ବଲାଙ୍ଗିର,୨୩ା୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି । ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଉଛି । ପଶ୍ଚିମ ଓଡ଼ିଶାର ଆଇନ୍ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରି ବାର କାଉନସିଲ୍ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ । ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି । ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ଉଲ୍ଲେଖ ରହିଛି । ରାଜ୍ୟ ଓକିଲ ସଂଘର ଚିଠି ଏହାର ପ୍ରତିବାଦରେ ଆଜି ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜୁରରୀ ବୈଠକ ବସିଥିଲା । ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏପରିକି ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯିବା ସ୍ଥିର ହୋଇଛି । ଆଜି ବସିଥିବା ବୈଠକ ପରେ ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ବିଭାଜନ ନୀତି ଚଳିବ ନାହିଁ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଡିଭାଇଡ୍ ଆଣ୍ଡ ରୁଲ୍ ନୀତି ଛାଡ଼;ୁ । ସରକାର ନିଷ୍ପତ୍ତି ନିଅ;ୁ ପଶ୍ଚିମ ଓଡ଼ିଶାର କେଉଁଠି ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ । ଯଦି କୌଣସି ଓକିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ କଠୋର ନିଷ୍ପତ୍ତି ନିଆଯିବ । ଜଣକର ଲାଇସେନ୍ସ ବାତିଲ ହେଲେ, ସମୂହ ଲାଇସେନ୍ସ ସରେଣ୍ଡର କରାଯିବ ବୋଲି କହିଛନ୍ତି ବିଜିତେନ୍ଦ୍ରୀୟ ପ୍ରଧାନ । ପରେ ଏକଜୁଟ ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ । ଏପରିକି ରାଜ୍ୟ ଓକିଲ ସଂଘର ନିଷ୍ପତ୍ତିକୁ ବିରୋଧ କରାଯାଇଛି ।