ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଛାପଡା ପୁଲିସ୍ ଗୁରୁବାର ପାହିରାଜୁ ପଂଚାୟତ ଅନ୍ତର୍ଗତ ଡ୍ରେସରୁ ଗ୍ରାମରେ ଚଢାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଆଜି ଏନେଇ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଏକ ପ୍ରେସ ବିବୃତିରେ ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଗତକାଲି ଗୋଛାପଡା ଥାନା ଅନ୍ତର୍ଗତ ପାହିରାଜୁ ପଂଚାୟତର ଡ୍ରେସରୁ ଠାରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇଁ ଗଞ୍ଜେଇ ଠୁଳ କରିଥିବା ବିଶ୍ୱସ୍ଥ ସୂତ୍ରରୁ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ଏହି ସଂକ୍ରାନ୍ତରେ ସେ ଏସଡିପିଓଙ୍କୁ ଅବଗତ କରିବାପରେ ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲି ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ପୁଲିସ ସେଠାରେ ୪୧ଟି ବସ୍ତାରେ ୨୦ କ୍ୱିଣ୍ଟାଲ୍ ୨୦ କିଗ୍ରା ଗଞ୍ଜେଇ ପାଇଥିଲା । ତେବେ ଚଢାଉ ବେଳେ ୨ ଜଣ ମାଫିଆ ଧରାପଡିଥିବା ବେଳେ ଅନ୍ୟ ୧୨ ଜଣ ଫେରାର୍ ହୋଇ ଯାଇଥିଲେ ।
ଧରାପଡିଥିବା ଦୁଇ ଜଣ ହେଲେ ବିଞ୍ଜେ କହଁର(୨୫) ଓ ବଡଗା ଦିଗାଲ(୪୫) । ପୁଲିସ ସେ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେରା କରିଥିଲା । ଜେରାବେଳେ ସେଠାରେ ଠୁଳ ହୋଇଥିବା ଗଞ୍ଜେଇ ୧୪ ଜଣଙ୍କର ଏବଂ ଏହି ସବୁ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ ହେବାକୁ ରଖା ଯାଇଥିବା କହିଥିଲେ । ପୁଲିସ ଗିରଫ ଦୁଇ ଅଭିଯୁକ୍ତଙ୍କ ସମେତ ଫେରାର୍ ହୋଇ ଯାଇଥିବା ଅନ୍ୟ ୧୨ ଜଣ ଏପରି ମୋଟ ୧୪ ଜଣଙ୍କ ନାମରେ ଏନଡିପିଏସ ଆକ୍ଟରେ ୩୫/୨୦୨୦ ମାମଲା ରୁଜୁ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।