Odisha news

ରାତିଅଧିଆ କଲାରା ଚାଲାଣ, ପରିବା ଚାଷୀଙ୍କୁ ଲୁଟୁଛନ୍ତି ବିହାର,ବେଙ୍ଗଲ ଦଲାଲ,

0

ପାଣିକୋଇଲି : ଶତାଧିକ ପରିବା ଚାଷୀ ଏବେ ସଙ୍କଟରେ । ରାତିଅଧିଆ ଦଲାଲ୍ ମାନେ ଶାଗମାଛ ଦରରେ ଚାଷୀଙ୍କ କ୍ଷେତରୁ ପନି ପରିବା ଲୁଟୁଥିଲେ ମଧ୍ୟ ଏନେଇ ପ୍ରଶାସନିକ ସ୍ଥରରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ଫଳରେ ସ୍ଥାନୀୟ ଅଂଚଳରେ ପରିବା ମୂଲ୍ୟ ଆକାଶ ଛୁଆଁ ହେଉଛି । ଗୋଟାଏ ପଟେ ଋଣ ବୋଝରେ ପରିବା ଚାଷୀଙ୍କ ଅଂଟା ଭାଙ୍ଗୁଥିବା ବେଳେ ଅନ୍ୟପଟେ ବେଶ୍ ଦି ପଇସା ରୋଜଗାର କରୁଛନ୍ତି ଦଲାଲ୍ମାନେ । ଜିଲ୍ଲା ପ୍ରଶାସନର ନିୟନ୍ତ୍ରୀତ ବଜାର କମିଟିର ଅପାରଗତା ପଦାରେ ପଡିବା ସହିତ ଚାଷୀଙ୍କ ପାଇଁ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟିଥିବା ପ୍ରମାଣିତ ହୋଇଛି ।ପ୍ରତିବର୍ଷ ପାଖାପାଖି ୧୮ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ୫ ରୁ ୬ ହଜାର ହେକ୍ଟର ଜମିରେ ରବି ଜାତୀୟ ଓ ପନିପରିବା ଆଦି ଚାଷ କରିଥାନ୍ତି । କୋରାଇ ବ୍ଲକ୍ର ତଣ୍ଡରା,ବଡବିରୁହାଁ, ଗୋଳେଇପୁର ଆଦି ପଂଚାୟତର ଶତାଧିକ ଚାଷୀ ବର୍ଷସାରା ପରିବା ଚାଷ କରିଥାନ୍ତି । ଫଳରେ ସ୍ଥାନୀୟ ଅଂଚଳ ପାଇଁ ଆବଶ୍ୟକ ପରିବାର ୩୦ ପ୍ରତିଶତ ଏହି ଚାଷୀମାନେ ହିଁ ଯୋଗାଇଥାନ୍ତି । ହେଲେ ସେହି ଚାଷୀଙ୍କୁ ଏବେ ଲୁଟୁଛନ୍ତି ବାହାର ରାଜ୍ୟର ଦଲାଲ୍ମାନେ । ଚାଷୀଙ୍କ କ୍ଷେତରେ ସିଧାସଳଖ ଗାଡି ଲଗାଇ ବଜାର ଦରରୁ ବହୁ କମ୍ ମୂଲ୍ୟରେ ନେଇ ଯାଉଛନ୍ତି ପରିବା ସବୁ । ସ୍ଥାନୀୟ ବଜାରରେ କଲରା କିଲୋପ୍ରତି ୨୦ ରୁ ୩୦ ଟଙ୍କା ଚାଷୀମାନେ ବିକ୍ରି କରିଥାନ୍ତି । ଏବେ କଲରା ବହୁଳ ପରିମାଣରେ ଉତ୍ପାଦନ ହେଉଥିବା ବେଳେ ସ୍ଥାନୀୟ ବଜାରରେ ପରିବାର ମୂଲ୍ୟ ଅପେକ୍ଷାକୃତ କମ୍ ରହିବା କଥା । କିନ୍ତୁ ଉତ୍ପାଦନ ଅନୁସାରେ ଚାଷୀ ପରିବା ବିକ୍ର୍ରି କରିପାରୁନଥିବାରୁ ପଡୋଶି ରାଜ୍ୟ ପଶ୍ଚିମବଙ୍ଗ, ବିହାର ଓ ଗୁଜୁରାଟ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ଦଲାଲ୍ମାନେ କଲରା କିଲୋ ପ୍ରତି ମାତ୍ର ୧୫ ରୁ ୨୦ ଟଙ୍କାରେ ସିଧା ଚାଷୀଙ୍କ କ୍ଷେତରୁ ନେଉଛନ୍ତି ।

