ହଟିଲା ବିଦେଶୀ ସାମଗ୍ରୀ ଆସିଲା ସ୍ବଦେଶୀ ସାମଗ୍ରୀ : ପାରାମିଲିଟାରୀ କ୍ୟାଣ୍ଟିନରେ କ୍ୟାଣ୍ଟିନରେ ବିକ୍ରି ହେବ କେବଳ ସ୍ବଦେଶୀ ସାମଗ୍ରୀ
ନୂଆଦିଲ୍ଲୀ: ଆଜିଠାରୁ ଦେଶର ପାରାମିଲିଟାରୀ କ୍ୟାଣ୍ଟିନରେ ୧୦୦୦ରୁ ଅଧିକ ଆମଦାନୀ ହୋଇଥିବା ଉତ୍ପାଦ ଉପଲବ୍ଧ ହେବ ନାହିଁ | ଦେଶରେ ସ୍ବଦେଶୀ ଉତ୍ପାଦର ବ୍ୟବହାର ଅଧିକ ବଢାଇବା ଲାଗି ଏଭଳି ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ବେଳେ ଆଜି ଠାରୁ ଏହି ନିୟମ ଲାଗୁ ହୋଇଛି | କ୍ୟାଣ୍ଟିନରେ ଆଜି ଠାରୁ କେବଳ “ମେଡ୍ ଇନ୍ ଇଣ୍ଡିଆ” ଉତ୍ପାଦ ବିକ୍ରି ହେବ। ନ୍ୟୁଟେଲା,କିଣ୍ଡର ଜଏ, ଟିକ୍ ଟ୍ୟାକ୍, ହର୍ଲିକ୍ସ ଓଟସ୍, ୟୁରେକା ଫୋର୍ବସ୍, ଟମି ହାଇଫିଗର୍ ସାର୍ଟ ଏବଂ ଆଦିଦାସ ବଡି ସ୍ପ୍ରେ ଭଳି ଉତ୍ପାଦ ପାରାମିଲିଟାରୀ କ୍ୟାଣ୍ଟିନରେ ଉପଲବ୍ଧ ହେବା ନାହିଁ | କେତେକ ବ୍ରାଣ୍ଡର ମାଇକ୍ରୋୱେଭ୍ ଓଭେନ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ମଧ୍ୟ ଆଜିଠାରୁ ଉପଲବ୍ଧ ହେବ ନାହିଁ ବୋଲି ଜଣା ପଡିଛି |
ସ୍କେଚର୍, ଫେରେରୋ, ରେଡ୍ ବୁଲ୍, ଭିକ୍ଟୋରିନକ୍ସ, ସଫିଲୋ (ପୋଲାରଏଡ୍, କାରେରା)ର ଉତ୍ପାଦକୁ ମଧ୍ୟ ପାରାମିଲିଟାରୀ କ୍ୟାଣ୍ଟିନରୁ ହଟାଇ ଦିଆଯାଇଛି | ଏହି କ୍ୟାଣ୍ଟିନଗୁଡିକ ଚଳାଉଥିବା ସଂସ୍ଥା କେନ୍ଦ୍ରିୟ ପୁଲିସ କଲ୍ୟାଣ ଭଣ୍ଡାର ସମସ୍ତ ଉତ୍ପାଦକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛି।ଶ୍ରେଣୀ ୧ରେ ଭାରତରେ ନିର୍ମିତ ଉତ୍ପାଦଗୁଡିକ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଶ୍ରେଣୀ ୨ରେ ବାହାରୁ କଞ୍ଚାମାଲ ଆମଦାନୀ କରାଯାଇ ଭାରତରେ ତିଆରି ହୋଇଥିବା ଜିନିଷ ରହିଛି | ସେହିଭଳି ତୃତୀୟ ଶ୍ରେଣୀରେ “ଶୁଦ୍ଧ ଆମଦାନୀ ହୋଇଥିବା ଉତ୍ପାଦ” ରହିଛି | କେନ୍ଦ୍ରିୟ ପୁଲିସ କଲ୍ୟାଣ ଭଣ୍ଡାର ମଗାଯାଇଥିବା ସୂଚନା ଠିକ ସମୟରେ ଦେଇ ପାରିନଥିବା କମ୍ପାନୀର ଅନେକ ଉତ୍ପାଦକୁ ମଧ୍ୟ ପାରାମିଲିଟାରୀ କ୍ୟାଣ୍ଟିନରେ ବିକ୍ରି କରିବା ନାହିଁ ବୋଲି ନିଷ୍ପତି ନେଇଛି |

ସୂଚନା ମୁତାବକ, ମେ ୧୪ରେ ଜୁନ୍ ପହିଲାରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍) କ୍ୟାଣ୍ଟିନ୍ ଗୁଡ଼ିକରେ କେବଳ ଦେଶରେ ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଥିଲେ। ସିଏପିଏଫ୍ କ୍ୟାଣ୍ଟିନ ଅଧୀନରେ ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି, ଏନ୍ଏସ୍ଜି ଓ ଆସାମ ରାଇଫଲ୍ର କ୍ୟାଣ୍ଟିନ ଗୁଡ଼ିକ ଆସୁଛି। ଏହି କ୍ୟାଣ୍ଟିନ ଗୁଡ଼ିକ ମିଳିତଭାବେ ବର୍ଷକୁ ପ୍ରାୟ ୨୮୦୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥାନ୍ତି। ସିଏପିଏଫ୍ର ପ୍ରାୟ ୧୦ ଲକ୍ଷ ସଦସ୍ୟଙ୍କ ସମେତ ସେମାନଙ୍କର ୫୦ ଲକ୍ଷ ସଦସ୍ୟ ଏହାଦ୍ବାରା ଉପକୃତ ହୋଇଥାନ୍ତି। ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ଗୃହମନ୍ତ୍ରୀ ଅମିତ ଶାହ ମେ ୧୪ରେ ଏହି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।