ଭୁବନେଶ୍ୱର, ୨୨ ଅପ୍ରେଲ ୨୦୨୬: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ସହିତ ଜାତୀୟ ଜନସମ୍ପର୍କ ଦିବସ ୨୦୨୬ ପାଳନ କରାଯାଇଛି। ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗାଯୋଗ ଏବଂ ଜନସମ୍ପର୍କ ପ୍ରଫେସନାଲ, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ସାମ୍ବାଦିକ ତଥା ଏହି କ୍ଷେତ୍ରର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
ଏଥିରେ ଉଦବୋଧନ ଦେଇ ଜିନ୍ଦଲ ଷ୍ଟିଲର ସଭାପତି ତଥା ଓଡିଶା କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା କହିଥିଲେ ଯେ, “ବିକଶିତ ଓଡ଼ିଶାରେ ଜନସମ୍ପର୍କ ପ୍ରଫେସନାଲମାନଙ୍କର ଏକ ବଡ଼ ଭୂମିକା ରହିଛି କାରଣ ସେମାନେ ଏକ ଅନନ୍ୟ ବ୍ରାଣ୍ଡ ଓଡ଼ିଶା ସୃଷ୍ଟି କରିବାରେ ସାହାଯ୍ୟ କରିପାରିବେ। ଜନସମ୍ପର୍କ କେବଳ କମ୍ପାନୀଗୁଡ଼ିକର ଛବିକୁ ସୁଦୃଢ଼ ରଖିବା ବିଷୟରେ ନୁହେଁ, ଏହା ଲୋକମାନଙ୍କ ସହିତ ସମ୍ପର୍କର ସୁପରିଚାଳନା ତଥା ଦୃଢ଼ ସମ୍ପର୍କ ନିର୍ମାଣ କରିବାର ବିଷୟ ଅଟେ।”
ଜନସମ୍ପର୍କ କ୍ଷେତ୍ର ଉପରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ନେଇ ସେ କହିଥିଲେ ଯେ ଜନସମ୍ପର୍କ ପେଶାଦାରମାନଙ୍କୁ ଏଆଇକୁ ନେଇ ଅସୁରକ୍ଷିତ ମଣିବାର କିଛି ନାହିଁ କାରଣ ଏଆଇ କେବଳ ଏକ ଉପକରଣ, ଏହା ସ୍ୱପ୍ନ ଦେଖିପାରିବ ନାହିଁ ଏବଂ ମାନବୀୟ ସମ୍ପର୍କର ସୁପରିଚାଳନା କରିପାରିବ ନାହିଁ।
ଏହି ଆଲୋଚନାଚକ୍ରରେ ଏକ ଶୈକ୍ଷିକ ଦୃଷ୍ଟିକୋଣ ପ୍ରଦାନ କରି ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ଆନନ୍ଦ ପ୍ରଧାନ କହିଥିଲେ ଯେ “ସାମ୍ବାଦିକତା ପରି ଜନସମ୍ପର୍କ କ୍ଷେତ୍ରରେ ମଧ୍ୟ ନୈତିକତା ରକ୍ଷା କରିବା ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ। ନୈତିକତା ବିନା ଜନସମ୍ପର୍କ କେବଳ ପ୍ରଚାରଭାବେ ପରିଗଣିତ ହେବ। ଜନସମ୍ପର୍କରେ, ପିଆର ପେଶାଦାରମାନଙ୍କ ଭୂମିକା ହେଉଛି ଜନତାଙ୍କ ସହ ସମ୍ପର୍କ ରକ୍ଷାକାରୀ ବ୍ୟକ୍ତିର ଯାହା ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେପରି ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହେଉଛି ମତରେ ବିବିଧତା, ସେହିପରି ପିଆର ବୃତ୍ତିରେ ରହିଥିବା ବ୍ୟକ୍ତିଙ୍କ ବାର୍ତ୍ତା ମଧ୍ୟ ସବୁକିଛିକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ଏବଂ ବାର୍ତ୍ତାରେ ବିବିଧ ଦୃଷ୍ଟିକୋଣ ରହିବା ଉଚିତ।”
ସମାବେଶକୁ ସମ୍ବୋଧିତ କରି ବରିଷ୍ଠ ସାମ୍ବାଦିକ ତଥା ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ଓଡ଼ିଶା ବାଇଟ୍ସ ଏବଂ ଓଡ଼ିଶା ସମ୍ବାଦର ସମ୍ପାଦକ ଶ୍ରୀ ସନ୍ଦୀପ ମିଶ୍ର କହିଥିଲେ ଯେ “ଜନସମ୍ପର୍କ ପ୍ରଫେସନାଲମାନେ ବାର୍ତ୍ତା ପ୍ରସ୍ତୁତ କରନ୍ତି ଏବଂ ପ୍ରସାରିତ କରନ୍ତି, ଯାହା ପ୍ରାୟତଃ ବିଭିନ୍ନ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥାଏ। ଜନସମ୍ପର୍କ ବୃତ୍ତିରେ ରହିଥିବା ବ୍ୟକ୍ତିବିଶେଷ ସେମାନଙ୍କର ପରିଧିକୁ ବିସ୍ତାର କରିବା ଆବଶ୍ୟକ ଏବଂ ବାସ୍ତବିକତା ନେଇ ସଚେତନ ରହିବ ଆବଶ୍ୟକ। ସେମାନଙ୍କ କମ୍ପାନୀ କିମ୍ବା କ୍ଲାଏଣ୍ଟ ପାଇଁ କ’ଣ ଭଲ ତାହା ସହିତ ଲୋକଙ୍କ ପାଇଁ ଏବଂ ଦେଶ ପାଇଁ କ’ଣ ଭଲ ତାହା ଦୃଷ୍ଟିରେ ରଖିବା ଉଚିତ।”
ଏହି ଆଲୋଚନାଚକ୍ରରେ ପିଆରଏସଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶ୍ରୀ ସୁଧି ରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ପିଆରଏସଆଇ ଭୁବନେଶ୍ୱର ଶାଖାର ସଚିବ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜନସମ୍ପର୍କ କ୍ଷେତ୍ରରେ ବୃତ୍ତିଗତ ଉତ୍କର୍ଷତା ଏବଂ ନୈତିକ ମାନଦଣ୍ଡକୁ ଆଗକୁ ବଢ଼ାଇବା ପାଇଁ ପିଆରଏସଆଇ ଭୁବନେଶ୍ୱର ଶାଖାର ପ୍ରତିବଦ୍ଧତାକୁ ଦୋହରାଇଥିଲା।