ଫୁଲବାଣୀ,୧୫/୦୩ କନ୍ଧମାଳ ଜିଲ୍ଲାରେ ଜନଗଣନା କାର୍ଯ୍ୟକୁ ସଠିକ ଭାବେ ସମାପନ କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୧ ତାରିଖରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସମ୍ମିଳନୀ ପ୍ରକୋଷ୍ଠରେ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଶିକ୍ଷକମାନଙ୍କର ୫ ଦିନିଆ ତାଲିମ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି ।
ଜିଲ୍ଲାର ୧୨ ଗୋଟି ବ୍ଲକ ଓ ୩ ଗୋଟି ସହରାଞ୍ଝଳର ଜନ ଗଣନା କାର୍ଯ୍ୟ ପାଇଁ ନିଯୁକ୍ତ ହେବାକୁ ଥିବା ଜନଗଣନାକାରୀ ଓ ସୁପରଭାଇଜର୍ ମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା । ଜନ ଗଣନା–୨୦୨୧ ର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଗୃହ ତାଲିକା ଓ ଗୃହ ଗଣନା ଏବଂ ରାଷ୍ଟ୍ରୀୟ ଜନ ସଂଖ୍ୟା ରେଜିଷ୍ଟର(ଏନ୍.ପି.ଆର୍.)-୨୦୨୦ ର ଅଦ୍ୟତନ ପାଇଁ ଚଳିତ ମାର୍ଚ୍ଚ ମାସ ୨୦ ତାରିଖରୁ ୧୫ ଦିନ ଧରି ଏହି ପ୍ରଶିକ୍ଷକମାନେ ନିଜ ନିଜ ବ୍ଲକରେ ଜନ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରିବେ ।
ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଜନଗଣନା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶେଷ ହୋଇଥିବାବେଳେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ଓ ଡେପୁଟି କଲେକ୍ଟର ଡଃ. ଜଗଦିଶ ଷଡ଼ଙ୍ଗୀ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ହିସାବରେ ତାଲିମ ପ୍ରଦାନ କରିଥିଲେ ।
ପ୍ରକାଶ ଥାଉକି ଆମ ରାଜ୍ୟରେ ଗୃହ ତାଲିକା ଓ ଗୃହ ଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍.ପି.ଆର୍.)-୨୦୨୦ ର ଅଦ୍ୟତନ କାର୍ଯ୍ୟକ୍ରମ ଆଗାମୀ ଅପ୍ରେଲ୍ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଥିôବାବେଳେ ପ୍ରଥମ ଥର ପାଇଁ ତଥ୍ୟ ସଂଗ୍ରହ ଉଭୟ ମାନୁଆଲ୍ ଓ ଆପ୍ ମୋଡ୍ ରେ କରାଯିବ ।