Odisha news

ଆଳୁ ବିହନ ଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମୀକ୍ଷା

0

• ଆଗାମୀ ଦିନରେ ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା
• ପ୍ରଥମଥର ଲାଗି ୧୫,୦୨୩ ହେକ୍ଟରରେ ହେବ ଆଳୁଚାଷ
• ସରକାରଙ୍କ ତରଫରୁ ଏଯାବତ୍‌ ୧,୦୨,୯୬୪ କ୍ୱିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି
• ୫୯୪୯ ହେକ୍ଟର ଜମିରେ ଲାଗିସାରିଛି ଆଳୁ ବିହନ
• ବିହନ ଯୋଗାଣ କିମ୍ବା ଚାଷୀଙ୍କ ଟଙ୍କା ଫେରସ୍ତରେ ସମସ୍ୟା ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
• ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ହିଁ ଯୋଗାଇ ପାରିବେ ବିହନ

ଭୁବନେଶ୍ୱର, ୨୯/୧୧/୨୦୨୪ : ଆଜି କୃଷି ଭବନସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆଳୁ ବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି । ରବି ଆଳୁଚାଷ ସଂପର୍କିତ ଆଲୋଚନା ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଆଳୁଚାଷରେ ରାଜ୍ୟକୁ ଆତ୍ମନିର୍ଭର କରିବା ପାଇଁ ରବି ଆଳୁ ଚାଷକୁ ଦୃଷ୍ଟିରେ ରଖି ସରକାର ଅକ୍ଟୋବର-ନଭେମ୍ବର ମାସରୁ ହିଁ ବିହନ ଯୋଗାଇ ଦେଇଛନ୍ତି । ପ୍ରଥମଥର ଲାଗି ୧୫,୦୨୩ ହେକ୍ଟରରେ ଆଳୁଚାଷ ହେଉଛି । ଏଯାବତ୍‌ ୧ ଲକ୍ଷ ୨ ହଜାର ୯୬୪ କ୍ୱିଣ୍ଟାଲର ଉନ୍ନତ ମାନର ପ୍ରାମାଣିକ ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ୫୬୪୯ ହେକ୍ଟର ଜମିରେ ଆଳୁ ବିହନ ଲାଗିସାରିଛି ।
ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଭାସି ମାଧ୍ୟମରେ ଯୋଗଦେଇଥିବା ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀଙ୍କଠାରୁ ଆବଶ୍ୟକ ପରିମାଣର ଆଳୁ ବିହନ ଯୋଗାଣ ବାବଦରେ ଅବଗତ ହୋଇଥିଲେ । ଚାଷୀମାନେ ପ୍ରାମାଣିକ ଆଳୁ ବିହନ କିଲୋଗ୍ରାମ ପିଛା ୨୦ ଟଙ୍କାରେ କ୍ରୟ କରିବେ ଏବଂ ବିହନ ଲଗାଇବା ପରେ କିଲୋଗ୍ରାମ ପିଛା ୧୦ଟଙ୍କା ନିଜ ଆକାଉଣ୍ଟକୁ ଫେରସ୍ତ ପାଇବେ । ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅଧିକାରୀମାନେ ଯତ୍ନବାନ ହେବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ବିହନ ଯୋଗାଣ ନିମନ୍ତେ କେବଳ ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ହିଁ ଆଳୁ ବିହନ ଯୋଗାଉଛନ୍ତି । ଆଜି ସୁଦ୍ଧା ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଏ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇସାରିଛି ଏବଂ ୩୪୭୦ଗୋଟି ସଚେତନତା ବୈଠକ କରାଯାଇ ଆଳୁଚାଷର ପ୍ରଣାଳୀ ବିଷୟରେ ଅବଗତ କରାଯାଇଛି । ରାଜ୍ୟରେ ୩୦୫୮ଟି କ୍ଲଷ୍ଟର ବଛାଯାଇଛି ଯେଉଁଥିରେ ପ୍ରମୁଖ ଭାବେ ଆଳୁଚାଷ କରାଯିବ ଏବଂ ଏଥି ପାଇଁ ୯୫,୮୪୧ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।
ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଓଡ଼ିଶା ବିହନ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା କୃଷି ଓ ଉଦ୍ୟାନ କୃଷି ଅଧିକାରୀ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

Leave A Reply