ଦନ୍ତାହାତୀ ଆକ୍ରମଣରେ ୨ ମୃତ ଘଟଣା, ଶୋକାକୂଳ ପରିବେଶରେ ଶବ ସରକାର ଦୁଇ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲା ବନ ବିଭାଗ,
ପାଣିକୋଇଲି: ଗତକାଲି ଦନ୍ତା ହାତୀର ଆକ୍ରମଣରେ ମୃତୁ୍ୟ ବରଣ କରିଥିବା ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ରାଧାନଗର ପାଟଣା ଗ୍ରାମର ଚିନ୍ତାମଣି ରାମ (୬୫) ଏବଂ ଗୋଡିପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ଦାସ(୫୫)ଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ବନ ବିଭାଗ ଘୋଷଣା କରିଛି । ଆଜି ସକାଳେ ୨ ମୃତକଙ୍କ ଶବ ବ୍ୟବଚ୍ଛେଦ କରି ଶବଦାହ କରିବା ପରେ ପରିବାର ଲୋକଙ୍କୁ ଭେଟି ଯାଜପୁରରୋଡ଼ ବନ ବିଭାଗ ଅଧିକାରୀ ଦେବେନ୍ଦ୍ର ପଟ୍ଟନାୟକ ଏବଂ ଦତହରି ନାୟକ ୪୦ ହଜାର ଟଙ୍କାର ଚେକ୍ ସୁଦ୍ଧିକ୍ରିୟା ବାବଦକୁ ଦେଇଥିବା ବେଳେ ବକେୟା ୩ ଲକ୍ଷ ୬୦ ହଜାର ଟଙ୍କା ପରେ ବ୍ୟାଙ୍କ ଆକାଉଂଟ ଜରିଆରେ ପରିବାର ଲୋକଙ୍କୁ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ଘୋଷଣା କରିଛନ୍ତି । ଏହା ସହିିତ ବିଧାୟକ ଅଶୋକ ବଳ ମୃତକଙ୍କ ପରିବାରକୁ ଭେଟି ଉଭୟ ପରିବାରକୁ ୫ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିିଥିଲେ । ପରେ ମୃତକଙ୍କ ଶବାଧାରରେ ସାମିଲ ହୋଇ ଶବକୁ କାନ୍ଧ ଦେବା ସହିତ ତୁଠରେ ଗାଧୋଇ ସଂସ୍କାର ହୋଇଥିଲେ । ଏହା ସହିତ ଉଭୟଙ୍କ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇଦେବା ସହିତ ସମସ୍ତ ସରକାରୀ ସୁବିଧା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ମୃତକଙ୍କ ପରିବାର ମଧ୍ୟରୁ ଇଶ୍ୱର ଚନ୍ଦ୍ରଙ୍କ ପରିବାର ବୋଲି କହିଲେ କେବଳ ବିଧବା ସ୍ତ୍ରୀ ମଂଜୁଲତାଙ୍କ ଛଡା କେହି ନାହାଁନ୍ତି । ଇଶ୍ୱରଙ୍କର ପିଲାପିଲି କେହି ନଥିବା ବେଳେ ଗାଁ ଗାଁ ବୁଲି ଘୁଘୁନି ବେପାର କରନ୍ତି ଇଶ୍ୱର । ୨୦୧୦-୧୧ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଇଶ୍ୱର ଘର ଖଣ୍ଡେ ପାଇଥିବା ବେଳେ କିସ୍ତି ଆକାରରେ ମାତ୍ର ୪୫ ହଜାର ଟଙ୍କା ପାଇଥିଲେ । ପରେ ଯୋଜନା ବନ୍ଦ ହେବାରୁ ଆଉ ଟଙ୍କା ମିଳିନଥିଲା । ଫଳରେ ଏକ ଝାଟିମାଟି ଘରେ ରହୁଥିବା ବୃଦ୍ଧା ଦମ୍ପତିଙ୍କ ଚାଳ ଘରଟି ମଧ୍ୟ କାଲି ହାତୀ ଆକ୍ରମଣରେ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ବୃଦ୍ଧା ମଂଜୁଲତା ଏବେ ନିରାଶ୍ରୟ ହୋଇଥିବା ବେଳେ ତାଙ୍କୁ ଅବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ସ୍ଥାନୀୟ ସରପଂଚ ସୁଶାନ୍ତ କୁମାର ସାହୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ଚିନ୍ତାମଣି ରାମ (୬୫)ଙ୍କ ପରିବାରରେ ଦୁଇ ପୁଅ, ଦୁଇ ଝିଅଙ୍କ ସହିତ ସ୍ତ୍ରୀ ପାର୍ବତୀ (୬୧) ଅଛନ୍ତି । ଦୁଇ ଝିଅ ବିବାହିତ ହୋଇଥିବା ବେଳେ ପୁଅ ରବିନ୍ଦ୍ର ଓ ମହେନ୍ଦ୍ର ମଧ୍ୟ ବିବାହିତ । ଆବାସ ଯୋଜନାରେ ଚିନ୍ତାମଣିଙ୍କୁ ଘର ଖଣ୍ଡେ ମିଳିନଥିବା ବେଳେ ବାର୍ଦ୍ଧକ୍ୟ ଭତା ମଧ୍ୟ ଦମ୍ପତିଙ୍କୁ ମିଳିନାହିଁ । ଏବେ ଚିନ୍ତାମଣିଙ୍କ ମୃତ୍ୟୁ ପରେ ବିଧବା ପାର୍ବତୀଙ୍କୁ ଭତା ଏବଂ ଆବାସ ଯୋଜନାରେ ଘର ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।