ୍କୁ ମୋର ନମସ୍କାର।
ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଶ୍ରୀ ହରି ବାବୁ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡ଼ା, ଓଡ଼ିଶାର ମନ୍ତ୍ରୀ ଗଣେଶ ସିଂହ ଖୁଣ୍ଟିଆ, କୃଷ୍ଣ ଚନ୍ଦ୍ର ମହାପାତ୍ର, ସାଂସଦ ନବ ଚରଣ ମାଝୀ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ।
ଆମ ଓଡ଼ିଶାରେ ଏବେ ଉତ୍ସବର ଆନନ୍ଦ ଚାଲିଛି। ଏଠାକାର ଗଣପର୍ବ ‘ରଜ’ ଗତ ସପ୍ତାହରେ ହିଁ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ମୟୂରଭଞ୍ଜର ବାରିପଦା ମଧ୍ୟ ରଥଯାତ୍ରାକୁ ନେଇ ଉତ୍ସାହର ପରିବେଶ ଜମୁଛି। ଏବଂ, ଏସବୁ ଭିତରେ ଗଣତନ୍ତ୍ରର ବିକାଶର ଉତ୍ସବ ମଧ୍ୟ ଚାଲିଛି। ଓଡ଼ିଶାର ବିଜେପି ସରକାର ନିଜର ୨ ବର୍ଷ ମଧ୍ୟ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଆପଣମାନଙ୍କ ଗହଣକୁ ଆସିବା, ମୟୂରଭଞ୍ଜ ଆସିବାର ଏହି ସୌଭାଗ୍ୟ ଏବଂ ଏତେ ବଡ଼ ସଂଖ୍ୟାରେ ଆପଣମାନଙ୍କ ଉପସ୍ଥିତି, ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଆପଣମାନଙ୍କର ଏହି ଆପଣାପଣ ମୋତେ ବାରମ୍ବାର ଏଠାକୁ ଟାଣି ଆଣେ। ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଡବଲ୍ ଇଞ୍ଜିନ ସରକାରରେ ବିକାଶ ଯାତ୍ରାର ମଧ୍ୟ ବଧେଇ ଜଣାଉଛି, ଶୁଭକାମନା ଜଣାଉଛି। ଏଥିସହିତ, ଏହି ଅବସରରେ ମୁଁ ପଣ୍ଡିତ ରଘୁନାଥ ମୁର୍ମୁ, ଡକ୍ଟର ଦମୟନ୍ତୀ ବେଶ୍ରା ଏବଂ ଶ୍ରୀ ଚରଣ ହେମ୍ବ୍ରମଙ୍କ ଭଳି ମହାନ ବ୍ୟକ୍ତିତ୍ୱମାନଙ୍କୁ ମଧ୍ୟ ପ୍ରଣାମ କରୁଛି। ଶ୍ରୀ ରଘୁନାଥ ମୁର୍ମୁ ସନ୍ଥାଳୀ ଭାଷା ପାଇଁ ‘ଅଲ୍ ଚିକି’ ଲିପିର ସୃଷ୍ଟି କରିଥିଲେ। ଆମ ସରକାର ସନ୍ଥାଳୀ ଭାଷାରେ ଭାରତର ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶା ସରକାର ମଧ୍ୟ ଏହି ସମସ୍ତ ମହାନୁଭବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି।
ବନ୍ଧୁଗଣ,
ଆଜିର ଏହି ଅବସର ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର, କାରଣ ମୟୂରଭଞ୍ଜର ମାଟିରେ ବଢ଼ିଥିବା, ଓଡ଼ିଶାର ଝିଅ, ମାନ୍ୟବର ରାଷ୍ଟ୍ରପତି ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଜି ତାଙ୍କର ଜନ୍ମଦିନ ମଧ୍ୟ। ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି, ମୁଁ ତାଙ୍କର ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ଭଗବାନ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି। ଓଡ଼ିଶାର ଝିଅ ଆଜି ଦେଶର ଏତେ ବଡ଼ ପଦବୀରେ ପହଞ୍ଚିଛନ୍ତି, ଆମକୁ ମାର୍ଗଦର୍ଶନ କରୁଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ୱ, ତାଙ୍କର ଉଦାର ଓ ସ୍ନେହୀ ସ୍ୱଭାବ, ରାଷ୍ଟ୍ର ଏବଂ ସମାଜର ସେବା ପାଇଁ ତାଙ୍କର ଅଟଳ ସମର୍ପଣ, ସେ କେବଳ ମୟୂରଭଞ୍ଜ ନୁହେଁ, ସମଗ୍ର ଓଡ଼ିଶାର ପରିଚୟକୁ ସଶକ୍ତ କରିଛନ୍ତି। ମୁଁ ଏହି ଅବସରରେ, ତାଙ୍କୁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଏହି କାର୍ଯ୍ୟକ୍ରମ ଯେତେବେଳେ ପ୍ରସ୍ତୁତ ହେଲା, ସେତେବେଳେ କେମିତି ଏ ଯାତାୟାତ ପ୍ରସ୍ତୁତ ହେବ ସେ ନେଇ ଅନେକ ଚର୍ଚ୍ଚା ହେଉଥିଲା। କିନ୍ତୁ କୌଣସି ସ୍ଥିର ହୋଇପାରୁ ନଥିଲା। ୨୧ ଜୁନ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ କୋଲକାତାରେ ସ୍ଥିର ହେଲା, ତେଣୁ ମୁଁ କହିଲି ଏହା ଭଲ କଥା, ଆଜି ବଙ୍ଗ ଦିବସ ମଧ୍ୟ, ତେବେ କାହିଁକି ମୁଁ ସକାଳେ ମୟୂରଭଞ୍ଜ ହୋଇ ସନ୍ଧ୍ୟାରେ କୋଲକାତାର କାର୍ଯ୍ୟକ୍ରମକୁ ନ ଯିବି। ଏବଂ ଏହି କାରଣରୁ ଏହି ୨୦ ଜୁନ୍ ସ୍ଥିର ହେଲା। କିନ୍ତୁ କିଛି ଜିନିଷ ଏଭଳି ଥାଏ, ଯାହାର ମଙ୍ଗଳ କାମନା ଈଶ୍ୱରଙ୍କ ଅଧୀନରେ ଥାଏ, ଏବଂ ସେଥିପାଇଁ ଆଜି ଏକ ଶୁଭ ମଙ୍ଗଳ ହୋଇଗଲା ଯେ ରାଷ୍ଟ୍ରପତିଙ୍କ ଜନ୍ମଦିନରେ ମଧ୍ୟ, ମୋତେ ଆଜି ତାଙ୍କ ଗାଁକୁ ଯାଇ ତାଙ୍କୁ ଶୁଭକାମନା ଜଣାଇବାର ସୁଯୋଗ ମିଳିଲା।
ବନ୍ଧୁଗଣ,
ଆଜି ମୁଁ ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ମଧ୍ୟ ଯାଇଥିଲି। ମୁଁ ଏହି ଅଞ୍ଚଳର ପିଲାମାନଙ୍କ ପାଇଁ ତାଙ୍କଦ୍ୱାରା ନିର୍ମିତ ସ୍କୁଲକୁ ମଧ୍ୟ ଯାଇଥିଲି। ପିଲାମାନଙ୍କ ସହ କିଛି ସ୍ମରଣୀୟ ସମୟ ବିତାଇବାର ସୁଯୋଗ ମୋତେ ମିଳିଲା। ମୁଁ ଦେଖୁଥିଲି, ପିଲାମାନଙ୍କ ମୁହଁର ଚମକ, ରାଷ୍ଟ୍ରପତିଙ୍କ ଉପସ୍ଥିତି ଏବଂ ଆତ୍ମୀୟତା, ସେଠାରେ ମୋତେ ଏମିତି ଆଦୌ ଲାଗିଲା ନାହିଁ ଯେ କୌଣସି ପିଲାକୁ ଅନୁଭବ ହୋଇଥିବ ଯେ ରାଷ୍ଟ୍ରପତି ଆସିଛନ୍ତି, ବରଂ ପ୍ରତ୍ୟେକ ପିଲାକୁ ଲାଗୁଥିଲା ଯେମିତି ସେମାନଙ୍କ ମା’ ଆସିଛନ୍ତି। ସେହି ପିଲାମାନେ ମଧ୍ୟ ବହୁତ ଭାଗ୍ୟବାନ, କିଭଳି ଭାବେ ଏହି ଅଞ୍ଚଳର ଗରିବ, ବଞ୍ଚିତ ଏବଂ ଆଦିବାସୀ ସମାଜର ପିଲାମାନଙ୍କୁ ପ୍ରେରଣା ମିଳୁଛି, ସେମାନଙ୍କୁ ଦେଶ ପାଇଁ କିଛି ବଡ଼ କରିବାର ଆତ୍ମବିଶ୍ୱାସ ମିଳୁଛି। ମୁଁ ରାଷ୍ଟ୍ରପତିଙ୍କ ନିକଟରେ କୃତଜ୍ଞ ଯେ ସେ ଆଜି ମୋତେ ଏହି ଅନୁଭୂତି ସାଉଁଟିବାର ସୁଯୋଗ ଦେଲେ। ଏହି ଦିନଟି, ଏକ ପ୍ରକାରେ ମୋର ଶିକ୍ଷାର ଦିବସ ଥିଲା, ମୋ ପାଇଁ କିଛି ଶିଖିବାର ସୁଯୋଗ ଥିଲା।
