ପୋଲିସ ଗୁଳିରେ ପୁଣି ଜଣେ ମାଓବାଦୀର ମୃତ୍ୟୁ : ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ , ସଫଳତା ପାଇଁ ଏସପିଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଫୁଲବାଣୀ : ରବିବାର ଠାରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅର୍ନ୍ତଗତ ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ ଜାରୀ ରହିଛି । ରବିବାର ଏସଓଜି ଓ ଡିଭିଏଫ ଜବାନ ମାନେ ମାଓକ୍ୟାମ୍ପ ଧ୍ୱଂସ କରିବା ସହ ୪ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ସେଥିରେ ୨ ମହିଳା ମାଓବାଦୀ ମଧ୍ୟ ଥିଲେ । ପୋଲିସ ମାଓକ୍ୟାମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓସାମଗ୍ରୀ ମଧ୍ୟ ଜବତ କରିଥିଲା । ଗତକାଲି ମଧ୍ୟ ସେଠାରେ କମ୍ବିଂ ଅପରେସନ ଚାଲିଥିଲା, ଆଜି ବି ଚାଲିଛି ।

ଆଜି ପୋଲିସ ପୁଣି ଜଣେ ମାଓବାଦୀକୁ ମାରିଥିବା ସୁଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଏହାକୁ ମିଶାଇ ୫ ଜଣ ମାଓବାଦୀଙ୍କ ଏନକାଉଣ୍ଟର ରେ ମୃତୁ୍ୟ ହୋଇଛି ମୃତଦେହକୁ ଫୁଲବାଣୀ ଅଣାଯାଛି । ତଦନ୍ତ କରାଯିବା ପରେ ବ୍ୟବଛେଦ କରାଯିବ । ପୋଲିସ ସିର୍ଲା ଜଙ୍ଗଲକୁ ଚାରିପଟୁ ଆମ୍ବୁସ୍ କରି ରଖିଛି । ଏହି କ୍ୟାମ୍ପରେ ୩୦ରୁ ୩୫ ଜଣ ହାର୍ଡକୋର ମାଓବାଦୀ ଥିଲେ । ଏମାନେ ସବୁ ବାଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ପୋଲିସ କହିଛି । ଆଗକୁ ଆଉ କିଛି ମାଓବାଦୀଙ୍କୁ ମଧ୍ୟ ପୋଲିସ ସଫା କରିବା ଲକ୍ଷ୍ୟ ରଖିଥିବା ଜଣାପଡିଛି । କନ୍ଧମାଳ ପୋଲିସର ଏହା ଏକ ବଡ ସଫଳତା ଅଟେ ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଏସପିଙ୍କୁ ବ୍ୟକ୍ତିଗତ ଭାବରେ ଫୋନ କରି ଶୁଭେଛା ଜଣାଇଛନ୍ତି । ରବିବାର ସିର୍ଲା ଜଙ୍ଗଲରେ ପୋଲିସ ଏନକାଉଂଟର ମୃତୁ୍ୟବରଣ କରିଥିବା ୩ ଜଣ ମାଓବାଦୀଙ୍କ ପରିଚୟ ମିଳିଛି । ଏମାନେ ହେଲେ ଷ୍ଟେଟ କମିଟି ମେମ୍ବର ସୁକ୍ରୁ, ଏରିଆ କମିଟି ମେମ୍ବର ଲିତେଶ, ଏରିଆ କମିଟି ମେମ୍ବର ରୀନା ଓ ଅନ୍ୟଜଣେ ମହିଳା ମାଓବାଦୀର ପରିଚୟ ଜଣାପଡିନି ବୋଲି ପୋଲିସ କହିଛି । ଏହି ହାର୍ଡକୋର ମାଓବାଦୀଙ୍କ ମୁଣ୍ଡରେ ସରକାର ଅର୍ଥରାଶି ଘୋଷଣା କରିଥିଲେ । ଷ୍ଟେଟ କମିଟି ମେମ୍ବର ସୁକ୍ରୁ ମୁଣ୍ଡରେ ୨୦ ଲକ୍ଷ ଟଙ୍କା ଅର୍ଥରାଶି ଘୋଷଣା କରାଯାଇଥିବା ବେଳେ ଅନ୍ୟ ମାନଙ୍କ ମୁଣ୍ଡରେ ୪ ଲକ୍ଷ ଲେଖାଏଁ ଘୋଷଣା କରାଯାଇଥିଲା । ଏମାନେ ସମସ୍ତେ ବାଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ପୋଲିସ କହିଛି ।
