- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେବ ଇ-ଗୋପାଳ ଆପ୍; ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ତଥା ସୂଚନା ପୋର୍ଟାଲ, ଯାହାକୁ ଚାଷୀ ସିଧାସଳଖ ବ୍ୟବହାର କରିପାରିବେ
- ବିହାରରେ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ପାଇଁ ଆଉ କେତେକ କାର୍ଯ୍ୟକ୍ରମ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସେପ୍ଟେମ୍ବର 10) ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍ର ଶୁଭାରମ୍ଭ କରାଯିବ । ଏହି ଆପ୍ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ । ଏହାଛଡା ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ପଶୁ ସଂପଦ ଓ ମତ୍ସ୍ୟ ଚାଷ ବିକାଶ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ତଥା ଡେରି ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଦେଶର ମତ୍ସ୍ୟ ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ସାଧନ ପାଇଁ ଉଦ୍ଦିଷ୍ଟ ଏକ ଧ୍ୱଜାଧାରୀ କେନ୍ଦ୍ରୀୟ କାର୍ଯ୍ୟକ୍ରମ । ଚଳିତ ଆର୍ଥିକ ବର୍ଷରୁ 2024-25, ପାଞ୍ଚ ବର୍ଷ ମଧ୍ୟରେ ଏହି ଉଦ୍ୟୋଗରେ 20,050 କୋଟି ଟଙ୍କା ବିନିଯୋଗ କରିବାର ଲକ୍ଷ୍ୟ ରଖାଯାଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜ ମାଧ୍ୟମରେ ଏହି ଅର୍ଥ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିନିଯୋଗ ହେବ । ମତ୍ସ୍ୟ ଉଦ୍ୟୋଗ ପାଇଁ ଏହି ବ୍ୟୟ ଅଟକଳ ଏଯାଏଁ ସର୍ବବୃହତ୍ । ଏଥିମଧ୍ୟରୁ 12,340 କୋଟି ଟଙ୍କା ସାମୁଦ୍ରିକ ଓ ଅନ୍ତର୍ଦେଶୀୟ ମତ୍ସ୍ୟଚାଷ ତଥା ସଂପୃକ୍ତ ହିତାଧିକାରୀଙ୍କ ଉନ୍ନତିକଳ୍ପେ ଖର୍ଚ୍ଚ କରାଯିବ । ଅବଶିଷ୍ଟ 7,710 କୋଟି ଟଙ୍କା ମତ୍ସ୍ୟ ଉଦ୍ୟୋଗରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟ ହେବ ।
ଏହି ମତ୍ସ୍ୟ ସଂପଦ ଯୋଜନା ମାଧ୍ୟମରେ ସରକାର 2024-25 ଆର୍ଥିକ ବର୍ଷ ସୁଦ୍ଧା ଅତିରିକ୍ତ 70 ଲକ୍ଷ ଟନ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡା ଏହି ସମୟ ମଧ୍ୟରେ ଦେଶର ମାଛ ରପ୍ତାନୀଜନିତ ଆୟ 1 ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ମତ୍ସ୍ୟଜୀବୀ ଏବଂ ମାଛଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ସହ ମାଛ ଅମଳ ପରବର୍ତ୍ତୀ କ୍ଷତିକୁ 10 ଶତାଂଶ ଭିତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଉତ୍ପାଦିତ ମାଛ ମଧ୍ୟରୁ 20ରୁ 25 ଶତାଂଶ ପଚିସଢ଼ି ଯାଉଛି । ମତ୍ସ୍ୟ ଉଦ୍ୟୋଗରେ ପୁଞ୍ଜି ନିବେଶ ବଢିଲେ ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ; ଫଳରେ ଲୋକଙ୍କୁ ରୋଜଗାର ମିଳିପାରିବ ।