ବନ୍ଧୁଗଣ,
ମୁଁ ଆପଣମାନଙ୍କୁ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ ମଧ୍ୟ ଜଣାଇବାକୁ ଚାହେଁ ଯେ ପାହାଡ଼ପୁର ଗାଁକୁ ଏବେ ଦ୍ରୁତ ଗତିରେ ‘ସୌର ଗ୍ରାମ’ ଅର୍ଥାତ୍ ସୋଲାର ଭିଲେଜ୍ ଭାବେ ବିକଶିତ କରାଯିବ। ଅର୍ଥାତ୍ ଏଠାରେ ପ୍ରତ୍ୟେକ ଘରେ ସୌର ବିଦ୍ୟୁତ୍ ଅମଳ ହେବ, ଏହା ସୁନିଶ୍ଚିତ କରାଯିବ। ଏବଂ ଆମେ ତ ବହୁତ ଗର୍ବର ସହ କହିପାରିବା ଯେ ଏହା ହିଁ ସେହି ଓଡ଼ିଶା, ଯେଉଁଠି କୋଣାର୍କରେ ସୂର୍ଯ୍ୟ ମନ୍ଦିରର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଠିକ୍ ସେହିପରି ପାହାଡ଼ପୁର ସୌରଗ୍ରାମର ପରିଚୟ ପାଲଟିବ। ସୌରଗ୍ରାମ ଭାବେ ସମଗ୍ର ଗାଁ ଯେପରି ପେ ପରିଚିତ ହେବ, ସେହି ଦିଗରେ କାମ ଯେପରି ତୁରନ୍ତ ଆରମ୍ଭ ହେବ, ତାହା ମୋର ପ୍ରୟାସ ରହିବ। ଏହି ଅଭିଯାନ ଦ୍ୱାରା, ପାହାଡ଼ପୁରର ଲୋକମାନଙ୍କୁ ମାଗଣା ସୌର ବିଦ୍ୟୁତ୍ ମଧ୍ୟ ମିଳିବ ଏବଂ ଯେଉଁ ଅଧିକ ବିଦ୍ୟୁତ୍ ରହିବ, ତାହା ସେମାନଙ୍କର ଆୟ ମଧ୍ୟ ବଢ଼ାଇବ।
ବନ୍ଧୁଗଣ,
ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାରଙ୍କ ୨ ବର୍ଷ ଅନେକ ଦୃଷ୍ଟିରୁ ଐତିହାସିକ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀଙ୍କ ନେତୃତ୍ୱରେ ଆଜି ଓଡ଼ିଶା ଦ୍ରୁତ ଗତିରେ ବିକାଶ ପଥରେ ଆଗକୁ ବଢ଼ୁଛି। ଆଜି ଏଠାରେ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ଦ୍ୱାରା ସାଧାରଣ ମଣିଷର ଜୀବନ ବଦଳୁଛି। ଓଡ଼ିଶାରେ ଅର୍ଥନୈତିକ କାର୍ଯ୍ୟକଳାପ, ପୁଞ୍ଜିନିବେଶ ଏବଂ ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିବାର ସାମର୍ଥ୍ୟ ଆଜି ସ୍ପଷ୍ଟ ଦେଖାଯାଉଛି। ଏଠାରେ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ପାଇଁ ଦ୍ରୁତ ଗତିରେ କାମ ଚାଲିଛି।
ବନ୍ଧୁଗଣ,
କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟି ହେଉଛି- ପୂର୍ବ ଭାରତର ବିକାଶରୁ ଭାରତର ବିକାଶ। ସେଥିପାଇଁ ଆମେ ‘ପୂର୍ବୋଦୟ’ ନୀତି ଉପରେ କାମ କରୁଛୁ। କଂଗ୍ରେସ ଶାସନ କାଳରେ ଯେଉଁ ପୂର୍ବ ଭାରତକୁ ପଛୁଆପଣର ପର୍ଯ୍ୟାୟ ବୋଲି ଧରିନିଆଯାଇଥିଲା, ଆଜି ତାହା ପ୍ରଗତିର ପ୍ରବେଶ ଦ୍ୱାର ସାଜୁଛି। ଆଜି ଓଡ଼ିଶା ନିଜେ ଏହି ରୂପାନ୍ତରଣର ସାକ୍ଷୀ ହେଉଛି।
