ବାଲିଗୁଡ଼ା, ୧୯/୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): ମା’ଙ୍କ ଆରାଧନା, ଭକ୍ତିର ଭାବ ଓ ସାମୂହିକ ଏକତାର ମନୋରମ ପରିବେଶ ମଧ୍ୟରେ ବାଲିଗୁଡ଼ା ସହରର ନୂଆସାହି ଠାରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ। ଅଞ୍ଚଳର ଆରାଧ୍ୟା ଦେବୀ ମା’ ଜୟ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ଦର୍ଶନ ସହ ପ୍ରସାଦ ସେବନ କରି ଭକ୍ତମାନେ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନୂଆସାହି ଗ୍ରାମ୍ୟ କମିଟି ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ମହୋତ୍ସବ ଆୟୋଜନ କରାଯାଇଛି। ସପ୍ତମୀଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଆରାଧନା ମହାଷ୍ଟମୀରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିବା ବେଳେ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଉତ୍ସବର ମାହୋଲକୁ ଅଧିକ ଭକ୍ତିମୟ କରିଥିଲା। ପୂଜା କେବଳ ଧାର୍ମିକ ପରମ୍ପରାରେ ସୀମିତ ନରହି ସାମାଜିକ ସଦ୍ଭାବ ଓ ଭାଇଚାରାର ନିଦର୍ଶନ ପାଲଟିଛି। ପୂଜା କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ରବିବାର ମହାଷ୍ଟମୀ ପୂଜା ସହ ଭୋଗ ଓ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ରହିଥିଲା। ଅକ୍ଟୋବର ୧୯ ତାରିଖ ସୋମବାର ମହାନବମୀ ପୂଜା ସହ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ବିଜୟାଦଶମୀ ଓ ଅପରାଜିତା ପୂଜା ପରେ ପାରମ୍ପରିକ ବିଧିବିଧାନ ଅନୁସାରେ ମା’ଙ୍କ ପ୍ରତିମା ବିସର୍ଜନ କରାଯିବ।
ପୂଜା ମହୋତ୍ସବକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ନୂଆସାହି ଗ୍ରାମ୍ୟ କମିଟିର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। କମିଟିର ଉପଦେଷ୍ଟା ବିରୁପାକ୍ଷ ଦାଶ ଓ ମୁକୁନ୍ଦ ପାତ୍ର, ସଭାପତି ଜଳେନ୍ଦ୍ର ପାତ୍ର, ଉପସଭାପତି ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ସୁବ୍ରତ ପ୍ରଧାନୀ ଏବଂ ମନ୍ଦିର ପୂଜକ ବିଭୀଷଣ ପାତ୍ରଙ୍କ ସମେତ ସଞ୍ଜୟ ପାତ୍ର, ଜଗନ୍ନାଥ ପାତ୍ର, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଭୋଇ, ଅଶୋକ ସାହୁ, ଧର୍ମେନ୍ଦ୍ର ପାତ୍ର ଓ ବୁଲୁ ଡାକୁଆଙ୍କ ସମେତ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟମାନେ ପୂଜା ଆୟୋଜନରେ ସହଯୋଗ କରିଥିଲେ। ମା’ଙ୍କ ଆଶୀର୍ବାଦ କାମନା ସହ ନୂଆସାହିରେ ଦଶହରା ଉତ୍ସବ ଭକ୍ତି, ପରମ୍ପରା ଓ ଭାଇଚାରାର ବାର୍ତ୍ତା ବହନ କରୁଛି।