ଯାହାକୁ ଅନ୍ୟ ରାଜ୍ୟରେ ଚଢାଦରରେ ବିକ୍ରି କରି ମାଲେମାଲ୍ ହେଉଛନ୍ତି । ସ୍ଥାନୀୟ ଅଂଚଳର ଚାଷୀ ଦିଗାମ୍ବର ସାହୁ, ରଘୁନାଥ ପଲେଇ, ଜଗବନ୍ଧୁ ଦାସ୍ ପ୍ରମୂଖ ଏନେଇ କ୍ଷୋଭ ପ୍ରକାଶ କରିଥିଲେ ମଧ୍ୟ କିଛି ଉପାୟ ନପାଇ ସେମାନେ ବାଧ୍ୟ ହୋଇ ଦଲାଲ୍ଙ୍କୁ କମ୍ ଦରରେ ପରିବା ଦେବାପାଇଁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି । ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ୍ ମୂଲ୍ୟରେ ପରିବା ବିକ୍ରି କରିବା ପାଇଁ ସେଭଳି କୌଣସି ବିଶେଷ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ସେମାନେ ଦଲାଲ୍ଙ୍କୁ ପରିବା ଦେଉଥିବା କହିଛନ୍ତି । କଲରା ଉତ୍ପାଦନ ପାଇଁ ପାଖାପାଖି ଏକର ପ୍ରତି ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦଲାଲ୍ଙ୍କୁ ପରିବା ଦେଲେ ମୂଳଧନ ଅସୁଲ୍ ମଧ୍ୟ କଷ୍ଟ ହେଉଥିବା ଚାଷୀ କହିଛନ୍ତି । ଏପରି ସ୍ଥଳେ ଲାଭ କରି ପରିବା ପ୍ରତିପୋଷଣ କରିବା ଏବଂ ରବିଋଣ ପରିଶୋଧ କରିବା ଏକ ପ୍ରକାର ଅସମ୍ଭବ ବୋଲି ଚାଷୀ କହୁଛନ୍ତି । ତେବେ ଏଠାରେ ଜିଲ୍ଲାର ବଜାର ନିୟନ୍ତ୍ରଣ କମିଟି ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ନିୟନ୍ତ୍ରଣ ବିଭାଗର ସମ୍ପାଦକ ରମେଶ ସ୍ୱାଇଁଙ୍କୁ ପଚାରିବାରୁ ଏନେଇ ଖୁବ୍ଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଚାଷୀଙ୍କ ଠାରୁ ଏଭଳି କମ୍ମୂଲ୍ୟରେ ବାହାର ରାଜ୍ୟକୁ ପରିବା ଚାଲାଣ ହେଉଥିବାର ଜାଣବା ପରେ ଶୁବ୍ଶୀଘ୍ର କୋରେଇ ଅଂଚଳରେ ଏକ ନିୟନ୍ତ୍ରୀତ ବଜାର ହାଟ ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ତେବେ ପରିବାର ବାହାର ରାଜ୍ୟକୁ ଚାଲାଣ ଉପରେ ରୋକ୍ ଲଗାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବା ସହିତ ଚାଷୀଙ୍କୁ କିଭଳି ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ମିଳିପାରିବ ସେନେଇ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମ୍ପାଦକ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

Leave A Reply