ବନ୍ଧୁଗଣ,
ଓଡ଼ିଶା ପାଖରେ ସମୁଦ୍ର ଅଛି, ଖଣିଜ ସମ୍ପଦ ଅଛି, କୃଷିର ଶକ୍ତି ଅଛି ଏବଂ ସବୁଠାରୁ ସାମର୍ଥ୍ୟବାନ ଏଠାକାର ଯୁବ ପ୍ରତିଭା ଅଛନ୍ତି। ଏହି ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ଆମେ ମିଳିମିଶି କାର୍ଯ୍ୟ କରୁଛୁ। ସେଥିପାଇଁ, ଆଜି ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ରେକର୍ଡ ପୁଞ୍ଜିନିବେଶ ହେଉଛି। ନୂତନ ସଡ଼କ ଏବଂ ଅର୍ଥନୈତିକ କରିଡର ନିର୍ମାଣ ହେଉଛି। ବନ୍ଦର ଗୁଡ଼ିକର ସମ୍ପ୍ରସାରଣ କରାଯାଉଛି। ଶକ୍ତି, ସେମିକଣ୍ଡକ୍ଟର, ସବୁଜ ଶକ୍ତି ଏବଂ ଆଧୁନିକ ଶିଳ୍ପଗୁଡ଼ିକରେ ପୁଞ୍ଜିନିବେଶ ଆସୁଛି। ଆଜି ମଧ୍ୟ ଏଠାରେ ଓଡ଼ିଶାର ବିକାଶ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ବାବଦରେ ପ୍ରାୟ ୪୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଦ୍ୟୁତ୍, ସଡ଼କ, ରେଳପଥ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସହ ଜଡ଼ିତ ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଆପଣ ସମସ୍ତଙ୍କୁ ବହୁତ ସୁବିଧା ମିଳିବ। ମୁଁ ଏହି ସମସ୍ତ ପ୍ରକଳ୍ପ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ବହୁତ ବହୁତ ବଧାଇ ଜଣାଉଛି।
ବନ୍ଧୁଗଣ,
ଆମ ସରକାର ଓଡ଼ିଶାର ସମ୍ବଳକୁ ଓଡ଼ିଶାର ସମ୍ଭାବନାରେ ପରିଣତ କରୁଛନ୍ତି। ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ ଆସୁ, ଏଠାରେ ନୂତନ ଶିଳ୍ପ ପ୍ରତିଷ୍ଠା ହେଉ, ସେଥିପାଇଁ ‘ଉତ୍କର୍ଷ ଓଡ଼ିଶା’ ଭଳି ଅଭିଯାନ ଚଲାଯାଉଛି। ଏହା ଅଧୀନରେ, ଏପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିସାରିଛି। ସାଢ଼େ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ମେଗା ପ୍ରକଳ୍ପ ଉପରେ ମଧ୍ୟ କାମ ଚାଲିଛି। ଶିଳ୍ପଗୁଡ଼ିକ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଉଛି। ବିଦ୍ୟୁତ୍ କ୍ଷେତ୍ରରେ ୬ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରାଯାଉଛି। ‘ସମୃଦ୍ଧ ସହର ଯୋଜନା’ ଅଧୀନରେ ସହରାଞ୍ଚଳ ବିକାଶକୁ ଗତି ପ୍ରଦାନ କରାଯାଉଛି। ଆଗାମୀ ବର୍ଷଗୁଡ଼ିକରେ ଏହି ସମସ୍ତ ପ୍ରୟାସର ସୁଫଳ ଆମକୁ ଦେଖିବାକୁ ମିଳିବ।
ବନ୍ଧୁଗଣ,
ଡବଲ୍ ଇଞ୍ଜିନ ସରକାରଙ୍କର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହା ନିଜେ ଜନସାଧାରଣଙ୍କ ପାଖରେ ପହଞ୍ଚିଥାଏ। ଆମର ପ୍ରୟାସ ହେଉଛି ଜଣେ ସାଧାରଣ ନାଗରିକଙ୍କୁ କୌଣସି ସମସ୍ୟାର ସମାଧାନ ପାଇଁ ଯେପରି ଅନାବଶ୍ୟକ ଭାବେ ଦୌଡ଼ାଦୌଡ଼ି କରିବାକୁ ନ ପଡ଼େ। ଏହି ପ୍ରୟାସର ଫଳସ୍ୱରୂପ ଆଜି ଯୁବପିଢ଼ି, ମହିଳା, ଚାଷୀ ଏବଂ ସାଧାରଣ ଲୋକଙ୍କ ଆଶା-ଆକାଂକ୍ଷା ପୂରଣ ହେଉଛି। ଆପଣ ଦେଖନ୍ତୁ, ଧାନ କିଣା ବେଳେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପ୍ରତି ୩,୧୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଗଲା। ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ଏକ କୋଟିରୁ ଅଧିକ ମା’ ଓ ଭଉଣୀମାନଙ୍କ ପାଖକୁ ଆର୍ଥିକ ସହାୟତା ପହଞ୍ଚାଗଲା। ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଲାଗୁ କରି ରାଜ୍ୟର ପରିବାରଗୁଡ଼ିକ ପାଇଁ ସାରା ଦେଶର ଚିକିତ୍ସାଳୟଗୁଡ଼ିକରେ ମାଗଣା ଚିକିତ୍ସାର ଦ୍ୱାର ଖୋଲି ଦିଆଗଲା। ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ମଝିରୁ ବନ୍ଦ ନ ହୁଏ, ସେଥିପାଇଁ ‘ମାଧୋ ସିଂହ ହାତ-ଖର୍ଚ୍ଚ ଯୋଜନା’ ଆରମ୍ଭ କରାଗଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତମାନଙ୍କ ଭାବନାକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ଦ୍ୱାର ଖୋଲି ଦିଆଗଲା, ଚାରୋଟି ଯାକ ଦ୍ୱାର ଖୋଲି ଦିଆଗଲା। ଡବଲ୍ ଇଞ୍ଜିନର ଶକ୍ତି ମିଳିବା ଯୋଗୁଁ ଆଜି ଏଠାରେ ଚାରି ଦିଗରେ ବିକାଶ ସୁନିଶ୍ଚିତ ହେଉଛି।
ବନ୍ଧୁଗଣ,
ଏଠାରେ ବିଗତ ଦିନଗୁଡ଼ିକରେ ସ୍ୱଚ୍ଛତାକୁ ନେଇ ଯେଉଁ ସ୍ୱତନ୍ତ୍ର ଅଭିଯାନ ଚାଲିଛି, ସେ ବିଷୟରେ ମଧ୍ୟ ମୁଁ ସୂଚନା ପାଇଛି। ଏବଂ ମୁଁ ଦେଖୁଥିଲି ସୋସିଆଲ ମିଡିଆରେ ତ ସଫେଇ ଅଭିଯାନ ଛାଇ ରହିଛି, ଅର୍ଥାତ୍ ‘ସ୍ୱଚ୍ଛତାରୁ ସ୍ୱାଗତ’। ମୁଁ ଓଡ଼ିଶାର ଏହି ପଦକ୍ଷେପ ପାଇଁ ଏଠାକାର ନାଗରିକଙ୍କୁ, ସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ବହୁତ ପ୍ରଶଂସା କରୁଛି ଏବଂ ସନ୍ତୋଷ ପ୍ରକାଶ କରୁଛି।
ବନ୍ଧୁଗଣ,
ସ୍ୱଚ୍ଛତା ଆମ ଜୀବନଶୈଳୀର ଏକ ଅଂଶ ହେବା ଉଚିତ, ପ୍ରତିଦିନର ଅଭ୍ୟାସ ହେବା ଆବଶ୍ୟକ। ମୁଁ ଏଠାରେ ସ୍ୱଚ୍ଛତା ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ମୁଁ ମୋ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ସମୟ ଜନଜାତି ଅଞ୍ଚଳରେ ଜଣେ ସ୍ୱେଚ୍ଛାସେବୀ ଭାବେ କାମ କରିଛି। ମାନ୍ୟବର ରାଷ୍ଟ୍ରପତି ତ ବର୍ଷ ବର୍ଷ ଧରି ଏଭଳି ଅଞ୍ଚଳରେ ଅନେକ ଆହ୍ୱାନର ସାମ୍ନା କରିଆସିଛନ୍ତି। ଆପଣ ଏବଂ ଆମେ ସମସ୍ତେ ଜାଣୁ ଯେ ଜନଜାତି ଅଞ୍ଚଳଗୁଡ଼ିକରେ ଜୀବନର ମୌଳିକ ସୁବିଧା ସହଜରେ ପହଞ୍ଚି ପାରୁ ନଥିଲା। ସେଥିପାଇଁ ଆମ ସରକାର ଜନଜାତିଙ୍କ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ଆମେ ଏଭଳି ଅଞ୍ଚଳକୁ ସୁବିଧା ସୁଯୋଗ ସହ ଯୋଡ଼ିବା ପାଇଁ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଆରମ୍ଭ କଲୁ। ଏହା ଅଧୀନରେ ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ, ଆବାସ ସହ ଜଡ଼ିତ ବିଭାଗଗୁଡ଼ିକ ମିଳିତ ଭାବେ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି, ଯଦ୍ଦ୍ୱାରା ସେଠାରେ ରହୁଥିବା ଲୋକମାନଙ୍କର ସମସ୍ୟା ଦୂର ହୋଇପାରିବ। ସେହିପରି, ‘ପିଏମ୍ ଜନମନ’ ଅଭିଯାନ ତ ରାଷ୍ଟ୍ରପତିଙ୍କ ସହ ହୋଇଥିବା ଆଲୋଚନା ଓ ତାଙ୍କ ମାର୍ଗଦର୍ଶନର ହିଁ ସୁଫଳ। ଏହା ବିଶେଷ କରି ଦେଶର ସେହି ଜନଜାତି ସମୂହ ମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଆଦିବାସୀ ସମୁଦାୟ ମଧ୍ୟରେ ମଧ୍ୟ ସବୁଠାରୁ ପଛରେ ରହିଯାଇଛନ୍ତି। ଏଭଳି ଜନଜାତି ସମୁଦାୟଙ୍କ ପାଖକୁ ଏବେ ସରକାର ନିଜେ ଚାଲି ଚାଲି ସେମାନଙ୍କ ଗାଁ ଓ ସେମାନଙ୍କ ଦୁଆର ମୁହଁରେ ପହଞ୍ଚୁଛନ୍ତି।
ବନ୍ଧୁଗଣ,
ଆଦିବାସୀ ସମାଜର ଉତ୍ଥାନ ପାଇଁ ଆମେ ଆଦିବାସୀ ଯୁବପିଢ଼ିଙ୍କୁ ଶିକ୍ଷା ଏବଂ ରୋଜଗାରର ସୁଯୋଗ ସହ ଯୋଡ଼ୁଛୁ। ଏହି ପିଲାମାନଙ୍କୁ ଯେପରି ପାଠପଢ଼ାର ଭଲ ସୁବିଧା ମିଳିବ, ସେଥିପାଇଁ ଦେଶରେ ପ୍ରାୟ ୫୦୦ଟି ‘ଏକଲବ୍ୟ ମଡେଲ ସ୍କୁଲ’ ଖୋଲାଯାଇଛି। ପ୍ରାୟ ସାଢ଼େ ସାତଶହ ଏକଲବ୍ୟ ସ୍କୁଲ ମଞ୍ଜୁର କରାଯାଇଛି। ପ୍ରାକ୍-ମାଟ୍ରିକ୍ (ପ୍ରି-ମାଟ୍ରିକ୍) ଏବଂ ମାଟ୍ରିକ୍-ପରବର୍ତ୍ତୀ (ପୋଷ୍ଟ-ମାଟ୍ରିକ୍) ସ୍ତରରେ ଦେଢ଼ କୋଟିରୁ ଅଧିକ ଆଦିବାସୀ ପିଲାଙ୍କୁ ଶହ ଶହ କୋଟି ଟଙ୍କାର ବୃତ୍ତି (ସ୍କଲାରସିପ୍) ପ୍ରଦାନ କରାଯାଇଛି। ମୋତେ ଏହା ଜଣାଇ ମଧ୍ୟ ଖୁସି ଲାଗୁଛି ଯେ ଏଠାରେ ମୟୂରଭଞ୍ଜରେ ଆଉ ଏକ ‘ନବୋଦୟ ବିଦ୍ୟାଳୟ’ ପ୍ରତିଷ୍ଠା ପାଇଁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।
ବନ୍ଧୁଗଣ,
