ପରଜଙ୍ଗ — ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ଠାରୁ ମୁଖ୍ୟ ରାସ୍ତା ଉପରେ ରହିଛି ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ।ଏହି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ଡାକ୍ତର ଓ କର୍ମଚାରୀ ସମସ୍ୟା ଥିଲେ ମଧ୍ୟ ଏହାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କ ନିଦ ଭାଙ୍ଗୁନି ।କାରଣ ଏହି ଚିକିତ୍ସାଳୟରେ ଚାରି ଜଣ ଭିଏସ, ଜଣେ ଏଲଆଇ, ତିନି ଜଣ ପିଅନ ରହିବା ପରିବର୍ତ୍ତେ ମାତ୍ର ଦୁଇ ଜଣ ପିଅନରେ କାର୍ଯ୍ୟାଳୟ ପରିଚାଳିତ ହେଉଛି । ଅଦ୍ୟାବଧି ଗତ ମାର୍ଚ୍ଚ ମାସରୁ ଏଠାରେ ଆଜି ପର୍ଯ୍ୟନ୍ତ ଡାକ୍ତର ପଦବୀ ଖାଲିପଡ଼ିଥିବା ବେଳେ କାମାକ୍ଷାନଗର ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ସପ୍ତାହକୁ ମାତ୍ର ଦୁଇ ଦିନ ଆସି ଏହି ଦାୟୀତ୍ବ ତୁଲାଇଥିବା ଜଣାପଡିଛି ।ସେଥିରେ ମଧ୍ୟ ଡାକ୍ତରଙ୍କ ଅନେକ ବ୍ୟତିକ୍ରମ ଦେଖାଦେଇଥାଏ ।ଏତଦ୍ ବ୍ୟତୀତ ଏହି ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ ଧୀନରେ ନଅଟି ଉପକେନ୍ଦ୍ର ରହିଛି ।କେନ୍ଦ୍ର ଗୁଡିକ ମଧ୍ୟରେ ମାଣିକମରା , କୁଆଳୋ,ସରାଙ୍ଗ , କଙ୍କଡାସୋଢା , ମୁକ୍ତାପଶି,ବସୋଇ , ସାଆନ୍ଦା, ପାଟରପଦା, କନ୍ଦରସିଂହା ପ୍ରଭୃତି ରହିଛି । ହେଡକ୍ୱାଟର ଚିକିତ୍ସାଳୟରେ ଡାକ୍ତର ମରୁଡି , ଶାଖା କେନ୍ଦ୍ର ଗୁଡ଼ିକ ବିଷୟରେ ନକହିବା ଭଲ ,କାରଣ ଏହି ଉପ କେନ୍ଦ୍ର ୯ ଟି ଯାକରେ ମାତ୍ର ୪ ଜଣ କର୍ମଚାରୀ ରହିଥିବା ଜଣାପଡ଼ିଛି ।ଏପରି ସ୍ଥଳେ ଅଞ୍ଚଳର ଚାଷୀ ମାନଙ୍କ ସମସ୍ୟା ବଢ଼ିଯାଇଛି ।ଗୃହ ପାଳିତ ପଶୁ ବର୍ଷାଦିନେ ବଜବଜିଆ ରୋଗ ଦାଉରୁ ରକ୍ଷା ପାଇ ନପାରି ଚାଷୀ ଅସନ୍ତୋଷ ଦେଖାଦେଇଛି ।ମେଡିକାଲରେ ଔଷଧ ଗଚ୍ଛିତ ଥାଇ ମଧ୍ୟ ଡାକ୍ତର ଅଭାବରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ବର୍ଷା ଦିନ ହୋଇଥିବାରୁ ବ୍ୟାପକ ମାତ୍ରାରେ ଗୋରୁ ମାନଙ୍କ ଠାରେ ବଜବଜିଆ ରୋଗ ସଂକ୍ରମିତ ହେବାରେ ଲାଗିଛି ।ତୁରନ୍ତ ଉକ୍ତ ମେଡ଼ିକାଲକୁ ସ୍ଥାୟୀ ଡାକ୍ତର ଓ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ଦେବାକୁ ଚାଷୀ ପ୍ରଜା ଦାବୀ କରିଛନ୍ତି ନଚେତ୍ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ।
