Odisha news

ପିପିଲିରେ ନାକାବନ୍ଦୀ : କାମ ନଥାଇ ବାହାରିଲେ ଫାଇନ୍

0

ପିପିଲି : ସାରା ଓଡିଶାରେ ଲକ୍ ଡାଉନ୍ ଘୋଷଣା ହେବା ପରେ ପିପିଲିରେ ଏହାକୁ କଡାକଡି କରାଯାଇଛି। ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ସପନ କୁମାର ନନ୍ଦ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା ଓ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ନାକାବନ୍ଦୀ କରିଛନ୍ତି। ହାଟଛକ, ନିମାପଡାଛକ, ସାତଶଙ୍ଖ, ଟୋଲଗେଟ୍ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନାକାବନ୍ଦୀ ହୋଇଛି। କାମ ନଥାଇ ଘରୁ ବାହାରିଥିବା କିଛି ଲୋକଙ୍କୁ ଫାଇନ ହୋଇଥିବା ବେଳେ କିଛି ଗାଡି ଜବତ ମଧ୍ୟ ହୋଇଛି।

କରୋନା ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ଜୀବନକୁ ବାଜି ଲଗାଇ ପୁଲିସ, ଡାକ୍ତର ଓ ବିଭିନ୍ନ ସରକାରୀ ଅଧିକାରୀ ଦିନରାତି ପରିଶ୍ରମ କରୁଛନ୍ତି। ଲୋକଙ୍କ ଜୀବନ ରକ୍ଷା କରିବା ସମସ୍ତଙ୍କ ପାଇଁ ପ୍ରାଥମିକ କର୍ତ୍ତବ୍ୟ ହୋଇଛି। ଯେଉଁଥି ପାଇଁ ରାଜ୍ୟରେ ମହାମାରୀ ରୋଗ ଆଇନ ବି ଲାଗୁ ହୋଇଛି। ହେଲେ କିଛି ଜଣ କାମ ନଥାଇ ବାହାରେ ବୁଲିବାରେ ବ୍ୟସ୍ତ ଅଛନ୍ତି। ଦରକାର ନଥାଇ ବାହାରକୁ ନ ବାହାରିବାକୁ ସରକାର ବାରମ୍ବାର ଅପିଲ କରିବା ସତ୍ଵେ ମାନୁ ନଥିବା କିଛି ଗାଡିକୁ ଆଜି ପିପିଲି ପୋଲିସ୍ ଜବତ କରିଛି। ୧୦ଟି ମୋଟର ସାଇକେଲ ସହ ଗୋଟିଏ ଅଟୋ ଓ ଟ୍ରକକୁ ଜବତ କରିଛି ପୋଲିସ୍। ଏହାସହ ଦିନ ତମାମ ନାକାବନ୍ଦୀ ବେଳେ ୨୫୦୦ ଟଙ୍କା ଫାଇନ ଆଦାୟ ହୋଇଥିବା ପିପିଲି ଆଇଆଇସି ସୂଚନା ଦେଇଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ଗ୍ରୋସରୀ, ଫଳ, କ୍ଷୀର, ପରିବା ଓ ପାଉଁରୁଟି, ବିସ୍କୁଟ ଦୋକାନ ଖୋଲା ରଖାଯିବାକୁ ଅନୁମତି ଦିଆଯାଇଛି। ସେହିଭଳି ମାଛ, ମାଂସ, ଅଣ୍ଡା ଦୋକାନ ବି ଖୋଲାଯିବାକୁ ଅନୁମତି ରହିଛି। ଏପରିସ୍ଥଳେ ଅନାବଶ୍ୟକ ଦୋକାନ ଖୋଲି ଭୂତାଣୁ ସଂକ୍ରମଣକୁ ପ୍ରୋତ୍ସାହନ ଦେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି। ବୁଧବାର ଠାରୁ ଦରକାର ନଥାଇ କୌଣସି ବ୍ୟକ୍ତି ଘରୁ ବାହାରିଲେ କଠୋର ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି।

Govt
Leave A Reply