ସରକାରଙ୍କ ଦ୍ୱାରା ପ୍ରତାରିତ ନୂତନ ପେନସନ୍ ସ୍କିମ୍ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପକ୍ଷରୁ ତାଳଚେର ବ୍ଲକ ଶିକ୍ଷାଧିକାରୀଙ୍କୁ ତିନି ଦଫା ଦାବୀପତ୍ର ପ୍ରଦାନ
ତାଳଚେର ତା ୧୧/୦୩ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପାଇ ଆସିଥିବା ନୂତନ ପେନସନ୍ ସ୍କିମ୍ (ଏନ୍.ପି.ଏସ୍) ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା କରିବା ସହିତ ୬/୭ ଟି ନେସ୍ନାଲ୍ ଇନ୍କ୍ରିମେଂଟ୍ ପ୍ରଦାନ ଅବିକଳ କେନ୍ଦ୍ରୀୟ ହାରରେ ସହିତ ପୁରୁଣା ପେନ୍ସନ୍ (ଓପିଏସ୍) ଲାଗୁ କରିବା ଆଦି ତିନି ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ୫ଟି ସଚିବ ଓ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଆସି ବିଇଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଗତ ନଭେମ୍ବର ମାସରେ ରାଜଧାନୀ ଭୁବନେଶ୍ୱର ଠାରେ ତିନି ଦିନ ବ୍ୟାପୀ ଅହୋରାତ୍ର ଆନ୍ଦୋଳନର ଫଳ ସ୍ୱରୂପ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶୃତି ପରେ ରାଜ୍ୟର ନୂତନ ପେନ୍୍ସନ୍ ସ୍କିମ୍ (ଏନ୍.ପି.ଏସ୍) ଶିକ୍ଷକ/ଶିକ୍ଷୟିତ୍ରୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।
ପ୍ରତିଶୃତି ମୁତାବକ ଡିସେମ୍ବର ୧୬ ରୁ ୨୦ ତାରିଖ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବ ସ୍ତରୀୟ କମିଟିରେ ଏହି ଦାବୀ ଗୁଡିକ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯିବା କଥା । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିକି ଓଡିଶା ସରକାର ଅଦ୍ୟାବଧି ଦାବୀ ଗୁଡିକ ପୂରଣ କରିବାରେ କୌଣସି ପ୍ରକାର ତତ୍ପରତା ପ୍ରକାଶ କରି ନାହାନ୍ତି । ଇତି ମଧ୍ୟରେ ବଜେଟ୍ ଅଧିବେଶନ ଶେଷ ହୋଇଯାଇଥିଲେ ମଧ୍ୟ ବାର୍ଷିକ ବଜେଟ୍ ରେ ଶିକ୍ଷକ ମାନଙ୍କର ଦାବୀକୁ ଅଣଦେଖା କରାଯାଇଥିବାରୁ ତୃଣମୂଳ ସ୍ତରରୁ ପ୍ରତିବାଦର ସ୍ୱର ଉତୋଳନ ଆରମ୍ଭ ହୋଇଛି । ଗତ ୬ ତାରିଖ ଠାରୁ କଳାବ୍ୟାଚ୍ ଓ ୯ ତାରିଖରୁ ୟୁନିଫର୍ମ ବର୍ଜନ ଏବଂ ୧୦ ତାରିଖରେ ରାଜ୍ୟର ୩୧୪ ଟି ବ୍ଲକରେ ବିଇଓ ଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇ ଆଗାମୀ ୧୫ ତାରିଖରୁ ପୁର୍ବପରି ରାଜଧାନୀରେ ହେବାକୁ ଥିବା ତିନି ଦିନ ବ୍ୟାପୀ ଅହୋରାତ୍ର ଆନ୍ଦୋଳନର ତୀବ୍ରତା ସ୍ପଷ୍ଟ ଜଣାପଡୁଛି ବୋଲି ଅଭିଯୋଗ କରାଯାଇଛି । ଯଦି ସରକାର ଉକ୍ତ ଦାବୀ ଗୁଡିକ ପ୍ରତି ଉଦାସୀନ ରୁହନ୍ତି ତେବେ ମାର୍ଚ୍ଚ ୧୮ ତାରିଖ ଠାରୁ ସମୂହ ଛୁଟିରେ ରହି ଦାବୀ ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ସଂଘ ତରଫରୁ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ତାଳଚେର ବ୍ଲକ ସଭାପତି ମିନତୀ ଦାସ ଓ ସଂପାଦକ ନିରୋଦ କୁମାର ଦାସମହାପାତ୍ର ଜଣାଇଛନ୍ତି ।
