ସୁରତ ରୁ ଖଲ୍ଲିକୋଟ କୁ ଟ୍ରେନରେ ଫେରୁଥିବା ଓଡ଼ିଆ ଶ୍ରମିକଙ୍କ ମହାରାଷ୍ଟ୍ର ୱାରଧା ଷ୍ଟେସନ ରେ ମୃତ୍ୟୁ : ଶବ ଫେରାଇ ଆଣିବାକୁ ପରିବାର ର ଆକୁଳ ନିବେଦନ ।
ଖଲ୍ଲିକୋଟ୨୭/୦୫ : କରନା ଲକ ଡାଉନ ସମୟରେ ଘର ବାହୁଡା ଶ୍ରମିକଙ୍କ ଅନେକ ଦୁଃଖଦ ଘଟଣା ନଜର କୁ ଆସିଛି ।ଏଭଳି ଏକ ଦୁଃଖଦ ଘଟଣା ଖବର ଆସିଛି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡା ଗ୍ରାମରୁ ।ତାଳପଡା ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ର(୪୪)ଦୀର୍ଘ ବର୍ଷ ଧରି ସୁରତ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।ସବୁକିଛି ଠିକ ଠାକ ଚାଲିଥିବା ବେଳେ କରନା ଲକ ଡାଉନ ସବୁ ଓଲଟ ପାଲତ କରିଦେଲା ।ଲକ ଡାଉନ ଯୋଗୁଁ ସୁରତ ର ସବୁ କଳ କାରଖାନା ବନ୍ଦ ହୋଇଗଲା ।ଶ୍ରମିକ ମାନେ ଘର ମୁହାଁ ହେଲେ ।ବସ, ଟ୍ରେନ, ସାଇକେଲ, ବାଇକ ଏମିତି କି କେତେକ ଶ୍ରମିକ ପାଦ ରେ ଚାଲି ଚାଲି ଘରକୁ ଫେରିଲେ ।
ଖଲ୍ଲିକୋଟ ବ୍ଲକ ତାଳପଡା ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ର ନିଜ ଜ୍ବାଇଁ ଙ୍କ ସହ ସୋମବାର ଦିନ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ରେ ସୁରତ ରୁ ବାହାରିଲେ ।ଟ୍ରେନ ରେ ଚଢିବା ବେଳେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ କୃଷ୍ଣଚନ୍ଦ୍ର ।ତେବେ ମହାରାଷ୍ଟ୍ର ର ଆଙ୍କଲା ଷ୍ଟେସନ ପାଖରେ ଗୁରୁତର ଭାବେ ଅସୁସ୍ଥ ହୋଇ ଚେତା ହରାଇ ବସିଥିଲେ କୃଷ୍ଣଚନ୍ଦ୍ର ।ସାଙ୍ଗରେ ଥିବା ଜ୍ବାଇଁ ଦୀପକ ରଣା ଟ୍ରେନ ରେ ଥିବା ସୁରକ୍ଷା କର୍ମଚାରୀ ଙ୍କୁ ଜଣାଇବାରୁ ସେ ଆଗରେ ଆସୁଥିବା ୱାରଧା ଷ୍ଟେସନ ରେ ଡାକ୍ତର ଡକାଇ ଚିକିତ୍ସା କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ୱାରଧା ଷ୍ଟେସନ ରେ ଚିକିତ୍ସା ପରେ ଚେତା ନ ଫେରିବା ରୁ ତୁରନ୍ତ ତାଙ୍କୁ ୱାରଧା ସରକାରୀ ମେଡ଼ିକାଲ କୁ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।ଏହି ଖବର ଗ୍ରାମରେ ପହଁଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଘରେ ପତ୍ନୀ, ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।କୃଷ୍ଣଚନ୍ଦ୍ର ଘରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗ ରେ ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି ।ବଡ଼ ଝିଅ ବାହା ହୋଇ ଯାଇଥିବା ବେଳେ ଜ୍ବାଇଁ ଦୀପକ ୱାରଧା ରେ ଅଟକି ରହିଛନ୍ତି ।ଏଭଳି ପରିସ୍ଥିତି ରେ କଣ କରିବେ କିଛି ବୁଝି ପାରୁ ନାହାନ୍ତି ଭାଇ ମହେଶ୍ବର ମହାପାତ୍ର ।ଖଲ୍ଲିକୋଟ ତହସିଲଦାର ଙ୍କୁ ନିଜର ଦୁଃଖ ଜଣାଇ ବଡ଼ ଭାଇ କୃଷ୍ଣଚନ୍ଦ୍ର ଙ୍କ ମରଶରୀରକୁ ଗ୍ରାମ କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ମହେଶ୍ବର ।ଏ ସମ୍ପର୍କରେ ତହସିଲଦାର ଚକ୍ରଧର ପାଢ଼ୀ ଙ୍କୁ ପଚାରିବାରୁ ସେ ଏହି ବିଷୟ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଜଣାଇ ଦେଇଥିବା କହିଛନ୍ତି ।