ଦୁର୍ଗମ ଅଞ୍ଚଳରେ ରହୁଥିବା ହେତୁ ଜନଜାତି ସମାଜ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ଶିକାର ହୋଇଆସିଛି। ‘ସିକଲ ସେଲ୍ ଆନିମିଆ’ ଭଳି ରୋଗ ଏକ ବଡ଼ ଆହ୍ୱାନ ପାଲଟିଥିଲା। ଆମେ ଏହା ବିରୁଦ୍ଧରେ ସାରା ଦେଶରେ ଅଭିଯାନ ଚଲାଇଲୁ, ଚାରି କୋଟିରୁ ଅଧିକ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଲୁ ଏବଂ ମାଗଣା ଚିକିତ୍ସା ପାଇଁ କୋଟି କୋଟି ଆଦିବାସୀ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଦେଲୁ। ‘ଜଳ ଜୀବନ ମିଶନ’ ଅଧୀନରେ ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଯାଉଛି। ଏହି ସମସ୍ତ ପ୍ରୟାସର ଫଳାଫଳ ଆଜି ଆମକୁ ଦେଖିବାକୁ ମିଳୁଛି। ଆଦିବାସୀ ସମାଜ ଦଶନ୍ଧି ଦଶନ୍ଧି ପୁରୁଣା ସମସ୍ୟାରୁ ବାହାରକୁ ଆସୁଛି ଏବଂ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେଉଛି।
ବନ୍ଧୁଗଣ,
ଆଗକୁ ଆମ ସାମ୍ନାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରହିଛି। ୨୦୩୬ ମସିହାରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ଣ୍ଣ ହେବ। ଏବଂ, ୨୦୪୭ ମସିହାରେ ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ଅର୍ଥାତ୍, ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ ଦିଗରେ ହିଁ ରହିଛି। ଓଡ଼ିଶାର ଅର୍ଥନୀତି ମଜବୁତ ହେଲେ ହିଁ ଭାରତ ମଜବୁତ ହେବ। ଓଡ଼ିଶାର ସାମର୍ଥ୍ୟ ଉପରେ ମୋର ପୂର୍ଣ୍ଣ ଭରସା ଅଛି। ଆମକୁ ମିଳିମିଶି ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ହେବ।
ବନ୍ଧୁଗଣ,
ଆସନ୍ତାକାଲି ୨୧ ଜୁନ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ କରାଯିବ। ଜ୍ଞାନ ଏବଂ ଯୋଗର ଭୂମି ଓଡ଼ିଶା, ଯୋଗ ଏଠାକାର ସଂସ୍କାରର ଏକ ଅଂଶ ହୋଇ ରହିଛି। ମୁଁ ଓଡ଼ିଶାର ଏହି ପବିତ୍ର ମାଟିରୁ ସାରା ଦେଶ ତଥା ସମଗ୍ର ବିଶ୍ୱର ଲୋକମାନଙ୍କୁ ଆହ୍ୱାନ କରୁଛି, ଆପଣ ସମସ୍ତେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗ ଦିବସରେ ଭାଗ ନିଅନ୍ତୁ। ମୁଁ ଆଉଥରେ ଆପଣ ସମସ୍ତଙ୍କୁ ଆଜିର ଏହି ଅବସର ଏବଂ ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମୁଁ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ ସ୍ୱତନ୍ତ୍ର ଭାବେ କୃତଜ୍ଞତା ଜ୍ଞାପନ କରୁଛି ଯେ ମୋତେ ତାଙ୍କ ସହିତ ତାଙ୍କର ଏହି କର୍ମଭୂମିକୁ ଦେଖିବାର ସୁଯୋଗ ମିଳିଲା। ଆଉଥରେ ତାଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭକାମନା। ବହୁତ ବହୁତ ଧନ୍ୟବାଦ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
