Odisha news

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ : ପୁନଃବିକାଶ କାର୍ଯ୍ୟ ଓ ଯାତ୍ରୀ ସୁବିଧାର କଲେ  ସମୀକ୍ଷା

0
ଭୁବନେଶ୍ୱର, ଅକ୍ଟୋବର ୩, ୨୦୨୬  : ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନର ନିରୀକ୍ଷଣ କରି ଚାଲିଥିବା ଷ୍ଟେସନ ପୁନଃବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧା ଏବଂ ଷ୍ଟେସନର ସାମଗ୍ରିକ ପରିଚାଳନାଗତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ପୁରୀ ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ପୁନଃବିକାଶ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଗୁଣବତ୍ତା ମାନଦଣ୍ଡ ବଜାୟ ରଖି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଏହି କାର୍ଯ୍ୟ ଯୋଗୁଁ ଯାତ୍ରୀମାନଙ୍କୁ ଯେପରି ଅସୁବିଧା  ନହୁଏ, ତାହା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ଶ୍ରୀ ଫୁଙ୍କୱାଲ ଷ୍ଟେସନରେ ଉପଲବ୍ଧ ଯାତ୍ରୀ ସୁବିଧାଗୁଡ଼ିକର ମଧ୍ୟ ନିରୀକ୍ଷଣ କରିଥିଲେ ଏବଂ ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ କରାଯାଉଥିବା ବିଭିର୍ଣ୍ଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିଶେଷକରି ପୁରୀ ରେଳ ଷ୍ଟେସନ ବର୍ଷସାରା ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସେବା ଯୋଗାଉଥିବାରୁ ଯାତ୍ରୀ ସୁବିଧାଗୁଡ଼ିକର ନିୟମିତ ନିରୀକ୍ଷଣ ଓ ନିରନ୍ତର ଉନ୍ନତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମହାପ୍ରବନ୍ଧକ ଷ୍ଟେସନରେ ପାନୀୟ ଜଳର ଗୁଣବତ୍ତା ମଧ୍ୟ ଯାଞ୍ଚ କରିଥିଲେ। ପାନୀୟ ଜଳରେ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡଗୁଡ଼ିକୁ କଡ଼ାକଡ଼ି ଭାବେ ବଜାୟ ରଖିବା ସହ ଯାତ୍ରୀମାନଙ୍କୁ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବେ ପାନୀୟ ଜଳର ପରୀକ୍ଷା ଓ ନିରୀକ୍ଷଣ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଖୋର୍ଦ୍ଧା ରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ (ଡିଆରଏମ୍)ଙ୍କ ସମେତ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକଙ୍କ ସହିତ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ।

Nalco
Leave A Reply