Odisha news

ଧାନ ଓ କପା ଫସଲ ଉଜାଡ଼ିଲେ ହାତୀପଲ : ସୀମାନ୍ତ ଅଞ୍ଚଳରେ ୫ ହାତୀଙ୍କ ଉପଦ୍ରବ, ଭୟରେ ଚାଷୀ

0
ବାଲିଗୁଡା , ତା, ୦୩/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ–କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବନାଞ୍ଚଳର ଲଙ୍କାଗଡ଼ ପଞ୍ଚାୟତର ବାରିଙ୍ଗିଲି ଓ ଅର୍ଜୁନପୁର ଗାଁରେ ୫ଟିକିଆ ହାତୀପଲ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ଗତ କିଛିଦିନ ହେଲା ହାତୀପଲ ଗାଁ ନିକଟବର୍ତ୍ତୀ ଚାଷଜମିରେ ପଶି ଧାନ ଓ କପା ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ବନ ବିଭାଗର ସୂଚନା ଅନୁଯାୟୀ, ହାତୀପଲ ଦ୍ୱାରା ଅଞ୍ଚଳର ୨ ଏକରରୁ ଊର୍ଦ୍ଧ୍ୱ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଏଥିସହ କପା ଚାଷ ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି। ଫଳରେ ଚାଷରେ ଲଗାଇଥିବା ଅର୍ଥ ଫେରିବ କି ନାହିଁ, ସେନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ସନ୍ଧ୍ୟା ପରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଖବର ପାଇ ତୁମୁଡ଼ିବନ୍ଧ ବନାଞ୍ଚଳର ବନ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଚାଷୀଙ୍କୁ ସତର୍କ ରହିବାକୁ ସଚେତନ କରୁଛନ୍ତି। ଏଥିସହ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ ମଧ୍ୟ କରାଯାଉଛି। କନ୍ଧମାଳ–କଳାହାଣ୍ଡି ସୀମାନ୍ତ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏହି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ମିଳେ। ତେବେ ଚାଷ ଅମଳ ସମୟରେ ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବନ ବିଭାଗ ପକ୍ଷରୁ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରାଯାଉଥିବା ବେଳେ କ୍ଷୟକ୍ଷତି ଆକଳନ ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Nalco
Leave A Reply