ବାଲେଶ୍ୱର-୧୫/୦୩, କରୋନା ଭୂତାଣୁ ଏବେ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱର ବିଭିନ୍ନ ଅଞ୍ଚଳରେ ବହୁ ଲୋକ ମୃତ୍ୟୁବରଣ କରିଥିବା ବେଳେ ଏବେ ମଧ୍ୟ ଶହସ୍ରାଧିକ ଲୋକ ଚିକିତ୍ସାଧିନ ରହିଛନ୍ତି । ଏହି ଭୂତାଣୁ ପାଇଁ ଅଦ୍ୟାବଧି କୌଣସି ଔଷଧ ବାହାରି ନଥିବା ବେଳେ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏକମାତ୍ର ବ୍ୟବସ୍ଥା ହେଉଛି ପ୍ରତିଷେଧକ ବ୍ୟବସ୍ଥା ।
ଏହି ପରୀପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଥିଲା । ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍ (କୋଭିଡ୍-୧୯) କୁ ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିହୀତ ପ୍ରିତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୂର୍ବରୁ ପ୍ରଶାସନିକ ସ୍ତରରେ ଦୁଇଥର ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ସଂନ୍ଧ୍ୟାରେ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ଜିଲ୍ଲାମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ କରୋନାର ଭୟାବହତା ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଭୂତାଣୁ ଜନିତ ରୋଗ ପାଇଁ ଅଦ୍ୟବଧି ଭେକ୍ସିନ୍ ପ୍ରସ୍ତୁତ ହୋଇପାରି ନଥିବାବେଳେ କେବଳ ପୂର୍ବ ପ୍ରତିଷେଧକ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ । ତେବେ ବିଶେଷ କରି କୌଣସି ସ୍ଥାନରେ ଅଧିକ ଲୋକ ସମାବେଶ ନହେବା, ଭଲଭାବେ ହାତ ଧୋଇବା, ଲୋକ ଭିଡ଼ ମଧ୍ୟକୁ ନ ଯିବା, ରହୁଥିବା ପରିପାର୍ଶିକ ଅବସ୍ଥା ସାଙ୍ଗକୁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି ।
ତେବେ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଥିଲେ । ଜିଲ୍ଲା ଓ ବ୍ଲକ ସ୍ତରରେ ସଚେତନତା କାର୍ଯ୍ୟକୁ ଆଗେଇବା ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିବା ବେଳେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । କରୋନା ସଂକ୍ରମିତ ସନ୍ଧିଗ୍ଧଙ୍କ ପ୍ରାଥମିକ ପରୀକ୍ଷା ଓ ଚିକିତ୍ସା ପାଇଁ ମୁଖ୍ୟ ଡାକ୍ତରଖାନା ସମେତ ଜିଲ୍ଲାର ପ୍ରତ୍ୟେକ ସିଏଚସି ଓ ପିଏଚସିରେ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ପାଇଁ ପଞ୍ଚାୟତ ଓ ୱାର୍ଡ଼ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅଙ୍ଗନୱାଡ଼ି କର୍ମୀ, ଆଶା, ଏଏନଏମଙ୍କ ସମେତ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ତଥା ସଦସ୍ୟମାନେ ଦ୍ୱାର ଦ୍ୱାର ବୁଲି ଲୋକଙ୍କୁ ଲିଫଲେଟ୍ ବାଣ୍ଟିବା, କରୋନାର ଭୟବହତା ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବେ ।
ଏନେଇ ୫ ଲକ୍ଷ ଲିଫଲେଟ୍ ପ୍ରସ୍ତୁତ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟ ବାଣ୍ଟିବା ଆରମ୍ଭ ହେବ । ତେବେ ଏହି ମହାମାରୀକୁ ରୋକିବା ନେଇ ପ୍ରତ୍ୟେକ ସ୍ତରରୁ ଉଦ୍ୟମ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାନାର୍ଜୀ ପ୍ରସାଦ ଛୋଟରାୟ, କରୋନା ପ୍ରତିଷେଧ ଅଭିଯାନର ନୋଡାଲ ଅଫିସର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ଡିପିଏମ ଅନୀଲ କୁମାର ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