Odisha news

କ୍ଷୟକ୍ଷତି ଆକଳନରୁ ବାଦ ପଡିଲେ ଏକାଧିକ ପଂଚାୟତ, ପୁନଃ ଆକଳନ ପାଇଁ ଦାବି

ପାଣିକୋଇଲି : ବାତ୍ୟା ୟଶ ଓ ବନ୍ୟାରେ କୋରେଇ ବ୍ଲକ୍ର ସମସ୍ତ ୨୮ ପଂଚାୟତ କ୍ଷତିଗ୍ରସ୍ତ ହୋଇଛି । ହେଲେ ପ୍ରଶାସନିକ ସ୍ତରରେ ରାଜନୈତିକ ଅଭିସନ୍ଧି ରଖି ମାତ୍ର କେଇଟା ପଂଚାୟତ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ସ୍ତରରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଏନେଇ ଆଜି ସାମାଜିକ କର୍ମୀ ସୁବାସ ଧଳ ହୋଇଥିବା କ୍ଷୟକ୍ଷତିର ପୁନଃ ଆକଳନ ପାଇଁ କୋରେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି ।

ଶ୍ରୀ ଧଳ ଦାବି କରିଛନ୍ତି ଯେ, କୋରେଇ ବ୍ଲକ୍ର ତଟବର୍ତୀ ଅଂଚଳରେ ଥିବା ମୂଳାପାଳ, ବନ୍ଦାଳୋ, କରଦା, ଅମୃତିଆ, ପାଣିକୋଇଲି, ପଥରପଦା, ବଡ଼ବିରୁହାଁ, ତଣ୍ଡରା, ମକୁନ୍ଦପୁର, ଗୌରପୁର, ରଣପୁର ଓ ଅସନଝର ଆଦି ପଂଚାୟତ ୟସ ବାତ୍ୟା ଏବଂ ବୈତରଣୀରେ ହୋଇଥିବା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପଥରପଦା ଏବଂ ପାଣିକୋଇଲି ପଂଚାୟତରେ ବନ୍ୟାପାଣି ପସି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବହୁ ଏକର ରବି ଫସଲ ମଧ୍ୟ ନଷ୍ଟ ହୋଇଛି । ପଥରପଦା ପଂଚାୟତରେ ୮ ଶହରୁ ଉର୍ଦ୍ଧ ଲାକ ସ୍ତାନାନ୍ତରିତ ହୋଇଥିବା ବେଳେ ୩ ଦିନ ଧରି ପଂଚାୟତ ତରଫରୁ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା ।

କିନ୍ତୁ ପ୍ରଶାସନ ଏସବୁକୁ ଅଣଦେଖା କରି ପଥରପଦା ପଂଚାୟତରେ କୌଣସି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ପ୍ରଦାନ କରାଯାଇଛି । ପାଣିକୋଇଲି ପଂଚାୟତରେ ଭୂମିହିନ ଭାବେ ରହୁଥିବା ବହୁ ଲୋକ ଏବେ ମଧ୍ୟ ପାଲତଳେ ଆଶ୍ରୟ ନେଇଛନ୍ତି । ଏହାର ପୁନଃ ବିଚାର କରି ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରିବା ସହିତ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଶ୍ରୀ ଧଳ ଦାବି କରିଛନ୍ତି ।

Ad2

Comments are closed.