ଫୁଲବାଣୀ:ବ୍ୟାଙ୍କରେ ବରିଷ୍ଠ ନାଗରିକଙ୍କୁ ଗହଳି ଓ ଖରାରୁ ରକ୍ଷା କରିବାକୁ ବ୍ୟବସ୍ଥା ନାହିଁ ରକ୍ଷା ହେଉନି ସାମାଜିକ ଦୁରତା
ଫୁଲବାଣୀ,୦୩/୦୪ ଏବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରୀବ ଲୋକଙ୍କୁ ପାସବୁକ୍ ଜରିଆରେ କରୋନା ସହାୟତା ରାଶି ପ୍ରଦାନ କରିଥିବା ଏବଂ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ଟଙ୍କା ଉଠାଇବା ଲାଗି ବିଭିନ୍ନ ବ୍ୟାଙ୍କ ଗୁଡକରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ତା’ସାଙ୍ଗକୁ ଏବେ ପେନସନ ଟଙ୍କା ଉଠାଣ ପାଇଁ ବରିଷ୍ଠ ନାଗରିକ ମାନେ ବ୍ୟାଙ୍କର କାର୍ଯ୍ୟକାଳ ଅବଧି ସମୟ କମଥିବାରୁ ଟଙ୍କା ଉଠାଇବା ଲାଗି ସକାଳୁ ସକାଳୁ ଚାଲିଆସୁଛନ୍ତି ବ୍ୟାଙ୍କକୁ । ତେବେ, ବ୍ୟାଙ୍କରେ ସାମାଜିକ ଦୂରତ୍ୱ ରକ୍ଷା କରି ଧାଡି ବାନ୍ଧି ଠିଆ ହେବା କଥା ଏବଂ ସେମାନଙ୍କପାଇଁ ବ୍ୟାଙ୍କ ତରଫରୁ ବାହାରେ ଠିଆ ହେବାପାଇଁ କୌଣସି ଛାଇ କିମ୍ବା ଟେଣ୍ଟର ବ୍ୟବସ୍ଥା କରାଯାଇନାହିଁ ଫଳରେ ସେମାନେ ପ୍ରଚଣ୍ଡ ଖରାରେ କରୋନା ପାଇଁ କୌଣସି ସାମାଜିକ ଦୁରତା ନ ରଖି ବାଧ୍ୟ ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଆଜି ଫୁଲବାଣୀ ବଜାରରେ ଥିବା ଏସବିଆଇ ମେନ ବ୍ରାଂଚ ସମ୍ମୁଖରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଲୋକେ ଶିଘ୍ର ଶିଘ୍ର କାମ ସାରି ଘରକୁ ଯିବାଲାଗି ବ୍ୟସ୍ତ ହୋଇ ଜମା ହୋଇଥିବା ଦେଖାଯାଇଥିଲା । ସେଠାରେ ସୁରକ୍ଷା କର୍ମୀ ଜଣେ ଅଧେ ରହି ଲୋକଙ୍କୁ ଜଣ ଜଣ କରି ବ୍ୟାଙ୍କ ଭିତରକୁ ଛାଡୁଥିଲେ । ହେଲେ ସମ୍ମୁଖରେ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ, ପୋଲିସ ପକ୍ଷରୁ ବ୍ୟାଙ୍କ ଗୁଡିକୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଥିଲା । ତେବେ, ଏକ ମିଟର ଦୂରତ୍ୱ କେହି ରକ୍ଷା ନକରି ପାଖାପାଖି ଛିଡା ହୋଇଥିଲେ । ଫଳରେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଆବଶ୍ୟକ ସ୍ଥଳେ ଭିଡ ହେଲେ ପୋଲିସର ସହାୟତା ନେବା କଥା ବ୍ୟାଙ୍କ କତୃପକ୍ଷ । କିନ୍ତୁ, ବ୍ୟାଙ୍କ କତୃପକ୍ଷ ପୋଲିସର ସହାୟତା ନେଇ ନଥିଲେ । ସେହିପରି ଏଟିଏମରେ ମଧ୍ୟ ଏକା ଅବସ୍ଥା । ଏଥିପ୍ରତି ବ୍ୟାଙ୍କ କତୃପକ୍ଷ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବୀ ହେଉଛି ।