Odisha news

ପିଡ଼ିଏସ ସାମଗ୍ରୀ ହରିଲୁଟ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ 

0

କଣ୍ଟାପଡ଼ା, -ସାଧାରଣ ଖାଉଟିଙ୍କ ସାମଗ୍ରୀ ସମ୍ପୃକ୍ତ ସରକାରୀ କଣ୍ଟ୍ରୋଲ ଡିଲର ଓ ସେମାନଙ୍କ ସହିତ ବ୍ଲକ ଯୋଗାଣ ଅଧିକାରୀ ସାଥ ଦେଇ ଲୁଟିବାରେ ଲାଗିଛନ୍ତିବୋଲି ‘ଓଡ଼ିଶା ସୂଚନା ଅଧିକାର ଅଭିଯାନ’ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି । ଏ ନେଇ ଅଭିଯାନର ସଦସ୍ୟମାନେ ମଙ୍ଗଳବାର ପୂର୍ବାହ୍ନରେ କଣ୍ଟାପଡ଼ା ବ୍ଲକ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହିତ ଘଟଣାର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡ଼ିଓଙ୍କ ନିକଟରେ ଦାବି ଜଣାଇଛନ୍ତି ।

ବିଶେଷ ଭାବରେ ସରକାରୀ ପ୍ରଦତ୍ତ କିରାସିନିରେ ବ୍ୟାପକ କଳାବଜାରୀ ହୋଇଥିବା ସୂଚନା କର୍ମୀମାନେ ଅଭିଯୋଗ ଆଣିଛନ୍ତି । ଜିଲାପାଳଙ୍କ ଚିଠି ଅନୁଯାୟୀ ଖାଉଟିଙ୍କୁ ଲିଟର ପିଛା ୧୪ ଟଙ୍କା ଦରରେ କିରାସିନି କଣ୍ଟ୍ରୋଲ ଦୋକାନୀମାନେ ବିକ୍ରି କରିବା କଥା, ମାତ୍ର ସେମାନେ ଏହାକୁ ୪୦/୫୦ ଟଙ୍କା ଦରରେ ବିକ୍ରି କରି ଖଶଉଟିଙ୍କୁ ଶେଷଣ କରୁଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଦତ୍ତ ଡାଲି ରେସନ କାର୍ଡ଼ ଧାରୀଙ୍କୁ ଏ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ଯୋଗାଣ ହୋଇପାରିଲାନାହିଁ । ଆଉ କେତେକ ଅଞ୍ଚଳରେ ତିନି ମାସର ମୋଟ ୬ଲିଟର କିରାସିନି ପରିବର୍ତ୍ତେ ଦେଢ଼ ଲିଟର ଦିଆଯାଉଛି । ଏ ବାବଦ ରସିଦ ମଧ୍ୟ ଖାଉଟିଙ୍କୁ ପ୍ରଦାନ କରାଯାଉନାହିଁ ।

ଏଣୁ ଏଥିରେ ଯୋଗାଣ ଅଧିକାରୀଙ୍କ ସହିତ ସରକାରୀ କଣ୍ଟ୍ରୋଲ ଡିଲରମାନଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଜଣାପଡ଼ୁଛି । ଏହାର ଏକ ନିରପେକ୍ଷ ଓ ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ବାହାରିବବୋଲି କଣ୍ଟାପଡ଼ା ବିଡ଼ିଓ କେ. ଅଶୋକ କୁମାରଙ୍କୁ ସାକ୍ଷାତ କରି କର୍ମୀମାନେ ଏକ ସ୍ମାରକ ପତ୍ର ଦେଇଛନ୍ତି । ଏଥିରେ ବସନ୍ତ ଜେନା, ମାଧବାନନ୍ଦ ଭୋଇ, ଜିତେନ୍ଦ୍ର ସାହୁ, ଦିଲୀପ ରାଉତରାୟ, ଶରତକୁମାର ପରିଡ଼ା ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.