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଥିବା ପ୍ରମୁଖ ଅଭାବ ଓ ଅସୁବିଧା ଦୂର କରିବା ପାଇଁ ଉଦ୍ଦିଷ୍ଟ । ଉତ୍ପାଦନ ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ମାନ, ଟେକ୍ନୋଲଜିର ପ୍ରୟୋଗ, ମାଛଧରା ପରବର୍ତ୍ତୀ ସଂରକ୍ଷଣ ନିମନ୍ତେ ତାହାର ପରିଚାଳନା, ଏହି କ୍ଷେତ୍ରର ଆଧୁନିକୀକରଣ ଏବଂ ଭ୍ୟାଲୁଚେନ ପ୍ରତିଷ୍ଠା ଆଦି ଉପରେ ଏହି ଯୋଜନା ଗୁରୁତ୍ୱ ଦେଉଛି । ମାଛ ଧରିବାଠାରୁ ବିକ୍ରିବଟା ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାରେ ଯେଉଁ ଭିତ୍ତିଭୂମିଗତ ଅଭାବ ରହିଛି ତାହାକୁ ଦୂର କରିବା ପାଇଁ ମଧ୍ୟ ଯୋଜନାରେ ବ୍ୟବସ୍ଥା ରହିଛି । ନୀଳ ବିପ୍ଳବର ଲାଭକୁ ଅଧିକ ସୁସଂହତ କରିବା ସହିତ ଏଥିରେ ଅଧିକରୁ ଅଧିକ ସୁବିଧା ଲୋକଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରାଯାଇଛି । ମାଛଚାଷୀ ଏବଂ ବ୍ୟବସାୟୀଙ୍କୁ ମାଛଧରା ଡଙ୍ଗାର ବୀମା, ଏସବୁ ଡଙ୍ଗାର ବିକାଶ, ବାୟୋଟଏଲେଟ୍ସ, ଲୁଣାପାଣିରେ ମାଛଚାଷ, ସାଗର ମିତ୍ର, ଇଏଫ୍ପି/ସିଏସ୍ କ୍ଷୁଦ୍ର ବ୍ରିଡିଂ ସେଣ୍ଟର, ମାଛ ଓ ମାଛଚାଷ ଷ୍ଟାର୍ଟର, ଇନ୍କ୍ୟୁବେଟର, ଇଣ୍ଟିଗ୍ରେଟେଡ ଆକ୍ୱାପାର୍କ, ସମନ୍ୱିତ ଉପକୂଳ ମାଛଧରା ଗ୍ରାମର ବିକାଶ, ଆକ୍ୱାଟିକ୍ ଲାବରେଟୋରୀ ବ୍ୟବସ୍ଥା, ସାର୍ଟିଫିକେଟ ଓ ଆକ୍ରିଡେସନ ବ୍ୟବସ୍ଥା, କେଜ କଲଚର, ଇ-ଟ୍ରେଡିଂ ଓ ମାର୍କେଟିଂ ଏବଂ ଫିସେରି ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ଯୋଜନା କରିଛନ୍ତି ।
ଏହି ଯୋଜନାରେ ପ୍ରାଥମିକଭାବେ କ୍ଳଷ୍ଟର ବା ଅଞ୍ଚଳଭିତ୍ତିକ ପଦକ୍ଷେପ ଗ୍ରହଣ କରାଯିବ । ଏଥିରେ ଯୋଗାଯୋଗ ସୁବିଧା ଥିବା ଉପଯୁକ୍ତ ଅଞ୍ଚଳ ବାଛି ସେଠାରେ ମାଛଚାଷ କ୍ଲଷ୍ଟରମାନ ତିଆରି ହେବ । ସିୱିଡ୍ ଓ ଅର୍ଣ୍ଣାମେଣ୍ଟାଲ ଫିସ୍ ଚାଷ କରାଯାଇ ସେଥିରେ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ । ଏହିସବୁ ଚାଷ ପାଇଁ ମତ୍ସ୍ୟ ଚାଷୀ ଯେପରି ଉତ୍ତମମାନର ବିହନ, ମାଛଖାଦ୍ୟ, ବିପଣନ ଓ ଅନ୍ୟାନ୍ୟ ସୁବିଧା ପାଆନ୍ତି ତାହା ସୁନିଶ୍ଚିତ ହେବ ।
ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ମତ୍ସ୍ୟ ବିଭାଗ 21ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଥମ ପର୍ଯ୍ୟାୟରେ 1,723 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି । ଯେଉଁସବୁ ପ୍ରକଳ୍ପରେ ରୋଜଗାର ବୃଦ୍ଧିର ସୁଯୋଗ ରହିଛି ସେସବୁକୁ ଅଗ୍ରାଧିକାର ଦିଆଯାଇଛି ।
ବିହାରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ 1,390 କୋଟି ଟଙ୍କା ବିନିଯୋଗ କରାଯିବାର ପରିକଳ୍ପନା ରହିଛି । ସେଥିରୁ କେନ୍ଦ୍ର ସରକାରଙ୍କ ଅଂଶ 535 କୋଟି ଟଙ୍କା । ଏହାଦ୍ୱାରା ସେହି ରାଜ୍ୟରୁ ଅତିରିକ୍ତଭାବେ 3 ଲକ୍ଷ ଟନ ବାର୍ଷିକ ଅଧିକ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମତ୍ସ୍ୟଚାଷ ବିକାଶ ସଂକ୍ରାନ୍ତ ବିହାର ସରକାରଙ୍କ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ସେଥିରେ ମୋଟ 107 କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ମତ୍ସ୍ୟସେବା କେନ୍ଦ୍ର, ବ୍ରୁଡ ବ୍ୟାଙ୍କ (ବିହନ ଉତ୍ପାଦନ କେନ୍ଦ୍ର) ଓ ଯାଅଁଳ ବିକ୍ରୟ କେନ୍ଦ୍ରମାନ ପ୍ରତିଷ୍ଠା କରି ଚାଷୀଙ୍କୁ ସହାୟତା କରିବେ ।
ମତ୍ସ୍ୟଚାଷ ସଂକ୍ରାନ୍ତ ଅନ୍ୟାନ୍ୟ ଉଦ୍ୟୋଗର ଉଦ୍ଘାଟନ
ପ୍ରଧାନମନ୍ତ୍ରୀ ସୀତାମାଢିଠାରେ ଏକ ଫିସ୍ ବ୍ରୁଡ ବ୍ୟାଙ୍କ (ଯାଅଁଳ ଉତ୍ପାଦନ କେନ୍ଦ୍ର) ପ୍ରତିଷ୍ଠା ବିଷୟରେ ଘୋଷଣା କରିବେ । ଏହାଛଡା କିଷାନଗଞ୍ଜରେ ମତ୍ସ୍ୟରୋଗ ଗବେଷଣାଗାର ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ସହାୟତା ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ବିହାରରେ ମାଛଚାଷ ପାଇଁ ସୁବିଧା ଚାଷୀଙ୍କୁ ମିଳିପାରିବ ବୋଲି ଆଶା କରାଯାଉଛି । ଏହାଛଡା ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମାଧେପୁରାଠାରେ ଏକ ମାଛଖାଦ୍ୟ ମିଲ୍ ଏବଂ ପାଟନାରେ ଦୁଇଟି ଫିସ୍ ଅନ୍ ହୁଇଲ ୟୁନିଟକୁ ଉଦ୍ଘାଟନ କରିବେ । ନୀଳ ବିପ୍ଳବ ଯୋଜନାରେ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ସହାୟତା ଯୋଗାଇ ଦେଇଛନ୍ତି । ଏହି ଅବସରରେ ସେ କେତେକ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିହାରର ସମସ୍ତିପୁର ଜିଲାର ପୁସାସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ମାଛ ଯାଅଁଳ ଉତ୍ପାଦନ ଟେକ୍ନୋଲଜି କେନ୍ଦ୍ରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବେ । ଏହାଛଡା ସେଠାରେ ନୂଆକରି ପ୍ରତିଷ୍ଠା କରାଯାଇଥିବା ମତ୍ସ୍ୟରୋଗ ସଂକ୍ରାନ୍ତ ରେଫରାଲ ଲାବରେଟୋରୀ, ଡାଇଗ୍ନୋଷ୍ଟିକ ଟେଷ୍ଟିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବ ।
ଇ-ଗୋପାଳ ଆପ୍
ଉତ୍ତମ କିସମର ପଶୁପକ୍ଷୀ ପାଳନ ପାଇଁ ଚାଷୀଙ୍କୁ ଆବଶ୍ୟକ ସୁବିଧା ଓ ତଥ୍ୟାବଳୀ ଯୋଗାଇ ଦେବାକୁ ଇ-ଗୋପାଳ ଆପ୍ର ପରିକଳ୍ପନା କରାଯାଇଛି । ଏଥିରେ ରୋଗମୁକ୍ତ ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ମାଛଙ୍କ ଜର୍ମ ପ୍ଲାଜମା ଯଥା ଶୁକ୍ର, ଭ୍ରୂଣ ଆଦି ଚିହ୍ନଟ କରି କିଣିବା ପାଇଁ ଚାଷୀଙ୍କ ପାଖରେ ଏଯାଏଁ କୌଣସି ସୁବିଧା ନ ଥିଲା । ଏଥିପାଇଁ ଇ-ଗୋପାଳ ଆପ୍ ପ୍ରସ୍ତୁତ କରାଯାଇଛି । ଏହା ଏକ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରି ନିଜ ମନ ପସନ୍ଦର ପ୍ରଜାତିର ପଶୁପକ୍ଷୀ କିଣିପାରିବେ । ବସ୍ତୁତଃ ଏହା ଏକ ଇ-ମାର୍କେଟ । ଆହୁରି ମଧ୍ୟ କୃତ୍ରିମ ପ୍ରଜନନ, ଉନ୍ନତମାନର ପ୍ରଜାତି ସୃଷ୍ଟି ପାଇଁ ସଙ୍ଗମ, ପ୍ରାଥମିକ ଚିକିତ୍ସା ସୁବିଧା, ଟିକାଦାନ, ଚିକିତ୍ସା ଆଦି ସମସ୍ତ ବିଷୟରେ ଚାଷୀଙ୍କୁ ତଥ୍ୟ ମିଳିପାରିବ । ଗୃହପାଳିତ ପଶୁପକ୍ଷୀଙ୍କୁ କେତେବେଳେ କେଉଁ ଔଷଧ ଦିଆଯିବ ଏବଂ ସେମାନଙ୍କର କିପରି ଯତ୍ନ ନିଆଯିବ ସେ ସଂକ୍ରାନ୍ତ ସମସ୍ତ ତଥ୍ୟ ଏହି ଆପ୍ରେ ଉପଲବ୍ଧ ହେବ ।
ଅନ୍ୟାନ୍ୟ କ୍ଷେତ୍ର
ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ରାଷ୍ଟ୍ରୀୟ ଗୋକୁଳ ମିଶନ ସହାୟତାରେ ପୂର୍ଣ୍ଣିଆରେ ନିର୍ମିତ ହୋଇଥିବା ଏକ ଶୁକ୍ର କେନ୍ଦ୍ରର ଉଦ୍ଘାଟନ କରିବେ । ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ 84 କୋଟି 27 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟ ସରକାର ଏଥିପାଇଁ 75 ଏକର ଜମି ଯୋଗାଇ ଦେଇଛନ୍ତି । ଏହା ସରକାରୀ କ୍ଷେତ୍ରର ସର୍ବବୃହତ୍ ଶୁକ୍ରକେନ୍ଦ୍ର । ଏଥିରୁ ବାର୍ଷିକ 50 ଲକ୍ଷ ଡୋଜ ଶୁକ୍ର ଉତ୍ପାଦିତ ହୋଇପାରିବ । ଏହି କେନ୍ଦ୍ର ମାଧ୍ୟମରେ ବିହାର ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକର ଉତ୍କୃଷ୍ଟ ପ୍ରଜାତିର ଦେଶୀ ଗାଈଙ୍କ ସଂରକ୍ଷଣ ଓ ବିକାଶ ପାଇଁ କାର୍ଯ୍ୟ କରାଯିବ । ସେହିଭଳି ଗୋକୁଳ ମିଶନରେ ପାଟନାର ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ଖୋଲିଥିବା ଆଇଭିଏଫ୍ ଲ୍ୟାବ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ଏବେ ସାରା ଦେଶରେ ଏହାକୁ ମିଶାଇ 30ଟି ଇଟିଟି ଓ ଆଇଭିଏଫ୍ ଲାବରେଟୋରୀ ରହିଛି । ଶତପ୍ରତିଶତ ଅନୁଦାନ ବ୍ୟବସ୍ଥାରେ ଏସବୁ ସ୍ଥାପନ କରାଯାଇଛି । ଦେଶୀ ପ୍ରଜାତିର ଗାଈଙ୍କ କିସମରେ ବିକାଶ ଘଟାଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଏସବୁ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ।
ବେଗୁସରାଇ ଜିଲାର ମାରୋନି ଦୁଗ୍ଧ ସମବାୟ ଦ୍ୱାରା ଗୋକୁଳ ମିଶନରେ ପ୍ରସ୍ତୁତ ହୋଇଥିବା କୃତ୍ରିମ ପ୍ରଜନନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ । ଏହି କେନ୍ଦ୍ରରେ ଗର୍ଭବତୀ ହେବାକୁ ଥିବା ଗାଈର ଛୁଆର ଲିଙ୍ଗ ପୂର୍ବରୁ ନିର୍ଦ୍ଧାରିତ ହେବ । ଏବେ ମାଈ ବାଛୁରୀଙ୍କ ଚାହିଦା ବଢୁଥିବାରୁ ଅଧିକରୁ ଅଧିକ ଗୋପାଳକ ଏହି ପଦ୍ଧତି ଅବଲମ୍ବନ କରୁଛନ୍ତି । ଏଥିରେ 90 ଶତାଂଶରୁ ଅଧିକ ସଫଳତା ମିଳୁଛି । ଅଧିକରୁ ଅଧିକ ମାଈ ବାଛୁରୀ ଜନ୍ମ ହେଲେ ଗାଈଙ୍କ ସଂଖ୍ୟା ବଢିବ ଏବଂ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । ଦେଶରେ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କ ସଂଖ୍ୟା ବଢାଇବା ପାଇଁ ଆଇଭିଏଫ୍ ଟେକ୍ନୋଲଜି ପ୍ରୟୋଗ କରାଯାଉଛି । ଏହାର ଏକ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ଏଥିରେ ଅଧିକ ଦୁଗ୍ଧ ଦେଉଥିବା ସଂଖ୍ୟା ଅଳ୍ପ ଦିନରେ କିପରି ବହୁଗୁଣିତ ହୋଇପାରିବ ସେହି ଜ୍ଞାନକୌଶଳ ଉପଯୋଗ କରାଯାଉଛି ।