Odisha news

କନ୍ଧମାଳ ଜିଲାପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ, ଜିଲ୍ଲାର ୧୨୬ଟି ପ୍ରକଳ୍ପ ଅନୁମୋଦିତ

0

ଫୁଲବାଣୀ,୧୫/୦୩ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲା ପରିଷଦ ସ୍ୱତନ୍ତ୍ର ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ ବାବଦରେ ଗ୍ରାମ୍ୟ ନିର୍ମାଣ ବିଭାଗରୁ ଅନୁଦାନ ଅସିବା ପୂର୍ବରୁ ପରିଷଦର ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ରହିଛି ବୋଲି ମାନନୀୟା ଅଧ୍ୟକ୍ଷା ପ୍ରକାଶ କରିଥିଲେ ।

ନିମ୍ନମାନର କାର୍ଯ୍ୟ ଉପରେ ଥିବା ଅଭିଯୋଗ ଗୁଡ଼ିକର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଆଲୋଚନାରୁ ଜଣାଗଲାଯେ, ୨୦୧୧ ଜନଗଣନା ଭିତ୍ତିରେ ୧୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ଗ୍ରାମ୍ୟ ମୁଖ୍ୟ ରାସ୍ତା, ଗ୍ରାମାଂଚଳ ଭିତ୍ତିଭୂମି ସୁଦୃଢ଼ ପାଇଁ ଉଦ୍ଧିଷ୍ଟ ସଂସ୍ଥା ବା ଅନୁଷ୍ଠାନକୁ ରାସ୍ତା, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଣୀ ଚିିକିତ୍ସା କେନ୍ଦ୍ର କୁ ରାସ୍ତା ଗୁଡ଼ିକର ଉନ୍ନତିକରଣ ଏବଂ ସଂପ୍ରସାରଣ ପାଇଁ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ ଉଦ୍ଧିଷ୍ଟ ବୋଲି ସେ କହିଥିଲେ । ଏମ୍‌ଡିଆର୍‌, ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥ ଏହି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଯୋଗ୍ୟ ନୁହଁନ୍ତି ।

ଆଗରୁ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ଅନୁଷ୍ଠାନ ମୁଖ୍ୟ ବଜାର, ପେଟ୍ରୋଲ ପମ୍ପ୍‌, ବ୍ୟାଙ୍କ୍‌, ବସ୍‌ଷ୍ଟାଣ୍ଡ୍‌, ବ୍ଲକ ଏବଂ ପଞ୍ଝାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ସଂଯୋଗ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ଏଥିରେ ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଏହି ଯୋଜନା ପାଇଁ କେତେଗୁଡ଼ିଏ ଯୋଗ୍ୟତା ଆବଶ୍ୟକ ହେଉଛି ଯେପରିକି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୧ ଏବଂ ୨ ର ପ୍ରକଳ୍ପ ଗୁଡ଼ିକ ଶତକଡ଼ା ୧୦୦ ଭାଗ ମଞ୍ଜୁରୀ ପ୍ରାପ୍ତି ହୋଇଥିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨ ର ଶତକଡ଼ା ୯୦ ଭାଗ କାର୍ଯ୍ୟକୁ ହାତକୁ ନିଆଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ରେ କେବଳ ପ୍ରସ୍ତାବିତ ରାସ୍ତାରେ ଆବଶ୍ୟକ ପଡ଼ୁଥିବା ୧୫୦ ମିଟର ପର୍ଯ୍ୟନ୍ତ ସେତୁର ନିର୍ମାଣ ପାଇଁ ବ୍ୟବସ୍ଥା ରହିଅଛି ।

୧୦ ବର୍ଷ ସମ୍ପୂର୍ଣ୍ଣ ହୋଇଥିବା ସେତୁ ନିର୍ମାଣ କରାଯାଇପାରିବ । ତେବେ ଖରାପ ହୋଇଯାଇଥିବା ବା ଭଗ୍ନ ଅବସ୍ଥାରେ ଥିବା ସେତୁ ସ୍ଥାନରେ ନୂତନ ସେତୁ ନିର୍ମାଣ ପାଇଁ ସେତୁ ବିଶେଷଜ୍ଞଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯିବ । ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଜନ ଖଣ୍ଡ, ବାଲିଗୁଡ଼ା ଓ ଫୁଲବାଣୀଙ୍କ ଦ୍ୱାରା ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ ରେ ଅନ୍ତର୍ଭୂକ୍ତ ସମୁଦାୟ ୧୨୬ ଗୋଟି ପ୍ରକଳ୍ପ ଆଲୋଚନା ମାଧ୍ୟମରେ ମାନନୀୟା ଅଧ୍ୟକ୍ଷାଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ପରେପରେ, ରାଜ୍ୟ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ନୋଭେଲ୍ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଏବଂ ସେଥିପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଗୃହରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବସନ୍ତ କୁମାର ପାତ୍ର ପାୱାର ପଏଣ୍ଟ ମାଧ୍ୟମରେ କରୋନା ଭୂତାଣୁର ଉତ୍ପତ୍ତି, ଏହି ଭୂତାଣୁ ସଂକ୍ରମଣର ପ୍ରାଦୁର୍ଭାବ, ସଂକ୍ରମଣରୁ ସୁରକ୍ଷିତ ରଖିବାର ଉପାୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିବିଶେଷ ସେ ଆକ୍ରାନ୍ତ ହୋଇଥାନ୍ତୁ ବା ନହୋଇଥାନ୍ତୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆଣିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଡା. ବୃନ୍ଦା ଡି. କହିଥିଲେ । ଆମେ ସମସ୍ତେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବାକୁ ସେ ଆହ୍ୱାନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱନାଥ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ ବୈଠକରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର, ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦର ମାନନୀୟା ଉପ-ସଭାପତି ଶ୍ରୀମତୀ ସାରତୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦେବେନ୍ଦ୍ର କୁମାର ସାମଲଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦର ସମସ୍ତ ସଭ୍ୟସଭ୍ୟା, ପଞ୍ଝାୟତ ସମତିର ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply